ରାଜ ସୁନାଖଳା: (୮/୧୨): – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ଉଚ୍ଚ ବିଦ୍ୟାଳୟର ୧୯୮୫ ମେଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଜସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ରନାଥ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ସେତେବେଳର ଗୁରୁ-ଶିଷ୍ୟ ପରମ୍ପରା କେତେ ମହାନ୍ ଛଳ ଛଳ ଆଖିରେ ବର୍ଣ୍ଣନା କରିଥିଲେ ଏବଂ ବିଦ୍ୟାଳୟର ପୁରାତନ କୃତି ଛାତ୍ର ଗୋଦାବରୀ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ ସେତେବେଳର ଶିକ୍ଷା ପଦ୍ଧତି, ଅନୁଶାସନ ଓ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଉପରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମର ଆବାହକ ସନ୍ତୋଷ କୁମାର ବେହେରାଙ୍କ ଉଦ୍ୟମରେ ଦୀର୍ଘ ୪୦ ବର୍ଷ ପରେ ଅନେକ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ଏବଂ ଏହା ଅତ୍ୟନ୍ତ ଭାବବିହ୍ଵଳପୁର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା । ଏହି ୧୯୮୫ ମେଟ୍ରିକ ବ୍ୟାଚ୍ ର କୃତି ଛାତ୍ର ତଥା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅତିରିକ୍ତ ସଚିବ କୃଷ୍ଣ ଚନ୍ଦ୍ର ଶତପଥୀଙ୍କ ଆବେଗପୁର୍ଣ୍ଣ ସଙ୍ଗୀତ ସହିତ ଦିକ୍ଷାନ୍ତ ଅଭିଭାଷଣ ସ୍ମୃତି ଚାରଣ ସଭାକୁ ରୁଦ୍ଧିମନ୍ତ କରିଥିଲା।

ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଜ୍ଞାନ ପ୍ରକାଶ ବାରିକ ସଂଯୋଜନା କରିଥିଲେ I ସୁରେନ୍ଦ୍ର କୁମାର ସାହୁ, ପର୍ଶୁରାମ ନାୟକ, ବିଜୟ ମହାନ୍ତି, ପ୍ରଭାସିନୀ ମିଶ୍ର, ଜ୍ୟୋତ୍ସ୍ନା ପ୍ରଧାନ, ରଜନିକାନ୍ତ ପରିଡା, ଅନ୍ତର୍ଯ୍ୟାମୀ ବିଶ୍ଵାଳ, ପ୍ରଭାତ ମିଶ୍ର, କୋକିଳ ଦାଶ, ଜ୍ୟୋତ୍ସ୍ନା ସ୍ଵାଇଁ, ପ୍ରତିମା ସାହୁ, ରଞ୍ଜନ ସ୍ୱାଇଁ, ବିଳାସ ସାହୁ, ରତ୍ନ ମଞ୍ଜରୀ ମହାନ୍ତି, ଯମୁନା ସାହୁ ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ। ଶେଷରେ ସଙ୍ଗୀତ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
