ଖୋର୍ଦ୍ଧା , ୮ା୮: ବିଜ୍ଞାନ କେବଳ ପାଠ୍ୟପୁସ୍ତକର ବିଷୟ ନୁହେଁ, ବରଂ ଦୈନନ୍ଦିନ ଜୀବନର ସମସ୍ୟାକୁ ବୁଝି ତାହାର ସରଳ ଓ ବ୍ୟବହାରିକ ସମାଧାନ ଖୋଜିବାର ଏକ ମାଧ୍ୟମ। ଏହି ଚିନ୍ତାଧାରାକୁ ଆଧାର କରି ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ୫୩ତମ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ (ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ)-୨୦୨୬ର କଟକ କ୍ଲଷ୍ଟରସ୍ତରୀୟ ପ୍ରଦର୍ଶନୀ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। କଟକ କ୍ଲଷ୍ଟର ଅଧୀନ ୧୫ଟି ଜବାହର ନବୋଦୟ ବିଦ୍ୟାଳୟରୁ ମୋଟ ୯୮ ଜଣ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ ବିଜ୍ଞାନ, ଗଣିତ ଓ ପରିବେଶ ସହ ସମ୍ପର୍କିତ ବିଭିନ୍ନ ନୂତନ ଧାରଣା, ମଡେଲ ଓ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଏସକର୍ଟ କର୍ମଚାରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସର ବେଶ୍ ଚଳଚଞ୍ଚଳ ହୋଇଉଠିଥିଲା। ଏହି
ପ୍ରଦର୍ଶନୀ କୁ ଜବାହର ନବୋଦୟ ବିଦ୍ୟାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ଆୟୁକ୍ତ ଏନ୍.ସି. କର ଅନୁଷ୍ଠାନିକ ଭାବରେ କରିଥିଲେ। ଉଦ୍ଘାଟନୀ ଅବସରରେ ସେ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳ ପ୍ରୟାସକୁ ପ୍ରଶଂସା କରିଥିଲେ। ବିଜ୍ଞାନକୁ ଜୀବନ ସହ ଯୋଡ଼ି ଦେଖିବା ସହିତ ସ୍ଥାୟୀ ବିକାଶ, ପରିବେଶ ସୁରକ୍ଷା ଓ ନବସୃଜନ ଦିଗରେ ଛାତ୍ରଛାତ୍ରୀମାନେ ଚିନ୍ତା କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ଏନ.ସି. ଚକ୍ରଙ୍କ ତତ୍ତ୍ୱାବଧାନରେ ସମଗ୍ର ଆୟୋଜନ ପରିଚାଳିତ ହୋଇଥିଲା। ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ନିଜ ନିଜ ମଡେଲ ସମ୍ପର୍କରେ ବିଚାରକ ଓ ଅତିଥିମାନଙ୍କୁ ବୁଝାଇଥିଲେ। ନିଜର ଚିନ୍ତାଧାରାକୁ ଏକ ମଡେଲର ରୂପ ଦେଇ ତାହାର ଉପଯୋଗିତା ବୁଝାଇବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପ୍ରଦର୍ଶନୀ ଏକ ଅଭିନବ ଅନୁଭୂତି ପାଲଟିଥିଲା।
ପ୍ରଦର୍ଶନୀରେ ମୋଟ ୭ଟି ପ୍ରମୁଖ ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ମଡେଲ ଓ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଗୁଡ଼ିକ ମଧ୍ୟରେ ସ୍ଥାୟୀ କୃଷି, ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ଲାଷ୍ଟିକର ବିକଳ୍ପ, ସବୁଜ ଶକ୍ତି, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନାତ୍ମକ ଗାଣିତିକ ମଡେଲିଂ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଓ ପରିଚାଳନା ଅନ୍ୟତମ।

ଏହି ବିଷୟଗୁଡ଼ିକ ମାଧ୍ୟମରେ ଆଜିର ସମାଜ ସମ୍ମୁଖୀନ ବିଭିନ୍ନ ସମସ୍ୟା ଉପରେ ଛାତ୍ରଛାତ୍ରୀମାନେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। କୃଷିକ୍ଷେତ୍ରରେ ଆଧୁନିକ ଓ ପରିବେଶ ଅନୁକୂଳ ପଦ୍ଧତିଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁର ସୁପରିଚାଳନା, ପ୍ଲାଷ୍ଟିକର ବିକଳ୍ପ ଖୋଜିବା, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ ଓ ସ୍ୱାସ୍ଥ୍ୟ-ସ୍ୱଚ୍ଛତା ଭଳି ପ୍ରସଙ୍ଗ ଉପରେ ପ୍ରକଳ୍ପଗୁଡ଼ିକ ଆଧାରିତ ଥିଲା। ପ୍ରଦର୍ଶନୀ ସହିତ ସମସାମୟିକ ବୈଜ୍ଞାନିକ ଓ ପରିବେଶ ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରା ପ୍ରକାଶ ପାଇଁ ସେମିନାର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜର ଅଧ୍ୟୟନ, ଅନୁସନ୍ଧାନ ଓ ଧାରଣାକୁ ତଥ୍ୟଭିତ୍ତିକ ଭାବେ ଉପସ୍ଥାପନ କରିଥିଲେ। ଏହା ମାଧ୍ୟମରେ ଯୁବ ବୈଜ୍ଞାନିକମାନଙ୍କ ମଧ୍ୟରେ ଯୁକ୍ତିସଙ୍ଗତ ଚିନ୍ତନ, ଉପସ୍ଥାପନା କୌଶଳ ଓ ସମସାମୟିକ ପ୍ରସଙ୍ଗ ପ୍ରତି ସଚେତନତା ବୃଦ୍ଧି ପାଇଥିଲା। ପ୍ରଦର୍ଶିତ
ମଡେଲ ଓ ସେମିନାର ଉପସ୍ଥାପନା ଗୁଡ଼ିକୁ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ମୂଲ୍ୟାୟନ କରିଥିଲେ। ପି.ଏନ. କଲେଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏଡି.ଇ.ଓ ବୌଦ୍ଧ ସମେତ ବିଭିନ୍ନ ଅନୁଷ୍ଠାନର ବିଶେଷଜ୍ଞମାନେ ବିଚାରକ ଭାବେ ଯୋଗଦେଇଥିଲେ।
ମଡେଲଗୁଡ଼ିକର ବିଷୟବସ୍ତୁ, ନବୀନତା, ବୈଜ୍ଞାନିକ ଆଧାର, ବ୍ୟବହାରିକ ଉପଯୋଗିତା, ସମସ୍ୟା ସମାଧାନର ସମ୍ଭାବନା ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଦକ୍ଷତା ଆଦି ବିଭିନ୍ନ ଦିଗକୁ ଆଧାର କରି ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା।
ପ୍ରଦର୍ଶନୀର ସଫଳ ଆୟୋଜନ ପଛରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଆୟୋଜନ କମିଟିର ସଦସ୍ୟମାନଙ୍କ ଭୂମିକା ରହିଥିଲା। ପିଜିଟି ପଦାର୍ଥ ବିଜ୍ଞାନ ଶିକ୍ଷକ ଏସ୍.କେ. ସାହୁ ଓ ପିଜିଟି ରସାୟନ ବିଜ୍ଞାନ ଶିକ୍ଷକ ଏଚ୍.ଏସ୍. ବେହେରା ସମନ୍ୱୟକ ଭାବେ ଦାୟିତ୍ୱ ତୁଲାଇଥିଲେ। ପିଜିଟି ଇଂରାଜୀ ଶିକ୍ଷକ ଜେ.ଏସ. ମହାଲିକ ସମଗ୍ର କାର୍ଯ୍ୟକ୍ରମର ସାମଗ୍ରିକ ସମନ୍ୱୟ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀ ବିଦ୍ୟାଳୟଗୁଡ଼ିକର ଶିକ୍ଷକ, ଏସକର୍ଟ କର୍ମଚାରୀ, ସ୍ୱେଚ୍ଛାସେବକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଦର୍ଶନୀର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ଏପରି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କୁ କେବଳ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଇନଥାଏ, ବରଂ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଡେଲ ଓ ଚିନ୍ତାଧାରା ସହ ପରିଚିତ ହେବାର ସୁଯୋଗ ମଧ୍ୟ ଦେଇଥାଏ। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାମୂଳକ ମନୋଭାବ, ଦଳଗତ କାର୍ଯ୍ୟ, ଯୋଗାଯୋଗ ଦକ୍ଷତା, ସମସ୍ୟା ବିଶ୍ଳେଷଣ ଓ ସମାଧାନ ଖୋଜିବାର କ୍ଷମତା ବିକଶିତ ହେବା ସହିତ ପରିବେଶ ଓ ସମାଜ ପ୍ରତି ଦାୟିତ୍ୱବୋଧ ମଧ୍ୟ ସୃଷ୍ଟି ହୋଇଥାଏ।
ଗୁରୁଜଙ୍ଗ ଜେଏନ୍ଭିରେ ଆୟୋଜିତ ଏହି କଟକ କ୍ଲଷ୍ଟରସ୍ତରୀୟ ପ୍ରଦର୍ଶନୀ ଏହି ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ନବୀନ ପ୍ରତିଭାକୁ ଆଗକୁ ଆଣିବା ସହ ବିଜ୍ଞାନ ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି। କାର୍ଯ୍ୟକ୍ରମ ଶେଷରେ ପିଏମ୍ ଶ୍ରୀ ଜେଏନ୍ଭି ଗୁରୁଜଙ୍ଗ ପକ୍ଷରୁ ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱରର ସହକାରୀ ଆୟୁକ୍ତ ଏନ୍.ସି. କର, ବିଚାରକମଣ୍ଡଳୀର ସମସ୍ତ ସଦସ୍ୟ, ଅଂଶଗ୍ରହଣକାରୀ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଏସ୍କର୍ଟ କର୍ମଚାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବକ ଓ ଆୟୋଜନ କମିଟିର ସମସ୍ତ ସଦସ୍ୟଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଆନ୍ତରିକ କୃତଜ୍ଞତା ଜଣାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
