ଖୁବ୍ଶୀଘ୍ର ପଦୋନ୍ନତି ପ୍ରକ୍ରିୟା ସାରିବାକୁ ପ୍ରତିଶ୍ରୁତି ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
ଖୋର୍ଦ୍ଧା, ୨୫ା୮: ଖୋର୍ଦ୍ଧା ଜିଲ୍ଲାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ପ୍ରକ୍ରିୟାରେ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପଦୋନ୍ନତି ପ୍ରକ୍ରିୟାକୁ ଆଉ ବିଳମ୍ବ ନକରି ଶୀଘ୍ର ଶେଷ କରିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କୁ ଅନୁରୋଧ କରାଯାଇଛି। ଏନେଇ ସଂଘର ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଡିଇଓଙ୍କୁ ଭେଟି ପଦୋନ୍ନତି ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଡିଇଓ ଖୁବ୍ଶୀଘ୍ର ଆବଶ୍ୟକ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ପ୍ରତିନିଧିମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ, ଦୀର୍ଘ ପ୍ରାୟ ଚାରି ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେଇଥିଲେ। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ସଂଖ୍ୟା ୨୧୨୨୭୦, ତାରିଖ ୧୩ ମେ ୨୦୨୬ରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସଂଘ ପକ୍ଷରୁ ଦାବି କରାଯାଇଛି। ଏହା ପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଚିଠି ସଂଖ୍ୟା ୯୬୬୩, ତାରିଖ ୧୮ ମେ ୨୦୨୬ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଜଣାଇଥିବା କୁହାଯାଇଛି।

ଉକ୍ତ ନିର୍ଦ୍ଦେଶକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପଦୋନ୍ନତି ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗେଇ ନେବାକୁ ବ୍ଲକସ୍ତରର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଡିଇଓଙ୍କ ଚିଠି ସଂଖ୍ୟା ୮୦୬୮, ତାରିଖ ୨୨ ଜୁନ୍ ୨୦୨୬ ଅନୁଯାୟୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଦୋନ୍ନତି ପାଇଁ ଆବଶ୍ୟକ ଯାଞ୍ଚ ଓ ତାଲିକା ପ୍ରସ୍ତୁତ କରି ଏକ ମାସ ମଧ୍ୟରେ ଅନ୍ତିମ ତାଲିକା ପଠାଇବାକୁ କୁହାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।
ସଂଘର ଦାବି ଅନୁଯାୟୀ, ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ସମ୍ପାଦନ କରି ତାଲିକା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପୈଠ କରିଛନ୍ତି। ତେବେ ଏହା ସତ୍ତ୍ୱେ ଖୋର୍ଦ୍ଧା ଜିଲ୍ଲାରେ ପଦୋନ୍ନତି ପାଇଁ ପୂର୍ଣ୍ଣାଙ୍ଗ ଅନ୍ତିମ ତାଲିକା ପ୍ରସ୍ତୁତ ହୋଇନଥିବା ନେଇ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଛି।
ସଂଘର ଯୁକ୍ତି ହେଉଛି, ରାଜ୍ୟର କିଛି ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟା ଆଗେଇବା ସହ ପଦୋନ୍ନତି ପ୍ରଦାନ ମଧ୍ୟ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ଖୋର୍ଦ୍ଧାରେ ପଦୋନ୍ନତି ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟକୁ ନପହଞ୍ଚିବା ଶିକ୍ଷକମାନଙ୍କ ମଧ୍ୟରେ ନିରାଶା ସୃଷ୍ଟି କରିଛି।
