ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ : ବିଜେଡି

ମହାନଦୀ ସଂକଟର ସମାଧାନ କେବେ, ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ପ୍ରସନ୍ନ ଆଚାର୍ଯ୍ୟ

ଛତିଶଗଡ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି

Advertisement

ଭୁବନେଶ୍ଵର, (୧୩/୧୨): -ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ | ଗତ କିଛି ଦଶନ୍ଧି ହେଲା ଓଡିଶାବାସୀଙ୍କ ମା ସମାନ ମହାନଦୀର ଜୀବନସ୍ରୋତକୁ ସଂକୁଚିତ କରି ମା’କୁ ବିକଳାଙ୍ଗ କରିଦେବାର ହୀନ ଚକ୍ରାନ୍ତ ସମଗ୍ର ଓଡିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏହାର ଆର୍ଭ ଚିତ୍କାର ନା କେନ୍ଦ୍ର ସରକାର ଶୁଣୁଛନ୍ତି ନା ଛତିଶଗଡ ସରକାର। ଓଡିଶା ରାଜ୍ୟର ବିନା ସହମତିରେ ଆନ୍ତଃରାଜ୍ୟ ନଦୀ ଜଳ ସଂପର୍କିତ ସମସ୍ତ ବିଧ ବିଧାନକୁ ବେଖାତିର କରି ଛତିଶଗଡ ରାଜ୍ୟ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି ଏବଂ କେନ୍ଦ୍ର ସରକାର ଶୁଣ୍ଢି ସାକ୍ଷୀ ମାତାଲ ଭଳି ନୀରବ ଦ୍ରଷ୍ଟା ସାଜିଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳସ୍ରୋତକୁ ମନଇଚ୍ଛା ନିଜ ଅଧୀନରେ ରଖ୍ ଓଡିଶାରେ ମହାନଦୀର ଧାରାକୁ ଶୁଷ୍କ ଓ ନିରସ ରଖୁଥିବା ଛତିଶଗଡ ସରକାରଙ୍କ ମନମୁଖ କାର୍ଯ୍ୟ ଓଡିଶାର ଦାରୁଣ କ୍ଷତି ଘଟାଉଛି । ତଦାଷିତ ରାଜ୍ୟ ସରକାରଙ୍କ ସକଳ ଅନୁରୋଧ ଓ ଆବେଦନ ଛତିଶଗଡ ସରକାର ତ ଶୁଣିଲେ ନାହିଁ, କେନ୍ଦ୍ର ସରକାର ଓ କେନ୍ଦ୍ର ଜଳ ଆୟୋଗ ମଧ୍ୟ ନୀରବ ଦ୍ରଷ୍ଟା ସାଜିଲେ। ଜଳସେଚନର ଦ୍ବାହି ଦେଇ ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡର କୂଳେ କୂଳେ ଅଗଣିତ ଘରୋଇ ଶିଳ୍ପ ମାନଙ୍କୁ ଅଜସ୍ର ଜଳ ପ୍ରଦାନ କରି ଓଡିଶାର ମହାନଦୀର ତଳ ମୁଣ୍ଡରେ ଜଳ ସଂକଟ ସୃଷ୍ଟି କଲେ। ଓଡିଶା ଯେଉଁ ମହାନଦୀ ଦିନେ ବର୍ଷତମାମ ଚଳଚଞ୍ଚଳ ଓ ଜଳ ପରିପୂର୍ଣ୍ଣ ରହୁଥିଲା ତାହା ଆଜି ଶୁଷ୍କ ଓ ରୁଗ୍ଣ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଜାରି ରହିଲେ ହୀରାକୁଦ ଜଳଭଣ୍ଡାର ଦିନେ ଜଳଶୂନ୍ୟ ହେବ ଓ ଅନିଶ୍ଚିତ ସଂକଟ ଭିତରକୁ ଠେଲି ହୋଇଯିବ।


ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ ଯେ, କେନ୍ଦ୍ର, ଛତିଶଗଡ ଓ ଓଡିଶାରେ ବର୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖିଥିଲେ, କିନ୍ତୁ ତାହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି। ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ । ମହାନଦୀ ଜଳ ବିବାଦର ମାମଲା ଟ୍ରିବ୍ୟୁନାଲରେ ୭ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ପଡି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡ଼ୁଛି ଓ ରାଜ୍ୟ ରାଜକୋଷରୁ କୋଟି କୋଟି ଖର୍ଚ୍ଚ ହେଉଛି, କିନ୍ତୁ ପ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ । ଆଉ କେତେ ଦିନ ଲାଗିବ ଇଶ୍ୱର ହିଁ ଜାଣନ୍ତି।

ବର୍ତ୍ତମାନ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବନା କରିଛନ୍ତି, ଓଡିଶାବାସୀ ଜାଣିବା ପାଇଁ ଚାହାନ୍ତି ।

୧. ଆପୋଷ ସମାଧାନ ପାଇଁ ଆଲୋଚନାର ସର୍ଭାବଳୀ କ’ଣ କ’ଣ ରହିବ ?

୨. ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ କି ?

୩. ରାଜ୍ୟ ସରକାର ଆପୋଷ ସମାଧାନକୁ ଯିବା ପୂର୍ବରୁ ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଗଠନମାନଙ୍କୁ ବିଶ୍ବାସକୁ ନେଇ ତାଙ୍କ ସହ ଆଲୋଚନା କରିବେ ?

୪. ଛତିଶଗଡ ସରକାର ଏବେ ସୁଦ୍ଧା ଚାଲୁ ରଖୁଥ‌ିବା ମହାନଦୀ ଓ ତାର ଶାଖା ନଦୀମାନଙ୍କରେ ନିର୍ମାଣାଧୀନ ଆନିକଟ କାର୍ଯ୍ୟକୁ ଆପୋଷ ଆଲୋଚନାରେ ବନ୍ଦ କରିବେ କି ?

୫. ମହାନଦୀ ଟ୍ରିବ୍ୟୁନାଲର ଦୈନନ୍ଦିନ କାର୍ଯ୍ୟ ବସ୍ତୁତ ବନ୍ଦ ରହିଥ‌ିବାରୁ ଏହାକୁ ତ୍ବରାନ୍ବିତ କରିବା ପାଇଁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିବେ କି ?

ରାଜ୍ୟବାସୀ ଟ୍ରିପଲ ଇଞ୍ଜିନ ସରକାରଙ୍କ ଠାରୁ ଏ ସମସ୍ତ ବିଷୟରେ ସ୍ପଷ୍ଟୀକରଣ ଆଶା ରଖୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *