ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ସ୍ନାତକମାନେ ଉଦ୍ୟମିତା ଏବଂ ନବସୃଜନକୁ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, (୦୬/୧୨);-  ସ୍ନାତକମାନେ ଉଦ୍ୟମିତା ଓ ନବ ସ୍ରୁଜନକୁ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଶନିବାର ଦିନ ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର (CUTM)ର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହ କେବଳ ଚାକିରି ନଖୋଜି  ନିଯୁକ୍ତି ସୃଷ୍ଟିକାରୀ ହେବାକୁ ଉତ୍ସାହିତ କରିଛନ୍ତି।

ଉଦ୍ୟମିତା କେବଳ ବ୍ୟବସାୟ ଆରମ୍ଭ କରିବା ବିଷୟରେ ନୁହେଁ, ଏହା ଏକ ମାନସିକତା I ପଦକ୍ଷେପ ନେବା, ସମସ୍ୟା ସମାଧାନ କରିବା, ନିଜର ଚିନ୍ତାଧାରାକୁ ରୂପ ଦେବା ଏବଂ ବାସ୍ତବ ବିଶ୍ୱ ଚ୍ୟାଲେଞ୍ଜରେ ଶିକ୍ଷାକୁ ପ୍ରୟୋଗ କରିବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ଯେ ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟ ( CUTM) ରେ ପ୍ରଦାନ କରାଯାଉଥିବା ଶିକ୍ଷା ଏବଂ ବ୍ୟବହାରିକ ଅଭିଜ୍ଞତା ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସର ସହିତ ନବସୃଜନ ପଥ ଅନୁସରଣ କରିବା ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରେ। ଉଦ୍ୟୋଗୀ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ସରକାରୀ ନିତୀଗୁଡ଼ିକୁ ଜାଣିବା,ବୁଝିବା, ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଜାଣିବା ଏବଂ ସାମାଜିକ ଆବଶ୍ୟକତା ସହିତ ସେମାନଙ୍କର ପଦକ୍ଷେପକୁ ସମନ୍ଵିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।



ସ୍ନାତକମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ଆପଣମାନେ ଏକ ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱରେ ପାଦ ଦେଉଛନ୍ତି। ଭାରତର ଅର୍ଥନୀତି ସ୍ଥିର ଭାବରେ ବୃଦ୍ଧି ପାଉଛି, ପ୍ରଯୁକ୍ତିବିଦ୍ୟାର ଉନ୍ନତି ବିଶ୍ୱ ସ୍ତରରେ ପ୍ରଶଂସିତ ହେଉଛି ଏବଂ ଆମ ଦେଶର ଯୁବପିଢ଼ି ଆମର ସର୍ବଶ୍ରେଷ୍ଠ ଶକ୍ତି। ସୁଯୋଗ ଅପାର, କିନ୍ତୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବାଧା ଏବଂ ବିଶ୍ୱ ପରିବର୍ତ୍ତନ ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ଗ୍ରହଣୀୟତା ଗୁରୁତ୍ୱପୂର୍ଣ୍ଣ ଅଟେ।

ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର ଅନନ୍ୟ ସାମର୍ଥ୍ୟ ଉପରେ ଆଲୋକପାତ କରି ଜନଜାତି ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଭୁକ୍ତି, ଦକ୍ଷତା-ସମ୍ମିଶ୍ରିତ ଶିକ୍ଷା ପ୍ରତି ଏହାର ପ୍ରତିବଦ୍ଧତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଇଞ୍ଜିନିୟରିଂ, କୃଷି, ସ୍ୱାସ୍ଥ୍ୟ ବିଜ୍ଞାନ, ସାମୁଦ୍ରିକ ଅଧ୍ୟୟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ବହୁମୁଖୀ ଆଭିମୁଖ୍ୟକୁ ରାଜ୍ୟପାଳ ଉଲ୍ଲେଖ କରିଥିଲେ, ଯାହା ବ୍ୟବହାରିକ ଶିକ୍ଷା, ଜୀବିକା ସୃଷ୍ଟି ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଥାଏ ବୋଲି କହିଥିଲେ।

ରାଜ୍ୟପାଳ ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ସହଯୋଗକୁ ମଧ୍ୟ ପ୍ରଶଂସା କରିଥିଲେ ।ବିଶେଷକରି ଅଷ୍ଟ୍ରେଲିଆର ପ୍ରତିଷ୍ଠାନଗୁଡ଼ିକ ସହିତ ଗବେଷଣା, ତାଲିମ ଏବଂ ପାରସ୍ପରିକ ସାଂସ୍କୃତିକ କବୁଝାମଣାକୁ ବୃଦ୍ଧି କରିବ। ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ଯେ ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ଲକ୍ଷ୍ୟ ହାସଲ ଦିଗରେ ସାଧୁତା, ନମ୍ରତା, କରୁଣା ଏବଂ ନୈତିକତା ଭଳି ମୂଲ୍ୟବୋଧ ସେମାନଙ୍କ କାର୍ଯ୍ୟକୁ ମାର୍ଗଦର୍ଶନ କରିବ ବୋଲି କହିଥିଲେ।

ଭାରତରେ ଶିକ୍ଷା କେବଳ ବ୍ୟକ୍ତିଗତ ବିକାଶ ପାଇଁ ନୁହେଁ ବରଂ ସାମୂହିକ ମଙ୍ଗଳ ପାଇଁ। ନବସୃଜନ, ଉନ୍ନତ ଜୀବିକା ଏବଂ ରାଷ୍ଟ୍ର ନିର୍ମାଣରେ ସ୍ନାତକକମାନେ ଯୋଗଦାନ କରିବା ନିମନ୍ତେ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଯେକୌଣସି ପଥ ବାଛନ୍ତୁ ନିଶ୍ଚିତ କରନ୍ତୁ ଯେ ଏହା ଆପଣଙ୍କ ଚାରିପାଖର ଲୋକଙ୍କର ଉନ୍ନତି ଦିଗରେ ସହାୟକ ହେବ ବୋଲି କହିଥିଲେ। ଏତଦବ୍ୟତୀତ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଉଦ୍ୟୋଗ ସମ୍ପର୍କିତ ସୁଯୋଗ ସମ୍ପର୍କରେ  ଛାତ୍ରଛାତ୍ରୀମାନେ ଜାଣିଲେ ସେମାନେ ଏହି ଉଦ୍ୟୋଗ ପାଇଁ ଆଗ୍ରହୀ ହେବେ ବୋଲି ରାଜ୍ୟପାଳ କହିଥିଲେ।

ଏହି ସମାରୋହରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଡିଗ୍ରୀ ଏବଂ ପଦକ ମଧ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଭାରତ ସରକାରଙ୍କ ମହାକାଶ ବିଭାଗର ସଚିବ ଏବଂ ମହାକାଶ ଏବଂ ଇସ୍ରୋ (ISRO) ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ର ଡାଇରେକ୍ଟର ଜେନେରାଲ ଡ.ବି.କେ.ଦାଶ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର(CUTM)ର ଭାଇସ-ଚାନସେଲର ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ ରିପୋର୍ଟକ ଉପସ୍ଥାପନା କରିଥିଲେ।                 

    

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *