ରଥଯାତ୍ରା ଅବ୍ୟବସ୍ଥା ବ୍ୟବସ୍ଥା ଓ ବିଏମସିରେ ଗୁଣ୍ଡାରାଜ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦିତ କରିଛି: ବିଜେଡି
ବିଏମସି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ
ଭୁବନେଶ୍ୱର: -ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହେବା ଓ ପୁରୀରେ ରଥଯାତ୍ରାକୁ ନେଇ ବ୍ୟାପକ ଅବ୍ୟବସ୍ଥା ପରେ, ଆଇନ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହି ଦୁଇ ଘଟଣା ସାରା ଦେଶରେ ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ବିଜେଡି କହିଛି।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଥିଲେ, ବିଏମସି ଅତିରିକ୍ତ କମିସନରଙ୍କୁ ଅମାନବୀୟ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଓଏଏସ ସଂଘ ସମୂହ ଛୁଟିରେ ଯିବାରୁ ରାଜ୍ୟ ଶାସନ ବ୍ୟବସ୍ଥାରେ ସ୍ଥାଣୁତା ଆସିଛି। ଏହି ଘଟଣା ଓଡିଶାକୁ ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ କରିଥିବା ବେଳେ ରାଜ୍ୟ ସରକାର ଏହି ଘଟଣାରେ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି। ରାଜ୍ୟ ସରକାର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଘଣ୍ଟ ଘୋଡାଉଛନ୍ତି, ଯାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ରାଜ୍ୟ ସରକାର ଏହି ଘଟଣାରେ ଆଉ ଅଧିକ ଟାଳଟୁଳ ନିତି ଅବଲମ୍ବନ ନକରି, ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ଗିରଫ କରାଯାଉ ବୋଲି ଡଃ ମହାନ୍ତି କହିଥିଲେ I
ସେହିପରି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା, କର୍ଡନ ପାସ ବଣ୍ଟନ, ନନ୍ଦିଘୋଷ ରଥ ଟଣା ନଯାଇ ପାରିବା, ପରେ ସନ୍ଧ୍ୟା ସାତଟା ପଇଁଚାଳିଶ ମିନିଟ ସମୟରେ କେବଳ ବିଧ୍ ରକ୍ଷା ପାଇଁ ନନ୍ଦିଘୋଷ ରଥକୁ କିଛି ପାଦ ଟାଣିବା, ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହେବା ଇତ୍ୟାଦି ବ୍ୟାପକ ଅବ୍ୟବସ୍ଥା ସରକାରଙ୍କ ବିଫଳତାକୁ ପ୍ରଦର୍ଷିତ କରୁଛି। ରଥଯାତ୍ରା ଦାୟିତ୍ବରେ ଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ବିଫଳତାର ଦାୟିତ୍ଵ ନିଜ ମୁଣ୍ଡକୁ ନେବା ପରିବର୍ଭେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଅହଂକାର ସ୍ପଷ୍ଟ ପରିଲକ୍ଷିତ ହେଉଛି I ରଥଯାତ୍ରା ବିଫଳତାର ନୈତିକ ଦାୟିତ୍ୱ ନେଇ ସେ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ଅଥବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ ବୋଲି ଡଃ ମହାନ୍ତି କହିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
