ଖୋର୍ଦ୍ଧା,୨୩ା୯: ମଙ୍ଗଳବାର ଖୋର୍ଦ୍ଧା ଅବକାରୀ ପୋଲିସ ୧୬ନଂ ଜାତୀୟ ରାଜପଥ ପ।ର୍ଶ୍ଵସ୍ଥ କୁରାଢମଲ୍ଲ ୟୁପି ସ୍କୁଲ ନିକଟରେ ଚଢଉ କରି ୨୮ଗ୍ରାମ ବ୍ରାଉନସୁଗାର ସହ ଜଣେ ବେପାରୀଙ୍କୁ ଗିରଫ କରିଛି । ଏନେଇ ଅବକାରୀ ଥାନରେ ଏନଡିିପିଏସ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ଗିରଫ ଜଣକ ହେଲେ କୁରାଢମଲ୍ଲ ର ପ୍ରଦୀପ୍ତ ବଳିୟାରସିଂହ ଓରଫ ଫକିରା (୩୫) ।
ମିଳିଥିବା ସୂଚନା ପ୍ରକାରେ ଫକିରା ସ୍କୁଲ ନିକଟରେ ବ୍ରାଉନସୁଗାର ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିବା ଖବରପାଇ ଅବକାରୀ ଏସଆଇ ସୁଦର୍ଶନ ବିଶୋଇ ଏକ ଟିମ ସହ ଚଢଉ କରିଥିଲେ । ତାଙ୍କ ଠାରୁ ୨୮ଗ୍ରାମ ବ୍ରାଉନସୁଗାର, ଏକ ବାଇକ୍ (ଓଆର.୦୨ବିଏଲ-୯୯୭୪), ନଗଦ ୨୭୫୦ ଟଙ୍କା ଓ ଏକ ମୋବାଇଲ ଫୋନ୍ କୁ ଜବତ କରିଛି । ଗିରଫ ଫକିରା କୁ ଅବକାରୀ ପୁଲିସ କୋର୍ଟଚାଲାଣ କରିଛି ।

ପ୍ରକାଶ ଥାଉକି, ଖୋର୍ଦ୍ଧା ବ୍ରାଉନସୁଗାର କାରବାର ପେଣ୍ଠସ୍ଥଳୀ ପାଲଟିଛି । ବାରମ୍ବାର ଚଢଉ ସତ୍ୱେ ଏଥିରେ କୌଣସି ପ୍ରଭାବ ପଡୁନାହିଁ ବରଂ ଥମିବା ପରିବର୍ତେ ବଢି ଚାଲିଛି । ସହର ଗଳିକନ୍ଦିରେ ଏହାର ବେପାର ଚାଲିଛି । ଏଥିରେ ଏକ ରାକେଟ କାମ କରୁଛି । ବାହାର ରାଜ୍ୟ ଓ ଜିଲାରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଂଚୁଛି । ଏଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଏପରିକି ପଡୋଶୀ ଜିଲାକୁ ମଧ୍ୟ ପଠାଯାଉଛି । ପୋଲିସ ଓ ଅବକାରୀ ଟିମ୍ ଡାଳେ ଡାଳେ ଗଲେ ବେପାରୀ ମାନେ ପତ୍ରେ ପତ୍ରେ ଦେଇ ଚାଲିଛନ୍ତି । ପାନଦୋକାନ, ପରିବା, ମୋବାଇଲ ପ୍ରଭୃତି ବିଭିନ୍ନ ଦୋକାନ ଆଳରେ ବ୍ରାଉନସୁଗାର କାରବାର ଚାଲିଛି । ଏଠାରୁ ବିିଭିନ୍ନ ରାକେଟ ମାଧ୍ୟମରେ ଛୋଟ ଛୋଟ ବେପାରୀଙ୍କୁ ଦିଆଯାଉଛି । ଏମାନେ ଛୋଟ ପୁଡିଆ କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ନିୟମିତ ବ୍ୟବଧାନରେ ପୋଲିସ, ଅବକାରୀ, ଏସଟିଏଫ ପକ୍ଷରୁ ଧରପଗଡ ଚାଲିଛି । ତଥାପି ଏହା ଏପରି ବ୍ୟାପିଲାଣି ଯେ, ଯେତିକି ଧରା ହେଉଛି, ସେତିକ ବଢୁଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
