ମୁଖ୍ୟ ରାସ୍ତା କଡରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ନେଇ ଜୋରଦାର ବିରୋଧ

ସ୍ଥାନାନ୍ତରିତ ପାଈଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ଅଂଚଳବାସୀ


ଖୋର୍ଦ୍ଧା, ୬ ଜୁଲାଇ:-ଖୋର୍ଦ୍ଧା ସହରର ଗୋଡ଼ିପୋଖରୀ ମୁଖ୍ୟ ରାସ୍ତା ନିକଟରେ ପ୍ରସ୍ତାବିତ  ମଦ ଦୋକାନ ସ୍ଥାପନକୁ ନେଇ ତୀବ୍ର ବିବାଦ ଦେଖାଦେଇଛି। ଜନବସତିପୂର୍ଣ୍ଣ ଏହି ଅଞ୍ଚଳରେ  ବାସଗୃହ, ଦୁଇଟି ମନ୍ଦିର, ବ୍ୟାଙ୍କ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନକୁ ସଂଯୋଗ କରୁଥିବା ବ୍ୟସ୍ତ ରାସ୍ତା ନିକଟରେ ମଦ ଦୋକାନ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ଓ ଅସନ୍ତୋଷ ବଢ଼ିଛି। ଏହି ପ୍ରସ୍ତାବକୁ ତୁରନ୍ତ ବାତିଲ କରିବା ସହ ସ୍ଥାନୀୟ ମତାମତକୁ ଗୁରୁତ୍ୱ ଦେଇ ପୁନଃବିଚାର କରିବାକୁ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଏକ ବିସ୍ତୃତ ଦାବିପତ୍ର ଦାଖଲ କରାଯାଇଛି।

Advertisement


ଦାବିପତ୍ରରେ କୁହାଯାଇଛି ଯେ, ପ୍ରସ୍ତାବିତ ସ୍ଥାନଟି ଏକ ଘନ ଜନବସତିପୂର୍ଣ୍ଣ ଅଞ୍ଚଳ। ପ୍ରତିଦିନ ଶହ ଶହ ମହିଳା, ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ସାଧାରଣ ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଅନେକ ଭକ୍ତ ନିକଟସ୍ଥ ମହାଦେବ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ଏପରି ସ୍ଥାନରେ ମଦ ଦୋକାନ ଖୋଲାଗଲେ ମଦ୍ୟପଙ୍କ ଅବାଧ ଆସାଯିବା, ଅଶୋଭନୀୟ ଆଚରଣ, ଝଗଡ଼ା ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ଫଳରେ ମହିଳାଙ୍କ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ଶିକ୍ଷାନୁକୂଳ ପରିବେଶ ଏବଂ ସାଧାରଣ ଜନଜୀବନ ବ୍ୟାହତ ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଦାବୀପତ୍ରରେ ଆହୁରି ଦର୍ଶାଯାଇଛି ଯେ, ନିକଟରେ ଥିବା ଦୁଇଟି  ମନ୍ଦିର କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଏହା ସ୍ଥାନୀୟ ସାମାଜିକ ଓ ସାଂସ୍କୃତିକ ଜୀବନର ମଧ୍ୟ ଅନ୍ୟତମ କେନ୍ଦ୍ରବିନ୍ଦୁ। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସୁଥିବାବେଳେ ବର୍ଷସାରା ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେଣୁ ମନ୍ଦିର ନିକଟରେ ମଦ ଦୋକାନ ସ୍ଥାପନ ସ୍ଥାନୀୟ ଲୋକଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେବା ସହ ସାମାଜିକ ଅସନ୍ତୋଷର କାରଣ ହୋଇପାରେ ବୋଲି ଦାବି କରାଯାଇଛି।

ଅଭିଯୋଗକାରୀ ସରକାରଙ୍କ ନିଶାମୁକ୍ତ ସମାଜ ଗଠନ, ମହିଳା ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ସୁରକ୍ଷା ଭଳି ନୀତିଗତ ପଦକ୍ଷେପର ଉଲ୍ଲେଖ କରି କହିଛନ୍ତି ଯେ, ଏଭଳି ଜନବସତି ଓ ଧାର୍ମିକ ସ୍ଥାନ ନିକଟରେ ମଦ ଦୋକାନ ଖୋଲିବା ସରକାରଙ୍କ ଜନକଲ୍ୟାଣମୂଳକ ନୀତି ସହ ସଙ୍ଗତିପୂର୍ଣ୍ଣ ନୁହେଁ। ତେଣୁ ପ୍ରସ୍ତାବିତ ଅନୁମତିକୁ ତୁରନ୍ତ ବାତିଲ କରିବା ସହ ପ୍ରଶାସନ ପକ୍ଷରୁ ସ୍ଥଳ ପରିଦର୍ଶନ, ତଦନ୍ତ ଏବଂ ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରି ଜନସ୍ୱାର୍ଥ ଅନୁଯାୟୀ ନିଷ୍ପତ୍ତି ନେବାକୁ ସେମାନେ ଦାବି କରିଛନ୍ତି।


ଏହି ପ୍ରସଙ୍ଗରେ ଦାବିପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଏହାପୂର୍ବରୁ ଖୋର୍ଦ୍ଧା ପୌରପରିଷଦର ୨୦ ନମ୍ବର ୱାର୍ଡ ତଳସାହି ଅଞ୍ଚଳରେ ମଦ ଦୋକାନ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ମଧ୍ୟ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ବର୍ତ୍ତମାନ ଗୋଡ଼ିପୋଖରୀ ମୁଖ୍ୟରାସ୍ତା ରେ ପୁଣି ଏଭଳି ପ୍ରସ୍ତାବକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ତୀବ୍ର ହୋଇଥିବାବେଳେ ପ୍ରଶାସନ ଏହା ଉପରେ କିପରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *