ଖୋର୍ଦ୍ଧା,(୨୩ା୪):- ବେତରାଗୋଡ଼ି ପୋଖରୀ ର ପୁନରୁଦ୍ଧାର ଓ ପାନୀୟ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ନରଣଗଡ ପଂଚାୟତ ହାଡପଦା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଦୀର୍ଘ ସମୟ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ପୁନର୍ବାର ଆଜି ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଆସନ୍ତା ୨ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରିବା ଲାଗି ଜିଲ୍ଲାପାଳ ପ୍ରତିଶୃତି ଦେବାରେ ଧାରଣାରୁ ଗ୍ରାମବାସୀ ଉଠିଥିଲେ ।

ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନରଣଗଡ ପଂଚାୟତ ହାଡପଦା ଗ୍ରାମ ବ୍ଳକର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ଜାତି ର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ସରକାର ତଥା ଜିଲ୍ଲା ପ୍ରଶାସନର ହାଡପଦା ଗ୍ରାମପ୍ରତି ଅବହେଳା ଓ ଅଣଦେଖା କରୁଛି । ଗ୍ରାମବାସୀବୃନ୍ଦ ହାଡ଼ପଦାସ୍ଥ ବେତରାଗୋଡ଼ି ପୋଖରୀ ର ପୁନରୁଦ୍ଧାର, ପୋଖରୀ ନିକଟରେ ସାମୁହିକ ଶୌଚାଳୟ ନିର୍ମାଣ ଓ ଗ୍ରାମରେ ପାନୀୟ ପାଇପ ଜଳ ପ୍ରକଳ୍ପ ର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛଇ ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାବେଳେ ପାଣି ପାଇଁ ଲୋକ ହାହାକାର ପକାଉଛନ୍ତି । ଏହି ସମୟରେ ଗ୍ରାମର ପୋଖରୀ ଓ କୂଅ ଶୁଖିଥିବାବେଳେ ପୁଣୁଣା ପୋଖରୀ ବେତରାଗୋଡ଼ି ର ପୁନରୁଦ୍ଧାର କରିବାକୁ ସେମାନେ ଦାବି କରିଛନ୍ତି । ସେହିପରି ଗ୍ରାମରେ ଥିବା ପାନୀୟ ପାଇପ ଜଳ ପ୍ରକଳ୍ପଟି ଖରାପ ହେବା ଯୋଗୁଁ ଲୋକମାନେ ପାଣି ଟୋପେ ପାଇଁ ହାହାକାର ଅବସ୍ଥାରେ ରହିଛନ୍ତି । ଗ୍ରାମରେ ଥିବା ନଳକୂପଟି ଖରାପ ହୋଇଯିବା ଯୋଗୁଁ ପାନୀୟ ଜଳ ପାଇଁ ଗ୍ରାମବାସୀବୃନ୍ଦ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପାଇପ ଜଳ ପ୍ରକଳ୍ପ ଯୋଗେ ଆବଶ୍ୟକୀୟ ସମୟ ପର୍ଯ୍ୟନ୍ତ ପାଣି ଯୋଗାଇବାକୁ ସେମାନେ ଦାବି କରି ଧାରଣା ଦେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ସରପଂଚ ଦିବାକର ଭୋଇ ।

ପ୍ରକାଶ ଥାଉକି, ନରଣଗଡ ଗ୍ରାମ ପଂଚାୟତରେ ଓ.ଏମ.ସି. କାର୍ଯ୍ୟାଳୟ କରି ସ୍ଥାନୀୟ ଲୋକଙ୍କ ଭିଟାମାଟିର ଦୈନନ୍ଦିନ ବୃତି କୁ ଅକ୍ତିଆର କରିନେଇ ସରକାର ତଥା ଜଗନ୍ନାଥ ମନ୍ଦିର କାମରେ କୁଣ୍ଡା ପଥର ବ୍ୟବହାର କରୁଛି । ସରକାରଙ୍କ ନିୟମ ଅଛି ଓଡ଼ିଶା ଖଣି ନିଗମ ନିଜ ଅନୁଦାନରେ ସି.ଏସ୍.ଆର. ଫଣ୍ଡ ରୁ ଉକ୍ତ ଅଂଚଳର ବିକାଶ କରିବା କଥା । ମାତ୍ର ସ୍ଥାନୀୟ ଅଂଚଳର ଉକ୍ତ ଦୁଇଗୋଟି କାମ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଦୁଇଥର ଓଡ଼ିଶା ଖଣି ନିଗମର ମ୍ୟାନେଜି ଡାଇରେକ୍ଟରଙ୍କୁ ଚିଠି କଲେ ମଧ୍ୟ କୌଣସି ଫଳ ହେଉନି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ତେଣୁ ଆଜି ପୂର୍ବତନ ସରପଂଚ ଶ୍ରୀ ଭୋଇଙ୍କ ନେତୃତ୍ୱରେ ସାବିତ୍ରୀ ଭୋଇ, ଗୋକୁଳ ଭୋଇ, ସୀତା ଭୋଇଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
