ଖୋର୍ଦ୍ଧାରେ ଦ୍ୱାବିଂଶତମ ଜିଲ୍ଲାସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ-୨୦୨୬ ଅନୁଷ୍ଠିତ
ଖୋର୍ଦ୍ଧା:- ନଭେମ୍ୱର ୯ :-ଜଣେ ନାରୀ ନିଜ ସନ୍ତାନକୁ ଜଣେ ସୁନାଗରିକ ତଥା ଉତ୍ତମ ମଣିଷ ଭାବେ ଗଢ଼ିତୋଳିବାକୁ ହେଲେ ତାଙ୍କ ଜୀବନରେ ଧୈର୍ଯ୍ୟ, ସହନଶୀଳତା, ନିଷ୍ଠାପର ସାଧନା ଓ ମାନସିକ ସ୍ଥିରତାର ଗୁଣ ରହିବା ଅତ୍ୟନ୍ତ ଆବଶ୍ୟକ। ପରିବାର ଗଠନଠାରୁ ଆରମ୍ଭ କରି ସମାଜ ନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ନାରୀର ଆଧ୍ୟାତ୍ମିକ ଚେତନା, ମାନସିକ ଶାନ୍ତି ଓ ବ୍ୟକ୍ତିତ୍ୱ ବିକାଶକୁ ନେଇ ଅଧିକ ବ୍ୟାପକ ଚିନ୍ତନ ଓ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଖୋର୍ଦ୍ଧାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ଦ୍ୱାବିଂଶତମ ଜିଲ୍ଲାସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ-୨୦୨୬ରେ ମତ ପ୍ରକାଶ ପାଇଛି।

ଏହି ସମ୍ମିଳନୀରେ ଶିକ୍ଷାକେନ୍ଦ୍ରର ଅପା ଓ ଭାଇ, ମହିଳା ପାଠଚକ୍ରର ସଦସ୍ୟା ଏବଂ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମାଆମାନଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ। ଆଧ୍ୟାତ୍ମିକ ଚେତନାର ଜାଗରଣ ସହ ନାରୀ ଜୀବନରେ ଶାନ୍ତି, ସ୍ଥିରତା ଓ ସହନଶୀଳତାର ମହତ୍ତ୍ୱ ସମ୍ପର୍କରେ ଏଠାରେ ଗଭୀର ଆଲୋଚନା ହୋଇଥିଲା।
ସମ୍ମିଳନୀର ମୁଖ୍ୟ ଅତିଥି ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ପ୍ରଥମେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଆରମ୍ଭ ହୋଇଥିବା ଆଲୋଚନାଚକ୍ରରେ ବିଭିନ୍ନ ବକ୍ତା ନାରୀ ଜୀବନର ଆଧ୍ୟାତ୍ମିକ ଓ ନୈତିକ ଦିଗ ଉପରେ ନିଜସ୍ୱ ମତ ରଖିଥିଲେ।
ସ୍ମିତା କାନୁନଗୋ ‘ସହନଶୀଳତା ଏକ ସାଧନା’ ଶୀର୍ଷକ ବିଷୟ ଉପରେ ଆଲୋକପାତ କରି ସହନଶୀଳତାକୁ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଗୁଣ ଭାବେ ବର୍ଣ୍ଣନା କରିଥିଲେ। ସେହିପରି ପ୍ରବୀଣ ବାଗ୍ମୀ ତଥା ମାତୃସାଧିକା ଅପର୍ଣ୍ଣା ସାମନ୍ତରାୟ ମନରେ ଶାନ୍ତି କିପରି ପ୍ରତିଷ୍ଠା କରାଯାଇପାରିବ, ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଶାନ୍ତି ମହାନ୍ତି ପୂର୍ଣ୍ଣଯୋଗ ମାଧ୍ୟମରେ ମାନସିକ ଶାନ୍ତି ଓ ଆତ୍ମିକ ସ୍ଥିରତା ହାସଲ କରିବାର ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ନିଜର ମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ନିଷ୍ଠା ଜୋନ୍ର ଆବାହକ ସୁକାନ୍ତ କୁମାର ଜେନା ‘ଆମେ କାହିଁକି ଆଜି ଏଠାରେ ଉପସ୍ଥିତ ‘ ବିଷୟକୁ ନେଇ ମହିଳାମାନଙ୍କୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ଏହାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସରକାରୀ ନିର୍ଦ୍ଦେଶକ ଲିପ୍ସା ପଟ୍ଟନାୟକ ଯୋଗଦେଇଥିଲେ।
ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାଧବ ଚନ୍ଦ୍ର ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମହିଳା ପାଠଚକ୍ରର ସମ୍ପାଦିକା ଶାଶ୍ୱତୀ ରାଉତରାୟ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ମହାପାତ୍ରଙ୍କ ସମେତ ଅନୁଷ୍ଠାନର ଅଭିଭାବକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ବିଶ୍ୱଜିତ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀ ଶେଷରେ ଉପସ୍ଥିତ ସମସ୍ତ ଅପା ଓ ଭାଇ ପ୍ରସାଦ ସେବନ କରିଥିଲେ।
ନାରୀର ଆତ୍ମିକ ବିକାଶ, ମାନସିକ ସ୍ଥିରତା ଓ ସହନଶୀଳତା ହିଁ ଏକ ସୁସ୍ଥ ପରିବାର ତଥା ସୁସ୍ଥ ସମାଜ ଗଠନର ମୂଳଦୁଆ ବୋଲି ଏହି ସମ୍ମିଳନୀର ଆଲୋଚନାରୁ ସ୍ପଷ୍ଟ ହୋଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
