ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଘଟଣ; ପିଇଟି ନିଲମ୍ବିତ, ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପାଇଁ ସୁପାରିସ

Advertisement

ଦିଲ୍ଲୀପ କୁମାର ପଟ୍ଟନାୟକ

ଖୋର୍ଦ୍ଧା, ୨୯/୯: ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ହେଉଛନ୍ତି ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ ସାହୁ। ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ସ୍ଥିତ ପିଏମ୍‌ଶ୍ରୀ ଚିନ୍ତାମଣି ବିଦ୍ୟାଳୟ ନିକଟରେ ଏହି ଅଘଟଣ ଘଟିଛି। ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ଓ ସମ୍ପର୍କୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତଦାରଖ ଏବଂ ପିଲାମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ୱର ସହ ନେଇ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବାଲିପାଟଣା ଆଦର୍ଶ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ (ପିଇଟି) ସୁନିଲ ପଣ୍ଡାଙ୍କୁ ନିଲମ୍ବନ କରାଯାଇଥିବାବେଳେ ନରଣଗଡ଼ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ପ୍ରତାପ ମିଶ୍ରଙ୍କ ନିଲମ୍ବନ ପାଇଁ ସୁପାରିସ କରାଯାଇଛି। ଏଥିସହ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।

ସୂଚନା ଅନୁଯାୟୀ, ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟାଳୟ ପରିସରରେ ସୋମବାରଠାରୁ ଜିଲ୍ଲାସ୍ତରୀୟ ଆଥଲେଟିକ୍ ମିଟ୍ ଆରମ୍ଭ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବାଲିପାଟଣା ଆଦର୍ଶ ବିଦ୍ୟାଳୟରୁ ଅର୍ଣ୍ଣବଙ୍କ ସମେତ ୮ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ।

ମଙ୍ଗଳବାର ସକାଳେ ଅର୍ଣ୍ଣବ ବିଦ୍ୟାଳୟ ନିକଟସ୍ଥ ଏକ ପୋଖରୀକୁ ଯାଇଥିବାବେଳେ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ତାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଦୁଃଖଦ ଖବର ପାଇବା ପରେ ଅର୍ଣ୍ଣବଙ୍କ ପରିବାରବର୍ଗ ଓ ସମ୍ପର୍କୀୟ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ। ଘଟଣାକୁ ନେଇ ସେମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ରହଣି, ଯାତାୟାତ ଓ ତଦାରଖ ବ୍ୟବସ୍ଥା କିପରି ଥିଲା, ତାହାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଚିକିତ୍ସାଳୟରେ ପହଞ୍ଚିଥିଲେ। ଘଟଣାକୁ ନେଇ ଚିକିତ୍ସାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ରମେଶ କୁମାର ଦେବତା ଓ ଏସ୍‌ଡିପିଓ ପଙ୍କଜ କୁମାର ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ଯାଞ୍ଚ କରିଥିଲା।

ମୃତ ଛାତ୍ରଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ଏହାସହ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ବ୍ୟବଚ୍ଛେଦ ପରେ ଅର୍ଣ୍ଣବଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ଏପରି ଦୁଃଖଦ ଘଟଣା ମଧ୍ୟରେ ଖୋର୍ଦ୍ଧା ତହସିଲଦାର ବିଭାସ ପାଣିଗ୍ରାହୀ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ରେଡକ୍ରସ୍ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରିବାରକୁ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବା କ୍ଷେତ୍ରରେ ମଧ୍ୟ ଆବଶ୍ୟକ ସହଯୋଗ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

ଅନ୍ୟପକ୍ଷରେ, ଛାତ୍ରଙ୍କ ମୃତ୍ୟୁ ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗକୁ ଆଧାର କରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ପଦକ୍ଷେପ ନିଆଯାଇଛି। ବାଲିପାଟଣା ଆଦର୍ଶ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁନିଲ ପଣ୍ଡାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି। ନରଣଗଡ଼ସ୍ଥିତ ପିଏମ୍‌ଶ୍ରୀ ଚିନ୍ତାମଣି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ପ୍ରତାପ ମିଶ୍ରଙ୍କୁ ନିଲମ୍ବନ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି। ଏଥିସହ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲୀପ କୁମାର ମୋଦୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଛାତ୍ରଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ତଦାରଖ ପାଇଁ କି ପ୍ରକାର ବ୍ୟବସ୍ଥା ହୋଇଥିଲା, ଛାତ୍ର ଜଣକ କିପରି ପୋଖରୀ ନିକଟକୁ ଗଲେ ଏବଂ ଏଭଳି ଅଘଟଣକୁ ରୋକିବା ପାଇଁ କେଉଁ ପଦକ୍ଷେପ ନିଆଯାଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା କ୍ରୀଡ଼ା ପ୍ରତିଯୋଗିତା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଦାୟିତ୍ୱ ନିର୍ବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛିଡ଼ା କରିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *