ଶଙ୍କର ପୃଷ୍ଟିର ଦୁଇ ସହଯୋଗୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଉଲ୍ଲସିତ
ଏହି ସ୍କାମ୍ର ହିଷ୍ଟ୍ରି ଟ୍ରେଲ୍କୁ ଟ୍ରାକ କରିବା ମୁଡ୍ରେ କ୍ରାଇମବ୍ରାଞ୍ଚ ନାହିଁ
ଆଉଟ୍କ୍ସୋସିଂ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ କି ନାହିଁ ?
ଭୁବନେଶ୍ବର,( ୧୭/୧୦): -ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ କେବଳ ବଡ଼ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି । ପ୍ରାୟ ୨୫୦ କୋଟି ଟଙ୍କାର ଏହି ନିଯୁକ୍ତି ସ୍କାମ୍ରେ ସରକାରୀ ଦଳ ଓ ପୋଲିସ୍ ବିଭାଗର ଅନେକ ବଡ଼ମୁଣ୍ଡ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ତଳତଳିଆଙ୍କୁ ଧରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ କହିଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ନିଯୁକ୍ତି କେଳେଙ୍କାରୀର ଜଣେ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ୨ ସହଯୋଗୀ ଯଥା, ମୁନା ମହାନ୍ତି ଓ ରିଙ୍କୁ ମହାରଣାଙ୍କୁ ଘଟଣାର ୩ ସପ୍ତାହ ପରେ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଉଲ୍ଲସିତ। କ୍ରାଇମବ୍ରାଞ୍ଚର ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨ ସହଯୋଗୀଙ୍କ ଗିରଫରେ ଉଲ୍ଲସିତ ହେଉଥିଲେ। ଗଣମାଧ୍ୟମର ପ୍ରତିନିଧୂ ଯେତେବେଳେ ଏହି ଘଟଣାର ହିଷ୍ଟ୍ରି ଟ୍ରେଲ୍ ବା ସମ୍ପୃକ୍ତ ଥିବା ଅନ୍ୟ ବଡ଼ମୁଣ୍ଡକୁ କେବେ ଖୋଜିବେ ବୋଲି ପ୍ରଶ୍ନ କରିଥିଲେ, ଡିଜି ମହୋଦୟ ଟିକେ ହସି ଦେଇ କହିଥିଲେ, ତାକୁ ଆପଣ ଖୋଜନ୍ତୁ । ଡିଜିଙ୍କ ଉତ୍ତର ଶୁଣି କେବଳ ଆମେ ନୁହେଁ, ସମଗ୍ର ଓଡିଶା ଆଶ୍ଚର୍ଯ୍ୟ। ଏଥିରୁ ସ୍ପଷ୍ଟ ହେଉଛି ଯେ, କ୍ରାଇମବ୍ରାଞ୍ଚର ଅନୁସନ୍ଧାନ କେବଳ ତଳତଳିଆଙ୍କୁ ଧରି ଘଟଣାକୁ ଚପାଇ ଦେବା ପାଇଁ ବୋଲି ଡ଼ ମହାନ୍ତି କହିଥିଲେ, ପ୍ରାୟ ୯୩୩ ଜଣ ପୋଲିସ୍ ଏସ୍ଆଇ ନିଯୁକ୍ତି ପାଇଁ ଓପିଆରବିର ଦାୟିତ୍ଵ ଥିବାବେଳେ ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା। ପରେ ଆଇଟିଆଇ ସିଲିକନ ଟେକ୍ଲାବ୍କୁ ପ୍ରଦାନ କରିଥିଲା ଏବଂ ସିଲିକନ ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଆଉସୋସିଂ କରିଥିଲା। ରାଜ୍ୟ ପୋଲିସ୍ ବିଭାଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ଥିବାବେଳେ, ଏହି ଆଉଟ୍ସୋସିଂ କିପରି ହୋଇପାରିଲା ? ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ଵୀକୃତି ପାଇଛି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ। ସେହିପରି ପୋଲିସ୍ ବିଭାଗର ବଡ଼ ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ । କ୍ରାଇମବ୍ରାଞ୍ଚର ତଦନ୍ତ ଏ ଦିଗ ଗୁଡିକ ସ୍ପର୍ଶ କରୁନାହିଁ, ଯେଉଁଥୁରୁ ବଡ଼ ବଡ଼ ମୁଣ୍ଡକୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସ୍ପଷ୍ଟ ଜଣାପଡୁଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
