ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ଗଠନ ପାଇଁ ନେଲେ ସଂକଳ୍ପ
ଖୋର୍ଦ୍ଧା, (୨/୧୦) :- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ବ୍ଲକ ଅଧୀନ ନାଲିପଡ଼ା-ଅର୍ଜୁନପୁର, ପୂବୁସାହି, ବାଜପୁର ଓ ବରସାହି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମସଭାରେ ଶିଶୁ ଶ୍ରମ ମୁକ୍ତ, ବାଲ୍ୟ ବିବାହ ମୁକ୍ତ, ସ୍ୱଚ୍ଛ ଓ ପରିମଳମୟ ପଞ୍ଚାୟତ ଗଠନ ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା।
ନାଲିପଡ଼ା-ଅର୍ଜୁନପୁର ପଞ୍ଚାୟତରେ ସରପଞ୍ଚ ସୂର୍ଯ୍ୟପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ସୁବୁଦ୍ଧି ଉପସ୍ଥିତ ଲୋକଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଭିବିଜି ରାମଜୀ କାର୍ଯ୍ୟ ସମେତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଗ୍ରାମବାସୀଙ୍କ ମତାମତ ଆଧାରରେ ବାର୍ଷିକ ଉନ୍ନୟନମୂଳକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

ଜିଲ୍ଲା ଶ୍ରମ ଅଧିକାରୀ ବିକାଶ କୁମାର ନାୟକ ଉପସ୍ଥିତ ରହି ଶିଶୁ ଶ୍ରମ ନିରୋଧ ସମ୍ପର୍କିତ ସରକାରୀ ଆଇନ ଓ ବ୍ୟବସ୍ଥା ବିଷୟରେ ଗ୍ରାମବାସୀ ଓ ଲୋକପ୍ରତିନିଧିଙ୍କୁ ସଚେତନ କରାଇଥିଲେ। ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ବେହେରା, ସମିତି ସଭ୍ୟ, ଏମ୍ବିକେ, ବ୍ୟାଙ୍କ ମିତ୍ର, ସିଆର୍ପି, ମହିଳା ଗୋଷ୍ଠୀ ସଦସ୍ୟ, ପଞ୍ଚାୟତ କର୍ମଚାରୀ ଓ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

ସେହିପରି ପୂବୁସାହି ପଞ୍ଚାୟତରେ ସରପଞ୍ଚ ସଂଘମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ଜେନା ଉପସ୍ଥିତ ଲୋକଙ୍କୁ ଶପଥ ପାଠ କରାଇବା ସହ ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ଗଠନ ପାଇଁ ସଂକଳ୍ପ ନିଆଯାଇଥିଲା। ଏଡିଇଓ ଯଶୋଦା ଦେଇ, ମହିଳା ମହାସଂଘ ସଭାନେତ୍ରୀ ସୁକାନ୍ତି ସାହୁ ଓ ଏମ୍ବିକେ ଦମୟନ୍ତୀ ଛୋଟରାୟଙ୍କ ସମେତ ବିଭିନ୍ନ ବର୍ଗର ପ୍ରତିନିଧି ଉପସ୍ଥିତ ଥିଲେ।
ବାଜପୁର ପଞ୍ଚାୟତରେ ସରପଞ୍ଚ କେଦାରଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଜିତ ବିଶ୍ୱାଳଙ୍କ ସମେତ ସମସ୍ତ ଲୋକପ୍ରତିନିଧି ଓ ମହିଳା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଏଠାରେ ମଧ୍ୟ ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ଗଠନ ସହିତ ବିଭିନ୍ନ ଉନ୍ନୟନମୂଳକ ବିଷୟରେ ଆଲୋଚନା ହୋଇଥିଲା।

ଅନୁରୂପ ଭାବେ ବରସାହି ପଞ୍ଚାୟତରେ ସରପଞ୍ଚ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଆୟେଷା ପାଇକରାୟ, ଜିଲ୍ଲା ଶ୍ରମ ଅଧିକାରୀ ବିକାଶ କୁମାର ନାୟକ, ମହିଳା ମହାସଂଘ ସଭାନେତ୍ରୀ ଝୁନୁଲତା ମୁଦୁଲି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଏମ୍ବିକେ ଜ୍ୟୋତିର୍ମୟୀ ବେହେରା, ସାମାଜିକ କର୍ମୀ ଅର୍ଜୁନ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇଥିଲେ। ଗ୍ରାମସଭାରେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ସ୍ୱଚ୍ଛତା ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ଗାନ୍ଧୀ ଜୟନ୍ତୀ ଅବସରରେ ଚାରିଟି ପଞ୍ଚାୟତରେ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ଭଳି ସାମାଜିକ ସମସ୍ୟା ବିରୋଧରେ ନିଆଯାଇଥିବା ଏହି ସାମୂହିକ ସଂକଳ୍ପକୁ ଗ୍ରାମବାସୀମାନେ ସ୍ୱାଗତ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
