ଖୋର୍ଦ୍ଧା : – କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ସମେତ ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମରେ ଅଚିହ୍ନା ରୋଗ ଗ୍ରାସ କରିଛି। କୁକୁଡ଼ା ଗୁଡ଼ିକ ହଜାର ହଜାର ସଂଖ୍ୟାରେ ମରୁଥିଲେ। ଫଳରେ ଗୋଟିଏ ଗୋଟିଏ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହୋଇଯାଇଥିଲେ।
ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଖୋର୍ଦ୍ଧା ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ ଙ୍କ ସମେତ ଅନ୍ୟ ପଶୁ ଚିକିତ୍ସକ ଆସି ଜଙ୍କିଆରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ। ରିପୋର୍ଟରୁ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହେବା ପରେ ଆଜି ଅତିରିକ୍ତ ପ୍ରାଣୀ ନିର୍ଦ୍ଦେଶକ ମିହିର ନାୟକ, କଟକ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ରବି ନାରାୟଣ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ, କଟକ ତିଗିରିଆ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ଦାସ, ବାଲିପାଟଣା ପ୍ରାଣୀ ଚିକିତ୍ସକ ପ୍ରିତମ ପ୍ରିତିମାନ ପଣ୍ଡା ଓ କନ୍ଧମାଳ,ଟାଙ୍ଗୀ,ସିକୋ, ବେଗୁନିଆ, ଆଠଗଡ ଆଦି ପ୍ରାଣୀ ଚିକିତ୍ସକଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ କର୍ମଚାରୀ ଜଂକିଆ ରେ ମୁଣ୍ଡାଆମ୍ବ ଅଂଚଳରେ ଥିବା ଏକ କୁକୁଡ଼ା ଫାର୍ମ ରେ ପହଞ୍ଚି ୪୫୦୭ କୁକୁଡ଼ା ମାରି ଥିବାବେଳେ ରଖାଯାଇଥିବା ୧୬ଶହ କେଜି କୁକୁଡ଼ା ଦାନାକୁ ନଷ୍ଟ କରିଥିଲେ। ମଲା କୁକୁଡ଼ା ଓ ଦାନା କୁ ଜେସିବିରେ ଏକ ଗାତ ଖୋଳି ପୋତ ଯାଇଥିବା ଜଣାପଡିଛି।

ପ୍ରକାଶ ଥାଉ କି ଗତ କିଛି ଦିନ ହେବ ଖୋର୍ଦ୍ଧା ର ଜଂକିଆ ସମେତ ବେଗୁନିଆ ବୋଲଗଡ ର ଆଖପାଖ ଅଂଚଳରେ ଦୃତ ଗତିରେ କୁକୁଡ଼ା ମଡକ ଘଟଣା ବିଭିନ୍ନ ଗଣମାଧ୍ୟମର ଶୀର୍ଷ ମଣ୍ଡନ କରିଥିଲା। କିଛି କିଛି ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ମୃତ୍ୟୁ ବରଣ କରିବା ପରେ ମାଲିକ ମାନେ ଆଉ କୁକୁଡ଼ା ପକାଇ ନଥିଲେ।କିଛି କିଛି ଫାର୍ମ କୁକୁଡ଼ା ଶୂନ୍ୟ ହୋଇଯାଇଥିଲା। ପ୍ରଥମେ କୁକୁଡ଼ା ଗୁଡ଼ିକ ଘୁମାଇଁ ଘୂମାଇଁ ମରି ଯିବା ଘଟଣା ସମସ୍ତ ଙ୍କୁ ସନ୍ଦେହ ଘେରରେ ରଖିଥିଲା। ନମୁନା ରିପୋର୍ଟ ଆଧାରରେ ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ରବିନାରାୟଣ ପଟ୍ଟନାୟକ ବାର୍ଡ ଫ୍ଲୁ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଏହି ପ୍ରାଣୀ ଚିକିତ୍ସକ ତଥା କୁକୁଡ଼ା ମରା ଅଭିଯାନ ଦକ ଜଂକିଆ ପଂଚାୟତ କାର୍ଯ୍ୟାଳୟରେ ରହିଛନ୍ତି।

ଆସନ୍ତା କାଲି ଅନ୍ୟ ରୋଗ ବ୍ୟାପି ଥିବା କୁକୁଡ଼ା ଫାର୍ମ ଯାଇ କୁକୁଡ଼ା ମରା କାର୍ଯ୍ୟ କରିବେ ବୋଲି ଜଣାପଡିଛି।ଆଗରୁ ବହୁ ଫାର୍ମ କୁକୁଡ଼ା ଶୂନ୍ୟ ହୋଇଯାଇଛି । ସେହି ଫାର୍ମ ମାଲିକଙ୍କୁ କ୍ଷତି ପୂରଣ ଦେବାକୁ ଜନ ସାଧାରଣ ରେ ଦାବି ହେଉଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
