ଖୋର୍ଦ୍ଧା, ୨୭/୧୦: ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଖୋର୍ଦ୍ଧା ପକ୍ଷରୁ ଅକ୍ଟୋବର ୨୭ ତାରିଖ ଦିନ ଏ ସଂକ୍ରାନ୍ତୀୟ ଅଫିସ୍ ଅର୍ଡର ଜାରି କରାଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୨୭ ତାରିଖ ଅପରାହ୍ନ ୧ଟାରୁ ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ତେବେ ଅକ୍ଟୋବର ୨୭ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପରେ ବିଦ୍ୟାଳୟ ବନ୍ଦ କରାଯିବ।
ଏହି ସମୟରେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସାଧାରଣ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧିରେ କୌଣସି ଛୁଟି ଅନୁମତି ଦିଆଯିବ ନାହିଁ। ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳ ଭାବେ ବ୍ୟବହାର ପାଇଁ ବିଦ୍ୟାଳୟ କୋଠା ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସୁବିଧାସୁଯୋଗ ଉପଲବ୍ଧ କରାଇବାକୁ କୁହାଯାଇଛି।
ଏଥିସହ ବିଦ୍ୟାଳୟଗୁଡ଼ିକୁ ୨୪ ଘଣ୍ଟିଆ ଖୋଲା ରଖିବା ଓ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ପ୍ରଧାନଶିକ୍ଷକମାନେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବେ। ଏହି ନିର୍ଦ୍ଦେଶର ନକଲ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଖଣ୍ଡ ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
