ବିଧାୟକ ପ୍ରକାଶ ସୋରେନଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ କେସ ରୁଜୁ ହେଉ : ବିଜେଡି

ବିଜେପି ବିଧାୟକଙ୍କ ଗାଡି ଚୋରା ଗଞ୍ଜେଇ ଓ ମଦ ଚାଲାଣ ପାଇଁ ବ୍ୟବହାର ହେଉଛି: ବିଜେଡି

ବିଧାୟକଙ୍କୁ ଘଣ୍ଟ ଘୋଡାଇବା ପାଇଁ କୌଣସି କେସ ହୋଇନାହିଁ

Advertisement

ରାଜ୍ୟର ଅଧିକାଂଶ ବିଜେପି ବିଧାୟକ ଏବେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ

ଭୁବନେଶ୍ୱର:- ରାଜଧାନୀ ଭୁବନେଶ୍ବରର ନାଲକୋ ଛଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ଗାଡ଼ିରୁ ଗଞ୍ଜାଇ ଓ ମଦ ଥିବା ସାମାଜିକ ଗଣମାଧ୍ଯମରେ ଭାଇରାଲ ହେବା ପରେ ଆଜି ବିଜୁ ଜନତା ଦଳ ବିଜେପିର ବିଧାୟକ ମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥ‌ିବା ବେଳେ ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି  ସାନନ୍ଦ ମାରାଣ୍ଡି କହିଥିଲେ, ରାଜଧାନୀ ଭୁବନେଶ୍ବରର ଜନଗହଳି ପୂର୍ଶ ନାଲକୋ ଛଳରେ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଦୁର୍ଘଟଣା ବେଳେ ବିଧାୟକ ପ୍ରକାଶ ସୋରେନଙ୍କ ପୁଅ ଓ ତାଙ୍କର ପାଞ୍ଚ ଜଣ ସହଯୋଗୀ ଏହି ଗାଡ଼ିରେ ଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ଯାଇଥିଲେ।

ଦୁର୍ଘଟଣା ସମୟରେ, ବିଧାୟକଙ୍କ ଗାଡ଼ିରେ ମଦ ବୋତଲ ଓ ଗଂଜେଇ ଥିବାର ସ୍ଥାନୀୟ ଜନସାଧାରଣ ଦେଖ‌ିବା ପରେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ, ଯାହା ଭାଇରାଲ ହୋଇଛି। ବିଧାୟକଙ୍କ ଗାଡ଼ିରେ ମଦ ଗଞ୍ଜେଇ ଇତ୍ୟାଦି ଚାଲାଣ ହେବା ଏନଡିପିଏସ ଆଇନର ଉଲଂଘନ ଏବଂ ଏକ ସଂଗୀନ ଅପରାଧ ବିଧାୟକ ପ୍ରକାଶ ସୋରେନ ଏହି ଘଟଣାକୁ ଚାପିଦେବା ଉଦ୍ଦେଶ୍ୟରେ ଘଟଣାକୁ ଅସ୍ବୀକାର କରି ତାଙ୍କ ପୁଅ ଓ ସହଚରମାନଙ୍କୁ କ୍ଲିନଚିଟ ଦେବାକୁ ପ୍ରୟାସ କରୁଛନ୍ତି।

ଶ୍ରୀ ମାରାଣ୍ଡି କହିଥିଲେ, ଏହି ଘଟଣା ଏକ ସଂଗୀନ ଅପରାଧ ହୋଇଥିଲେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଗାଡ଼ିରେ ଉପସ୍ଥିତ ଥିବା ବିଧାୟକଙ୍କ ପୁଅ ଓ ତାଙ୍କ ସହଚର ମାନଙ୍କୁ ତୁରନ୍ତ ଗିରଫ କରି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବୀ କରୁଛି। ବିଧାୟକ ଶ୍ରୀ  ସୋରେନଙ୍କୁ ମଧ୍ୟ ତଦନ୍ତ ପରିସର ଭିତରେ ରଖାଯାଉ। ଶ୍ରୀ ପ୍ରକାଶ ସୋରେନ ମର୍ଯ୍ୟାଦାଜନକ ବାରିପଦା ଆସନର ବିଧାୟକ ଥିବା ବେଳେ, ବାରିପଦା ଅଞ୍ଚଳରେ ବେଆଇନ ଗଞ୍ଜେଇ ଓ ମଦ ବେପାର ଅହେତୁକ ଭାବେ ବୃଦ୍ଧି ପାଇଛି। ରାସ୍ତାରେ ଚେକିଂ’କୁ ଚକମା ଦେବା ପାଇଁ ବିଧାୟକଙ୍କ ବୋର୍ଡ ଲାଗିଥିବା ଗାଡିକୁ ବେଆଇନ ଗଞ୍ଜେଇ ଓ ମଦ ଚାଲାଣ କାମରେ ଲଗା ଯାଉଛି! ତାଙ୍କ ନାମରେ ଥିବା ଗାଡ଼ିଟି ଅବୈଧ କାର୍ଯ୍ୟରେ ବ୍ୟବହାର ହେବା, ନିଶ୍ଚିତ ଭାବେ ଏକ ଗୁରୁତର ବିଷୟ ତେଣୁ, ଏନଡିପିଏସ ଆଇନ ଉଲଂଘନ ମାମଲାରେ କେସ ରୁଜୁ ହେବା ଆବଶ୍ୟକ।

ଶ୍ରୀ ମାରାଣ୍ଡି ଆହୁରି କହିଥିଲେ, କେବଳ ବାରିପଦା ବିଧାୟକ ନୁହେଁ ରାଜ୍ୟର ଅନେକ ବିଜେପି ବିଧାୟକ ଓ ବିଜେପି କର୍ମକର୍ତ୍ତା ଏବେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ହୋଇଛନ୍ତି। ବେଆଇନ ବାଲି ଚାଲାଣ, ବେଆଇନ ଖଣି ଖନନ, ଜୋରା ଗଞ୍ଜେଇ ଓ ମଦ ଚାଲାଣ ଓ ବିଭିନ୍ନ ଅନୁଷ୍ଠାନରୁ ବେଆଇନ ଚାନ୍ଦା ଆଦାୟ କାମରେ ଲିପ୍ତ ଅଛନ୍ତି । ରାଜ୍ୟର ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ଭୟଭୀତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରାଯାଇଛି, ଯାହା ଫଳରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଜଣେ ବ୍ୟକ୍ତି ତାଙ୍କ ପଦର ଦୁରୂପଯୋଗ ନକରି ଯେପରି ଆଇନକୁ ଫାଙ୍କି ନଦିଅନ୍ତୁ, ସେପ୍ରତି ମୁଖ୍ୟମନ୍ତ୍ରୀ ଓ ଡିଜିପି ଯତ୍ନବାନ ହୁଅନ୍ତୁ । ଏହି ଘଟଣାରେ ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନହୁଏ, ତାହେଲେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *