ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର, ୧୦/୧୧: ଗଞ୍ଜାମ ବନ୍ୟାକୁ ମନୁଷ୍ୟକୃତ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଏନେଇ ଭୁବନେଶ୍ୱରରେ ଆୟୋଜିତ ପ୍ରେସମିଟ୍ରେ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ ବନ୍ୟା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହି ବିପର୍ଯ୍ୟୟ ପାଇଁ କିଏ ଉତ୍ତରଦାୟୀ, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି।

ଭକ୍ତ ଚରଣ ଦାସ କହିଛନ୍ତି ଯେ, କଂଗ୍ରେସର ଏକ ପ୍ରତିନିଧି ଦଳ ତିନି ଦିନ ଧରି ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛି। ଋଷିକୂଲ୍ୟା ନଦୀ ଏବେ ଗଞ୍ଜାମବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ସରକାରଙ୍କ ଦୂରଦୃଷ୍ଟି ଓ ଉପଯୁକ୍ତ ଯୋଜନାର ଅଭାବ ଯୋଗୁଁ ଏତେ ବଡ଼ କ୍ଷୟକ୍ଷତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଠିକ୍ ସମୟରେ ଡ୍ୟାମ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିଲେ କ୍ଷୟକ୍ଷତିକୁ ଅନେକ ମାତ୍ରାରେ ରୋକାଯାଇ ପାରିଥାନ୍ତା ବୋଲି ସେ ମତ ଦେଇଛନ୍ତି।
ଋଷିକୂଲ୍ୟା ନଦୀରେ ନୂତନ ନଦୀବନ୍ଧ ନିର୍ମାଣ ନକଲେ ପ୍ରତିବର୍ଷ ଏଭଳି ବନ୍ୟା ବିପର୍ଯ୍ୟୟର ଆଶଙ୍କା ରହିବ ବୋଲି ସେ କହିଛନ୍ତି। ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ଏହି ବିପର୍ଯ୍ୟୟର ଉତ୍ତରଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେବେ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।
ଏହାସହ ଗିଡ଼ିବାପାଲି ବନ୍ୟା ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଧିକ ସହାୟତା ରାଶି ପ୍ରଦାନ ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିଗୁଡ଼ିକ ପୂରଣ ନହେଲେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