ଦୀର୍ଘ ସମୟ ଧରି ପଦୋନ୍ନତିକୁ ଅପେକ୍ଷା କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ବିଳମ୍ବ ଯୋଗୁଁ ମାନସିକ ଭାବେ ଚାପଗ୍ରସ୍ତ ଓ ମର୍ମାହତ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ପଦୋନ୍ନତି କେବଳ ଚାକିରିରେ ଉଚ୍ଚ ପଦବୀ ପାଇବାର ବିଷୟ ନୁହେଁ, ବରଂ ଶିକ୍ଷକଙ୍କ ସେବାଜୀବନ, ଦାୟିତ୍ୱ ଓ ଆର୍ଥିକ ସୁବିଧା ସହ ଜଡିତ ଥିବାରୁ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ଆବଶ୍ୟକ ବୋଲି ସଂଘ ମତ ପ୍ରକାଶ କରିଛି।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦୋନ୍ନତି ପ୍ରକ୍ରିୟାରେ ରହିଥିବା ଯଦି କୌଣସି ପ୍ରଶାସନିକ କିମ୍ବା ଦସ୍ତାବିଜ ସମ୍ବନ୍ଧୀୟ ଅସୁବିଧା ଥାଏ, ତାହାକୁ ଶୀଘ୍ର ସମାଧାନ କରି ଅନ୍ତିମ ତାଲିକା ପ୍ରକାଶ ଓ ପଦୋନ୍ନତି ଆଦେଶ ଜାରି କରିବାକୁ ଅନୁରୋଧ କରାଯାଇଛି।
ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ହୋଇଥିବା ଆଲୋଚନାରେ ଖୋର୍ଦ୍ଧା ବ୍ଲକ ଶିକ୍ଷକ ସଂଘ ସଭାପତି ଯୁଧିଷ୍ଠିର ସାହୁ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇଥିଲେ। ଶିକ୍ଷକମାନଙ୍କ ସ୍ୱାର୍ଥ ସହ ଜଡିତ ଏହି ଦାବି ଉପରେ ଡିଇଓଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା। ଖୁବ୍ଶୀଘ୍ର ପଦୋନ୍ନତି ସମ୍ପର୍କିତ ଆବଶ୍ୟକ କାର୍ଯ୍ୟ ସାରିବା ପାଇଁ ଡିଇଓ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ପ୍ରକାଶ କରାଯାଇଛି।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ସୁକାନ୍ତି ସାବୁତ, ଉପଦେଷ୍ଟା ସଙ୍ଗୀତା ଦାସ, ରାଜ୍ୟ ଆଞ୍ଚଳିକ ସମ୍ପାଦକ ବସନ୍ତ ପ୍ରହରାଜ, ଜଟଣୀ ସଭାପତି ଜିତ ରଞ୍ଜନ ମହାପାତ୍ର, ଖୋର୍ଦ୍ଧା ବ୍ଲକ ସମ୍ପାଦକ ଅମିୟ କୁମାର ପରିଡ଼ା, ବେଗୁନିଆ ସମ୍ପାଦକ ଦାଶରଥି ବେହେରା, ଜଟଣୀ ସମ୍ପାଦକ ଆକାଶ କୁମାର ମହାନ୍ତି, ବାଲିଅନ୍ତା ସଭାପତି ସତ୍ୟରଞ୍ଜନ ପଣ୍ଡା, ଏସ୍.କେ. ପରବେଜ, ଉପସଭାପତି ରଶ୍ମି ଦାସ, ଶ୍ୟାମସୁନ୍ଦର ବିଶ୍ୱାଳ, ରବିନ୍ଦ୍ର ପ୍ରଧାନ, ରବୀନ୍ଦ୍ରନାଥ ଦାସ, ବିରଞ୍ଚି ନାରାୟଣ ବିଶ୍ୱାଳ, ବଟକୃଷ୍ଣ ନାୟକ, ସଞ୍ଜୟ କୁମାର ବେହେରା, ତୁଳସୀ ସେଠୀ, ଫୟାଉଦ୍ଦିନ ଖାଁ, ଜ୍ୟୋତିମୟୀ ନାୟକ, ରବିନାରାୟଣ ପଣ୍ଡା, ସତ୍ୟନାରାୟଣ ମଲ୍ଲିକ, ପ୍ରଭାତ ସେନାପତି, ପ୍ରତାପ ସ୍ୱାଇଁ, ମାଧବ ଚନ୍ଦ୍ର ରଣା, ପ୍ରତିମା ବେହେରା ଓ ପ୍ରଭାସିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ, ଡିଇଓଙ୍କ ପ୍ରତିଶ୍ରୁତି ପରେ ପଦୋନ୍ନତି ପ୍ରକ୍ରିୟା ଶୀଘ୍ର ଆଗେଇବ ବୋଲି ଶିକ୍ଷକମହଲ ଆଶାବାଦୀ। ଏବେ ସମସ୍ତଙ୍କ ନଜର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଦୀର୍ଘ ଦିନର ଅପେକ୍ଷାର ଅବସାନ ଘଟାଇ ଯଥାଶୀଘ୍ର ପଦୋନ୍ନତି ପ୍ରକ୍ରିୟା ସମାପ୍ତ କରାଗଲେ ଶିକ୍ଷକମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର ହେବା ସହ ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ ବୋଲି ଶିକ୍ଷକ ସଂଘ ଆଶା ପ୍ରକାଶ କରିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
