ଏସ୍‌ଆଇଆର୍ ପରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ

ଭୋଟର ତାଲିକାରେ ନାମ ଯୋଡ଼ିବାକୁ ନୂଆ ଅଭିଯାନ: ୩୧ ଅକ୍ଟୋବର ସୁଦ୍ଧା ପ୍ରକ୍ରିୟା

ବିଏଲଏ ମାନଙ୍କୁ ତଥା ରାଜନୈତିକ ଦଳର ପ୍ରତିନିଧୂ ମାନେ ଏସ ଆଇ ଆର ରେ ସହଯୋଗ କରିବା ନିମନ୍ତେ  ଜିଲ୍ଲାପାଳ ଙ୍କ ଅନୁରୋଧ ।

Advertisement


ଖୋର୍ଦ୍ଧା,( ୦୩/୧୦): – ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) ପରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ପ୍ରଥମଥର ଭୋଟର ହେବାକୁ ଯାଉଥିବା ଯୁବବର୍ଗଙ୍କୁ ତାଲିକାରେ ସାମିଲ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ଯୋଗ୍ୟ ନାଗରିକମାନେ ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରି ଭୋଟର ଭାବେ ପଞ୍ଜୀକରଣ କରିପାରିବେ। ଏସ୍‌ଆଇଆର୍ ସମୟରେ ନାମ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ପୁନଃ ନାମ ସାମିଲ ପାଇଁ ଫର୍ମ-୬ ଦାଖଲ ବେଳେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ କିମ୍ବା ଘୋଷଣାନାମା ଦେବା ଆବଶ୍ୟକ ହେବ ନାହିଁ।


ତେବେ ଫର୍ମ-୬ ଦାଖଲ କଲେ ନାମ ସ୍ୱତଃ ତାଲିକାରେ ସାମିଲ ହେବ ନାହିଁ। ଆବେଦନରେ ଦିଆଯାଇଥିବା ତଥ୍ୟ ଓ ଆବଶ୍ୟକ ଦସ୍ତାବିଜ ଯାଞ୍ଚ ପରେ ନିର୍ଦ୍ଧାରିତ ଆଇନ ଓ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତି ନେଇ ନିଷ୍ପତ୍ତି ନିଆଯିବ।


ଖୋର୍ଦ୍ଧା ଜିଲ୍ଲାରେ ବୁଥ୍ ଲେଭେଲ୍ ଅଧିକାରୀ (ବିଏଲ୍‌ଓ)ମାନେ ଚୂଡ଼ାନ୍ତ ତାଲିକାରୁ ବାଦ ପଡ଼ିଥିବା ଭୋଟର ଓ ନୂତନ ଯୁବ ଭୋଟରଙ୍କ ପାଖରେ ପହଞ୍ଚି ଆବଶ୍ୟକ ଯାଞ୍ଚ କରିବେ। ସ୍ଥାନାନ୍ତରଣ, ଅନୁପସ୍ଥିତି, ମୃତ୍ୟୁ କିମ୍ବା ନକଲି ନାମ/ପରିଚୟ ଯୋଗୁଁ ବାଦ ପଡ଼ିଥିବା ଭୋଟରଙ୍କ କ୍ଷେତ୍ରରେ ମଧ୍ୟ ପୁନଃ ଯାଞ୍ଚ କରାଯିବ।


୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ବୟସରେ ପଦାର୍ପଣ କରୁଥିବା ଯୋଗ୍ୟ ନାଗରିକମାନେ ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ସାମିଲ ହୋଇପାରିବେ। ପ୍ରାକ୍-ଏସ୍‌ଆଇଆର୍ ଓ ଚୂଡ଼ାନ୍ତ ଭୋଟର ତାଲିକା ତୁଳନା କରି ନୂତନ ଓ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ୩୧ ଅକ୍ଟୋବର ୨୦୨୬ ମଧ୍ୟରେ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ଚାଲିବ। ଏହାର ସବିଶେଷ ତଥ୍ୟ ୨ ନଭେମ୍ବର ୨୦୨୬ରେ ବିଏଲ୍‌ଓମାନେ ବୁଥ୍ ଲେଭେଲ୍ ଏଜେଣ୍ଟ (ବିଏଲ୍‌ଏ)ଙ୍କୁ ଏବଂ ଇଆର୍‌ଓମାନେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଜଣାଇବେ।


ସ୍ୱଚ୍ଛ, ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକା ପ୍ରସ୍ତୁତି ସହ ସମସ୍ତ ଯୋଗ୍ୟ ନାଗରିକଙ୍କୁ ପଞ୍ଜୀକରଣର ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନରେ ସହଯୋଗ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ବିଏଲ୍‌ଏ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *