ଖୋର୍ଦ୍ଧା,(୨୪/୦୪): -ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଏହି ମ୍ୟାଚ୍ କୁ ଖୋର୍ଦ୍ଧା ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ଖୋର୍ଦ୍ଧା କ୍ରିକେଟ କ୍ଲବ୍ ର ପୂର୍ବତନ ଅଧିନାୟକ ଦେବୀ ଶଙ୍କର ପଣ୍ଡା ଉଦ୍ଘାଟନ କରିଥିଲେ।

ପ୍ରାରମ୍ଭିକ ମ୍ୟାଚ୍ ରେ ବରଗଡ ଜିଲ୍ଲା ଦଳ କୋରାପୁଟ ଜିଲ୍ଲା ଦଳ କୁ ପରାସ୍ତ କରି ବିଜୟୀ ହୋଇଛି।ବରଗଡ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ରେ ୪ ୱିକେଟ୍ ହରାଇ ଏଞ୍ଜେଲ ରାଜ ଙ୍କ ୫୭ ରନ୍ ଓ ଲିପସା ରଥ ଙ୍କ ୨୯ ରନ୍ ସହାୟତାରେ ୧୪୫ ରନ୍ କରିଥିଲେ। ପତ୍ୟୁତର ରେ କୋରାପୁଟ ଦଳ ୧୮.୫ ଓଭର ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୧ ରନ୍ ରେ ସୀମିତ ରହିଥିଲା। ଦଳ ତରଫରୁ ସୁଧୃତି ରାଉତ ୨୫ ରନ୍ କରିଥିବା ବେଳେ ବରଗଡ ପକ୍ଷରୁ ଦେବାଂଶି, ଲୁଇସା ଦାଶ ଓ ଶ୍ରେୟା ପରମାଣିକ ପ୍ରତ୍ୟେକ ୩ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ର ସଭ୍ୟ ବିବେକାନନ୍ଦ ବୋଷ, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ସୁଧୀର ସାହୁ, କାଜଲ ବଳିଆରସିଂ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ବିରଞ୍ଚି ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ୍ କୁ ପରିଚାଳନା କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ମହିଳା ଜିଲ୍ଲା ଦଳର ଦିବ୍ୟାନ୍ସି ପଣ୍ଡା ଓ ସୌମ୍ୟା ପାଟଶାଣୀ ଙ୍କୁ ଜିଲ୍ଲା ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅମ୍ପାୟର ରୂପେ ସତ୍ୟ ତ୍ରୀପାଠୀ, ରାଜେଶ ମହାପାତ୍ର ଓ ସ୍କୋରର ଭାବେ ବିଶାଲ ପରିଡ଼ା କାର୍ଯ୍ୟ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
