ଖୋର୍ଦ୍ଧା ;- ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ସୋନାଲି ସାହୁ ମୁକୁନ୍ଦ ପ୍ରସାଦ ସ୍ଥିତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭସ୍ମାସୁର ବୋଲି କହିଛନ୍ତି ।
ଗତକାଲି ଖୋର୍ଦ୍ଧାସ୍ଥିତ ତାପଙ୍ଗ ଠାରେ ଅବସ୍ଥିତ କଳିଙ୍ଗ ଖଣିରୁ ଏକ ଯୁବତୀଙ୍କ ଗଳିତ ଶବ ବାହାରିବାକୁ କେନ୍ଦ୍ରକରି ଶ୍ରୀମତୀ ସାହୁ କହିଛନ୍ତି ଯେ , ଦୀର୍ଘ ୧୫ ମାସ ଧରି ଖୋର୍ଦ୍ଧାର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏହି ଭିତରେ ଗତ ଗଳିତ ଶବକୁ ମିଶାଇ 5 ଟି ଶବ ଉକ୍ତ ଅଞ୍ଚଳରେ ଥିବା ଖଣିରୁ ମିଳିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ଅପରାଧୀ ମାନେ ଖୋର୍ଦ୍ଧାକୁ ସେମାନଙ୍କ ପାଇଁ ଏକ ସୁରକ୍ଷିତ ଜାଗା ମଣୁଛନ୍ତି , ହତ୍ୟାକରି ଶବକୁ ବେଧଡକ ଭାବେ ଏଠାରେ ଥିବା ଖଣିରେ ଫୋପାଡ଼ି ଖସି ଯିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହଁ ଡ୍ରଗ୍ସ , ହିରୋଇନ , ଗଞ୍ଜେଇ , ମାରିଯୁଆନ ଭଳି ନିଶାଦ୍ରବ୍ୟ କାରବାରର ହବ ପାଲଟିଛି ଖୋରଧା ଅଞ୍ଚଳ । ଏହି ଠାରୁ ସାରା ଓଡିଶାକୁ ନିଶାଦ୍ରବ୍ୟ ବେପରର ଚେର ଲମ୍ବିଛି ,ବିହାରୀ ବନ୍ଧୁକ ବେପାରୀ ମଧ୍ୟ ଖୋର୍ଦ୍ଧାରୁ ଚୋରା ବନ୍ଧୁକ ସାରା ରାଜ୍ୟକୁ ଚାଲାଣ କରୁଛନ୍ତି ବୋଲି କହିଛନ୍ତି ଶ୍ରୀମତୀ ସାହୁ ।

ଏହି ସବୁ ଦୁର୍ନୀତି ଭ୍ରଷ୍ଟାଚାର ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାର ବିଧାୟକ ହେବା ପରେ ହିଁ ମାତ୍ରାଧିକ ବଢିଛି ।ଖୋର୍ଦ୍ଧାବାସୀ ଏବେ ପ୍ରଶାନ୍ତ ଜଗଦେବଙ୍କ ଏପରି ଅରାଜକତା , ଭ୍ରଷ୍ଟାଚାର, ଦୁର୍ନୀତି , ଗୁଣ୍ଡାଗରଦିରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକିଲେଣି ।
ଖଣି ମାଫିଆ , ଜମି ମାଫିଆ , ପାଣି ମାଫିଆ , ଡ୍ରଗ୍ସ ମାଫିଆ , ଚୋରା ବନ୍ଧୁକ ମାଫିଆଙ୍କ ସହିତ ପ୍ରଶାନ୍ତ ଜଗଦେବଙ୍କର କଣ ଏମିତି ସମ୍ପର୍କ ରହିଛି ଯେ ବିଧାୟକ ସମ୍ପୂର୍ଣ୍ଣ ନିରବ ଅଛନ୍ତି । ବିଧାୟକ କୋଉ ରାଗ ଖୋର୍ଦ୍ଧାବାସୀଙ୍କ ଉପରେ ସୁଝାଉଛନ୍ତି ? ଖୋର୍ଦ୍ଧାକୁ , ଖୋର୍ଦ୍ଧାର ଐତିହ୍ୟକୁ , ଖୋର୍ଦ୍ଧାର ଭାଇଚାରା , ଶାନ୍ତିକୁ ସମୂଳେ ଧ୍ୱଂସ କରିବାକୁ ବିଧାୟକ ଏବେ ଭସ୍ମାସୁର ସାଜିଛନ୍ତି ବୋଲି ସୋନାଲି ଅଭିଯୋଗ କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
