ଆଜି ବିଶ୍ୱ ସର୍ପ ଦିବସ:
ବର୍ଷାଋତୁରେ ବଢୁଛି ସାପ କାମୁଡା ମାମଲା;
ଅନ୍ଧବିଶ୍ୱାସ ଯୋଗୁ ଚାଲିଯାଉଛି ବହୁ  ଅମୂଲ୍ୟ ଜୀବନ

ବର୍ଷକରେ ଡିଏଚ୍ଏଚ୍ ରେ ଚିକିତ୍ସିତ ହୋଇଛନ୍ତି ୧୫୮ଜଣ, ୩ବର୍ଷ ରେ ୩୯ଜଣଙ୍କ ମୃତ୍ୟୁ ହୋଇଛି

ଖୋର୍ଦ୍ଧା: – ବର୍ଷା ଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ସରୀସୃପମାନେ ଘର ମୁହାଁ ହୋଇଥାନ୍ତି । ବିଶେଷ କରି ଗ୍ରାମାଂଚଳରେ ପ୍ରାୟ ଚାଳ ଛପର ଓ ଟିଣ ଘର ରହିଥିବାରୁ ସାପମାନେ ଘର ଭିତରକୁ ପ୍ରବେଶ କରିଥାନ୍ତି । ଲୋକମାନେ ବିଷଧର ସାପମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ସାପକୁ ମାରି ଦେଉଥିବାବେଳେ ସାପ କାମୁଡ଼ାରେ ବହୁ ନୀରିହ ଜୀବନ ମଧ୍ୟ ଅକାଳରେ ଝଡ଼ି ପଡୁଥିବା ଶୁଣିବାକୁ ମିଳୁଛି ।
  ସାପ କାମୁଡ଼ିବା ମାତ୍ରେ ଯଦି ସଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆଯାଏ ତେବେ ଆବଶ୍ୟକ ଚିକିତ୍ସା ସହ ସାପ ବିଷକୁ ପ୍ରତିହତ କରିପାରୁଥିବା ଇନଞ୍ଜେକସନ ରୋଗୀ ପାଇଲେ ସୁସ୍ଥ ହୋଇ ଯାଆନ୍ତେ । କିନ୍ତୁ ଗ୍ରାମାଂଚଳରେ ଅଧିକାଂଶ ସାପ କାମୁଡା ଘଟଣା ଘଟୁଥିବା ବେଳେ ଗ୍ରାମାଂଚଳର ଲୋକମାନେ ଡାକ୍ତରଖାନା ଅପେକ୍ଷା ଦେହରୁ ବିଷ ବାହାର କରିବା ପାଇଁ ନିକଟସ୍ଥ ଗୁଣିଆ କିମ୍ବା କ୍ୱାକ୍ (ଘରୋଇ ବୈଦ୍ୟ) ମାନଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି । ଯାହା ଫଳରେ ଅନେକ ସମୟରେ ସାପ କାମୁଡିଥିବା ବ୍ୟକ୍ତି ଅନ୍ଧ ବିଶ୍ୱାସର ଜାଲରେ ଫସି ଡାକ୍ତରଖାନା ଅସିବା ବେଳକୁ ତାର ମୃତୁ୍ୟ ହୋଇଯାଉଥିବା ଅଭିଯୋଗ ହେଉଛି । ବିଶେଷ କରି ଜୁନ୍ ମାସ ଦ୍ୱିତୀୟ ସପ୍ତାହରୁ ମୌସୁମୀର ଆଗମନ ହୋଇଥାଏ । ବର୍ଷସାରା ସାପ କାମୁଡ଼ିବା ରୋଗୀ ଡାକ୍ତରଖାନା ଆସୁଥିବା ବେଳେ ଏହି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବହୁତ ବଢିଯାଏ । ସେପ୍ଟେମ୍ୱର ମାସ ପର୍ଯ୍ୟନ୍ତ ସାପ କାମୁଡା ମାମଲା ଆସୁଥିବାରୁ ଡାକ୍ତରଖାନା ପକ୍ଷରୁ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରାଯାଇଥାଏ । କିନ୍ତୁ ଗ୍ରାମାଂଚଳ ତଥା ଆଦିବାସୀ ଓ ଉପାନ୍ତ ଅଂଚଳର ଲୋକମାନେ ଡାକ୍ତରଖାନା ଅପେକ୍ଷା ଅଧିକାଂଶ ସ୍ଥାନରେ ସ୍ଥାନୀୟ ଗୁଣିଆ ବା ଘରୋଇ ବୈଦ୍ୟମାନଙ୍କୁ ଗୁରତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ବର୍ଷାଋତୁ ଆସିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସାପର ବିଷ କାଟିବା ପାଇଁ ଡାକ୍ତରଖାନାରେ ଇଞ୍ଜେକ୍ସନ୍ ମହଜୁଦ ରଖାଯାଇଥାଏ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଖୋର୍ଦ୍ଧା ଜିଲ୍ଲା ସମେତ ପଡୋଶୀ କଟକ, ନୟାାଗଡ ଓ ପୁରୀ ଜିଲ୍ଲାର କେତେକ ଅଂଚଳରୁ ସିଧାସଳଖ ମଧ୍ୟ ସାପ କାମୁଡା ବ୍ୟକ୍ତି ଭର୍ତି ହୁଅନ୍ତି ।  ଖୋର୍ଦ୍ଧା ସହର ଓ ଉପକଣ୍ଠରେ ଆଇସିୟୁ୍ୟ ଥିବା ଡାକ୍ତରଖାନା ଅଭାବ ଥିବାରୁ ଡିଏଚ୍ଏଚ୍ କୁ ଆସୁଥିବା ସାପ କାମୁଡା ରୋଗୀଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରୁଛନ୍ତି । ଉକ୍ତ ସମୟରେ ରାସ୍ତାରେ କିଛି ରୋଗୀଙ୍କ ମୃତୁ ହେଉଛି ।ମେଡିକାଲ ରେ ଆଇସିୟୁ୍ୟ ବ୍ୟବସ୍ଥା କରାଯାଇ ଗୋଲଡେନ ଆୱାର ଭିତରେ ଚିକିତ୍ସା କରାଗଲେ ସାପ କାମୁଡା ରୋଗୀ ଉପକୃତ ହୋଇପାରନ୍ତେ ।

