ଖୋର୍ଦ୍ଧା, ଅଗଷ୍ଟ ୨୫: କେନ୍ଦ୍ର ସରକାର ଆଣିଥିବା ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ-୨୦୨୬କୁ ପ୍ରତ୍ୟାହାର କରିବା ଦାବିରେ ଖୋର୍ଦ୍ଧାରେ ଜିଲ୍ଲା କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର ନେତା ଓ କର୍ମୀମାନେ ବିଶାଳ ମଶାଲ ଶୋଭାଯାତ୍ରା କରିଛନ୍ତି। ଖୋର୍ଦ୍ଧାସ୍ଥିତ ଗୋଡ଼ି ପୋଖରୀଠାରୁ ଏହି ଶୋଭାଯାତ୍ରା ବାହାରି ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲା।
ଶୋଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଖଣିଜ ସମ୍ପଦ ସମ୍ପର୍କିତ ନୀତିକୁ ତୀବ୍ର ବିରୋଧ କରିଥିଲେ। ଓଡ଼ିଶାର ଖଣି ଓ ଖଣିଜ ସମ୍ପଦକୁ କେତେକ ବଡ଼ କର୍ପୋରେଟ୍ ସଂସ୍ଥାର ସ୍ୱାର୍ଥରେ ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇଥିଲେ।

ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ଆଇନ ଲାଗୁ ହେଲେ ଖଣିଜ ସମ୍ପଦ ଉପରେ ରାଜ୍ୟର ଆର୍ଥିକ ଅଧିକାର ଓ ରାଜସ୍ୱ ଆଦାୟ ବ୍ୟବସ୍ଥା ପ୍ରଭାବିତ ହେବ। ଖଣି ମାଲିକମାନଙ୍କ ଉପରେ ଥିବା ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ବକେୟା ରାଜସ୍ୱ ରାଜ୍ୟ ସରକାର ଆଉ ପାଇପାରିବେ ନାହିଁ ବୋଲି ସେମାନେ ଦାବି କରିଥିଲେ। ଖଣିରୁ ମିଳୁଥିବା କର, ଉପକର ଓ ରୟାଲ୍ଟି ରାଜ୍ୟର ଅର୍ଥନୀତିର ଏକ ପ୍ରମୁଖ ଆଧାର ହୋଇଥିବାରୁ ଏହି ଆଇନ ଲାଗୁ ହେଲେ ଓଡ଼ିଶା ବର୍ଷକୁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇବ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ।

ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେବା ଭଳି ଏକ ଆଇନ ଲୋକସଭାରେ ଆସିଥିବା ବେଳେ ଓଡ଼ିଶାର ବିଜେପି ସାଂସଦମାନେ ନିରବ ରହିବା ଦୁର୍ଭାଗ୍ୟଜନକ। ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଆର୍ଥିକ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟର ସମସ୍ତ ସାଂସଦଙ୍କୁ ଦଳୀୟ ମତାଦର୍ଶରୁ ଊର୍ଦ୍ଧ୍ୱରେ ରହି ସ୍ୱର ଉଠାଇବାକୁ ପଡ଼ିବ ବୋଲି ସେ କହିଥିଲେ। ସେ କହିଥିଲେ ଯେ, ଓଡ଼ିଶାର ସ୍ୱାର୍ଥ ଓ ରାଜ୍ୟର ଅର୍ଥନୈତିକ ସୁରକ୍ଷା ପାଇଁ ଏହି ଆଇନକୁ ପ୍ରତ୍ୟାହାର କରାଯିବା ଆବଶ୍ୟକ। ଓଡ଼ିଶା ଏକ ବଡ଼ ଆର୍ଥିକ ବିପଦ ଆଡ଼କୁ ଯିବା ପୂର୍ବରୁ କେନ୍ଦ୍ର ସରକାର ଏ ଦିଗରେ ପୁନର୍ବିଚାର କରିବା ଉଚିତ ବୋଲି ସେ ଦାବି କରିଥିଲେ।

ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବେଗୁନିଆ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ, ସିପିଆଇ(ଏମ୍) ନେତା ଗିରିଶ ମହାରଣା, ଅନନ୍ତ ମଙ୍ଗରାଜ, ଶୈଳେଶ ବଳିୟାରସିଂହ, ସିପିଆଇ ନେତା ସୁରେଶ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ, ସ୍ୱାଗତିକା ପଟ୍ଟନାୟକ,ସୌମ୍ୟ ପଟ୍ଟନାୟକ ବେଣୁଧର ଭୋଇ, ସଦାଶିବ ମହାପାତ୍ର, ଶିଶିର ପରିଡ଼ା, ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଞ୍ଜିତ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ଶାଇଲେନ୍ଦୁ ଦାସ, ତାପସ ମିଶ୍ର, ମଉମୁଡ଼ିନ ଅହମ୍ମଦ, ଶିଶିର ପଟ୍ଟନାୟକ, ସାଜିଦ୍ ଖାନ୍, ପ୍ରଦୋଷ ହରିଚନ୍ଦନ, ରମେଶ ପଟ୍ଟନାୟକ, ଭାଷା ମଙ୍ଗରାଜ, ରମାକାନ୍ତ ପଟ୍ଟନାୟକ, ଜିତେନ୍ଦ୍ର ଚମ୍ପତ୍ତି, ଜନ୍ମଜୟ ସ୍ୱାଇଁ, ସିବୁ ନାୟକ, ସାଦିକ୍ ଖାନ୍ ଓ ଯୁବ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୌମ୍ୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଶେଷ ରେ
ଆନ୍ଦୋଳନକାରୀମାନେ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥର ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
