ଆଗକୁ କିଏ ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ , ପଞ୍ଚାୟତ ପଞ୍ଚାୟତ ବୁଲି ସେମାନଙ୍କ ଅସଲ ମୁଖା ଖୋଲା ଯିବ
ଧ୍ରୁବ ଙ୍କ ବିବୃତି ପରେ , ଥଙ୍ଗ ଥଙ୍ଗ ହେଲେ ପ୍ରଭାତ
ପ୍ରଭାତ କହିଲେ, ନାଲି ପିନ୍ଧିଛି, ଖୁବ ଶୀଘ୍ର ଧଳା ପିନ୍ଧିବି ଓ କହିବି : ସନ୍ଦେହ ବଢ଼ାଇଲା ପ୍ରଭାତଙ୍କ ବୟାନ
ପଂଚାୟତସ୍ତରୀୟ ବୈଠକରେ ପୋଲ ଖୋଲି ଅନ୍ୟ ନେତା ଙ୍କୁ ଚେତାବନୀ ଦେଲେ କି ବବି !
ଭୁବନେଶ୍ୱର, (14/04):- ଗତ ରାଜ୍ୟସଭା ନିର୍ବାଚନ ବେଳେ ବହୁଚର୍ଚ୍ଚିତ ‘ଘୋଡ଼ା ବେପାର’ ଅଭିଯୋଗ ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ରାଜ୍ୟସଭା ପାଇଁ ୮ କୋଟି ଟଙ୍କା ମାଗିବା ପ୍ରସଙ୍ଗରେ ତତ୍କାଳୀନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଅସ୍ଵାଭାବିକ ନୀରବତା ଓ ଅପ୍ରସ୍ତୁତ ପ୍ରତିକ୍ରିୟା ରାଜନୈତିକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣମାଧ୍ୟମ ଆଗରେ ନିଜକୁ ନିର୍ଦ୍ଦେଷ ପ୍ରମାଣିତ କରିବା ପରିବର୍ଭେ, ‘ମୁଁ ଏବେ ନାଲି ପିନ୍ଧିଛି, ଖୁବ ଶୀଘ୍ର ଧଳା ପିନ୍ଧିବି ଓ କହିବି’ ବୋଲି ସେ ଦେଇଥିବା ବୟାନ ତାଙ୍କୁ ଅଧୂକ ସନ୍ଦେହ ଘେରକୁ ଟାଣି ଆଣିଛି।

ଏହି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି କେନ୍ଦ୍ରାପଡ଼ା ବିଜେଡି ନେତା ଧ୍ରୁବ ସାହୁଙ୍କ ସ୍ଵୀକାରୋକ୍ତି | ୮ କୋଟି ଟଙ୍କା ଦାବିର ସତ୍ୟତାକୁ ଧ୍ରୁବ ସାହୁ କେବଳ ଗ୍ରହଣ କରିନାହାନ୍ତି, ବରଂ ଉକ୍ତ ସମୟରେ ଅନ୍ୟମାନଙ୍କ ଉପସ୍ଥିତି ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ପ୍ରଭାତଙ୍କ ଉତ୍ତରବିହୀନତା ଏବଂ ଧ୍ରୁବ ସାହୁଙ୍କ ସ୍ପଷ୍ଟୀକରଣ, ଉଭୟ ମିଶି ସାଧାରଣ ଜନତାଙ୍କ ମନରେ ଏକ ଦୃଢ଼ ଧାରଣ ସୃଷ୍ଟି କରିଛି ଯେ ନିର୍ବାଚନ ସମୟରେ ବିକ୍ରିବଟାର ଯେଉଁ ଗୁଳବ ହେଉଥିଲା, ତାହା ପ୍ରକୃତରେ ନିରାଟ ସତ୍ୟ ଥିଲା।
ଏପରିକି ଯେଉଁ ବିଜୁ ଲିଗାସୀ କଥା ଏବେ ଉଠିଛି ତାହା କେବଳ ଘୋଡା ବେପାରରୁ ବର୍ତିବା ପାଇଁ ବିରୋଧୀ ଙ୍କର ଏକ ପ୍ରୟାସ ବୋଲି ମଧ୍ୟ ଧ୍ରୁବ କହିଛନ୍ତି।
ଏହି ଘୋଡ଼ା ବେପାର କଳଙ୍କରୁ ନିଜକୁ ରକ୍ଷା କରିବା ପାଇଁ ଏବେ ଦଳର କିଛି ନେତା ହଠାତ୍ ‘ବିଜୁ ଲିଗାସି’ର ସାହାରା ନେଉଥିବା ଚର୍ଚ୍ଚା ଜୋର ଧରିଛି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଯେଉଁମାନଙ୍କ ତୁଣ୍ଡରେ ବିଜୁ ଲିଗାସିର ଶବ୍ଦ ନଥୁଲା ବା ଯେଉଁମାନେ ଏହାକୁ ନେଇ କେବେ ସଂଗଠିତ ହେଉନଥିଲେ, ଏବେ ସେମାନଙ୍କର ଏହି ନୂଆ ପ୍ରେମ ଅନେକ ସନ୍ଦେହ ସୃଷ୍ଟି କରୁଛି | ରାଜନୈତିକ ସମୀକ୍ଷକଙ୍କ ମତରେ, ଏହା ନିଜର ଦୁର୍ବଳତା ଓ ଦୁର୍ନୀତିକୁ ଲୁଚାଇବା ପାଇଁ ଏକ ପ୍ରୟୋଜିତ ଢାଲ ମାତ୍ର ।
ଅନ୍ୟପକ୍ଷରେ, ସାଧାରଣତଃ ନୀରବ ରହୁଥିବା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କର ହଠାତ୍ ଏହି ଆକ୍ରମଣାତ୍ମକ ଅବତାର ପଛରେ ଏକ ସୁଚିନ୍ତିତ ରାଜନୈତିକ ଗଣନୀତି ଲୁଚି ରହିଛି | ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥବାରୁ, ଦଳ ଭିତରେ ରହି ‘ବିଭୀଷଣ’ ସାଜିବାକୁ ଯୋଜନା କରୁଥିବା ନେତାମାନଙ୍କୁ ସିଧାସଳଖ ଚେକ୍ ଦେବା ପାଇଁ ବବି ଏହି ପନ୍ଥା ଆପଣେଇଛନ୍ତି। ବବି ଚାହିଁଥିଲେ ମିଡିଆ ଡାକି ଏକଥା କହିପାରିଥାନ୍ତେ, କିନ୍ତୁ ଏକ ପଞ୍ଚାୟତ ସ୍ତରୀୟ ବୈଠକରେ ଲୋକଙ୍କ ଆଗରେ ପ୍ରଭାତଙ୍କୁ କାଠଗଡ଼ାରେ ଛିଡ଼ା କରାଇବା ସହ ‘ଖାତା ଖତିୟାନ୍ ଧରି ଆସିବି ଓ ସବୁ ପୋଲ ଖୋଲିବି’ ବୋଲି ଦେଇଥିବା ଖୋଲା ଚେତାବନୀ, ଦଳବିରୋଧୀଙ୍କ ପାଇଁ ଏକ ଶକ୍ତ ଝଟକା | ଯଦି ଆଗକୁ କେହି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରେ, ତେବେ ପଞ୍ଚାୟତ ପଞ୍ଚାୟତ ବୁଲି ସେମାନଙ୍କ ଅସଲ ମୁଖା ଖୋଲିବାକୁ ସେ ପଛାଇବେ ନାହିଁ I ଦଳର ଜଣେ ପ୍ରଭାବଶାଳୀ ତଥା ଆଗଧାଡ଼ିର ନେତା ଭାବରେ ବବିଙ୍କ ଏହି କଥାକୁ ଦଳୀୟ କର୍ମୀ ବିଶ୍ଵାସକୁ ନେଉଛନ୍ତି, ଯାହାଳି ଧ୍ରୁବ ସାହୁଙ୍କ ବୟାନ ଦ୍ଵାରା ଅଧୂକ ପ୍ରମାଣିତ ହୋଇସାରିଛି।
ଆଗାମୀ ଦିନରେ ‘ବିଜୁ ଲିଗାସି’ ବନାମ ‘ବିଜୁ ଆଦର୍ଶ’ କୁ ନେଇ ବିଜେଡିରେ ଏକ ବଡ଼ ଧରଣର ଛକାପଞ୍ଚା ଦେଖୁବାକୁ ମିଳିବାର ସମ୍ଭାବନା ରହିଛି। ବିଶ୍ୱସ୍ଥ ସୂତ୍ରରୁ ଶୁଣିବାକୁ ମିଳିଛି ଯେ, ଦବି ଖୁବ୍ ଶୀଘ୍ର ବିଜୁ ଲିଗାସି ନାଁରେ ଚାଲିଥିବା ରାଜନୀତିକୁ ପ୍ରତିହତ କରିବା ପାଇଁ ‘ବିଜୁ ଆଦର୍ଶ ଓ ସ୍ୱାଭିମାନ’ର ଅସ୍ତ୍ର ପ୍ରୟୋଗ କରିପାରନ୍ତି । ଯେଉଁମାନେ ଆଜି ବିଜୁ ଲିଗାସିର କଥା କହୁଛନ୍ତି, ସେମାନେ ପ୍ରକୃତରେ ବିଜୁ ବାବୁଙ୍କ ଭଳି ନିଃସ୍ୱାର୍ଥପର ଓ ସ୍ଵାଭିମାନୀ ହୋଇପାରିବେ କି ନାହିଁ, ସେହି ବଡ଼ ପ୍ରଶ୍ନ ବବି ଉଠାଇପାରନ୍ତି । ଘୋଡ଼ା ବେପାର ଭଳି ଘଟଣା ପ୍ରମାଣିତ ହେବା ପରେ, ସ୍ୱାର୍ଥ ସାଧନ ପାଇଁ ବିଜୁ ଲିଗାସି ଶବ୍ଦ ବ୍ୟବହାର କରି ବିଜୁ ଆଦର୍ଶରେ କଳଙ୍କ ବୋଳୁଥିବା ନେତାଙ୍କୁ ସେ କଡ଼ା ଜବାବ ଦେଇପାରନ୍ତି। ଶେଷରେ “ବିଜୁ ଲିଗାସି’ର ପ୍ରକୃତ ଅର୍ଥ ଏବଂ ତାଙ୍କର ଏକମାତ୍ର ଯୋଗ୍ୟ ଉତ୍ତରାଧୀକାରୀ କେବଳ ନବୀନ ପଟ୍ଟନାୟକ ବୋଲି ଏକ ଦୃଢ଼ ବାଉଁ ଖୁବ୍ ଶୀଘ୍ର ରାଜ୍ୟ ରାଜନୀତିରେ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଲାଣି। ଯାହା ବିରୋଧୀ ଗୋଷ୍ଠୀଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିଦେବ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