Advertisement


  ଅନ୍ୟପକ୍ଷରରେ ଗତ ୨୦୨୪ ଏପ୍ରିଲ ମାସରୁ ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ୧୫୮ଜଣଙ୍କୁ ସାପ କାମୁଡ଼ି ଖୋର୍ଦ୍ଧା ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ୨୦୨୪ ଏପ୍ରିଲ ମାସରେ ୧୫ଜଣ, ମେ ମାସରେ ୪ଜଣ, ଜୁନ ରେ ୫ଜଣ, ଜୁଲାଇ ରେ ୪ଜଣ, ଅଗଷ୍ଟ ରେ ୬ଜଣ, ସେପ୍ଟେମ୍ବର ରେ ୧୩ଜଣ, ଅକ୍ଟୋବର ରେ ୧୦ଜଣ, ନଭେମ୍ବର ରେ ୧୧ଜଣ, ଡିସେମ୍ବର ରେ ୮ଜଣ, ଏବଂ ଚଳିତ ବର୍ଷ ଜାନୁୟାରୀ ମାସରେ ୨୮ଜଣ, ଫେବୃୟାରୀ ରେ ୧୧ଜଣ, ମାର୍ଚ୍ଚ ରେ ୮, ଏପ୍ରିଲ ରେ ୭ଜଣ, ମେ ମାସ ରେ ୯ଜଣ ହୋଇଥିବାବେଳେ ଜୁନ୍ ମାସରେ ୧୯ଜଣ  ସାପ କାମୁଡ଼ା ରୋଗୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ।


  ତେବେ ସଚେତନତା ଅଭାବରୁ ବହୁ ସ୍ଥାନରେ ସାପ କାମୁଡା ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ତଥ୍ୟ ଅନୁଯାୟୀ ଗତ ୨୦୨୩ବର୍ଷ ରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହିକ୍ରମରେ ୨୦୨୪ରେ ୧୫ଜଣଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *