ବାରିପଦା, (07/04): -ଗୋରୁ ଚୋରି ଓ ଅବୈଧ ପରିବହନରେ ଲିପ୍ତ ‘ଗୋ-ମାଫିଆ’ ବିରୋଧରେ ପୂର୍ବାଞ୍ଚଳ ରେଞ୍ଜ ପୁଲିସ୍ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏକ ଯୋଗାଯୋଗିତା ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଛି। ପୂର୍ବାଞ୍ଚଳ ରେଞ୍ଜର ଡିଆଇଜିଙ୍କ ନିର୍ଦେଶନାରେ ଏହି ଅଭିଯାନ ଚଳିଛି।

ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭିଯାନ ଅଧିନରେ ୭ଟି ଥାନା ଅଞ୍ଚଳର ୧୫ଟି ସ୍ଥାନରେ ଏକଯୋଗରେ ଚଢ଼ାଉ କରାଯାଇଛି। ଏହି ଥାନାଗୁଡ଼ିକ ହେଉଛି – ବାରିପଦା ଟାଉନ୍, ଭଞ୍ଜପୁର, ଝାରପୋଖରିଆ, ଶୁଳିଆପଦା, ବାଙ୍ଗିରିପୋଷି, ବୈଶିଙ୍ଗା ଏବଂ ବାଦାମପାହାଡ।

ଅଭିଯାନରେ ପୁଲିସ୍ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର, ବ୍ୟାଙ୍କ୍ ପାସବୁକ୍, ସମ୍ପତ୍ତି ଦସ୍ତାବିଜ ଏବଂ ଗୋରୁ ଅବୈଧ ପରିବହନ ପାଇଁ ବ୍ୟବହୃତ ଯାନବାହନ ଜବତ୍ କରିଛି। ଏପର୍ଯ୍ୟନ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନ ଏବେ ବି ଜାରି ରହିଛି।

ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ଦୁଇ ଜିଲ୍ଲାରେ ମଧ୍ୟ ଏକଯୋଗରେ ଅଭିଯାନ ଚାଲୁ ରହିଛି ଏବଂ ଆହୁରି ଅଧିକ ସୂଚନା ପରେ ବିସ୍ତୃତ ବିବରଣୀ ପ୍ରକାଶ ପାଇବ। ଏହି ଅଭିଯାନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
