ଏସପି ମହାଶୟଙ୍କ ୱେବସିରିଜ କାହାଣୀ ପଠନ କଲା କଂଗ୍ରେସ
ସରକାର ଓଡିଶା ପୁଲିସକୁ ଆରଏସଏସ ପୁଲିସ କରିବାକୁ ଚାହୁଁଛି
ଏସପି ଯେତିକି ଦାୟୀ ମୁଖ୍ୟମନ୍ତ୍ରୀ ମଧ୍ୟ ସେତିକି ଦାୟୀ
ନିସର୍ତ୍ତ କ୍ଷମାପ୍ରାର୍ଥନା ପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ କାହିଁକି ?
ଭୁବନେଶ୍ୱର,( ୧୩/୧୧) :- ବ୍ରହପୁର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଏବଂ ଏହି ଘଟଣାର ତଦନ୍ତଭାର ନେଇଥିବା ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ଭତ୍ସନା ଆଦି ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ପିସିସିର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଏବଂ ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର ସମ୍ବୋଧିତ କରିଥିଲେ ।
ମୁଖପାତ୍ର ଶ୍ରୀମତୀ ସାହୁ କହିଛନ୍ତି, ବିଜେପି ଶାସନରେ କେଉଁଠି ବୋମା ବିସ୍ଫୋରଣ ହେଲାଣି ତ କେଉଁଠି ୱେବ ସିରିଜ କାହାଣୀ କୁହା ଗଲାଣି । ବ୍ରହ୍ମପୁରରେ ଘଟିତ ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ସାମ୍ବାଦିକ ସମ୍ମିଳନୀରେ ୱେବ ସିରିଜର ସ୍କ୍ରିପ୍ଟ ଭଳି ମନଗଢା କାହାଣୀ ଅତି ସୁନ୍ଦର ଭାବରେ ଉପସ୍ଥାପନା କଲେ । ତେବେ ଏହି ମନଗଢା କାହାଣୀ ଏସପି ମହାଶୟ ପ୍ରମାଣିତ କରି ପାରିବେ ନାହିଁ ? କରି ପାରିଲେନି ନୈତିକତା ଉପରେ ପ୍ରଶ୍ନ ଉଠିବ ବୋଲି କଣ ଏସପି ଜାଣି ନଥିଲେ କି ? ବିନା ତଥ୍ୟ ଆଧାରରେ କାହାଣୀ କହିବା ଯୋଗୁଁ ହାଇକୋର୍ଟ ବ୍ରହ୍ମପୁର ଏସପିଙ୍କୁ ଭତ୍ସନା କରିବା ସହିତ କୋର୍ଟରେ ବ୍ୟକ୍ତିଗତ ହାଜିର ପାଇଁ ଆଦେଶ ଦେଲେ ଏବଂ ଏସପି ମହାଶୟ ହାଇକୋର୍ଟ ଯାଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କଲେ । ଏହା ଓଡିଶା ରାଜନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । କାରଣ ଏସପି ଯେଉଁ ସ୍କ୍ରିପ୍ଟ କହିଲେ ପ୍ରକୃତରେ ବିଜେପି ସରକାରଙ୍କ ଦ୍ୱାରା ଦ୍ୱାରା ତାହା ଲିଖିତ ନା ଆରଏସଏସ ଲେଖି ଥିଲା ? ପୀତବାସ ପଣ୍ଡାଙ୍କ ହତ୍ୟାକାରୀ ପୂର୍ବରୁ ରେକୀ କରିଥିଲେ ବୋଲି ସିସିଟିଭି ଫୁଟେଜ ଦେଖାଇଲେ କିନ୍ତୁ ହତ୍ୟାକାଣ୍ଡ ବେଳର ଫୁଟେଜ ଦେଖାଇଲେ ନାହିଁ । ଏସପି ମହାଶୟ କଣ ଜ୍ୟୋତିଷ ନା ଦ୍ଵିତୀୟ ସାରଥୀ ବାବା ବୋଲି ଶ୍ରୀମତି ସାହୁ ପ୍ରଶ୍ନ ପଚାରିଛନ୍ତି । ଶ୍ରୀମତୀ ସାହୁ ପୁଣି କହିଛନ୍ତି ଯେ, ଏସପିଙ୍କ କାହାଣୀ ପଠନ ସବୁ ବିଜେପି, ଆରଏସଏସ ଓ ପ୍ରଶାସନର ମିଳିତ ଚକ୍ରାନ୍ତ ଥିଲା କାରଣ ନୂଆପଡା ନିର୍ବାଚନକୁ ପ୍ରଭାବିତ କରିବା ଲକ୍ଷ ଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ବାଲି ମାଫିଆଙ୍କ ସମ୍ପର୍କ ଲୁଚେଇବା ପାଇଁ । ବିଜେପି ସରକାର ଓଡିଶା ପୁଲିସକୁ ଆରଏସଏସ ପୁଲିସରେ ରୂପାନ୍ତରିତ କରିବାକୁ ଚାଁହୁଛି । ନିଜକୁ କଣ୍ଟକମୁକ୍ତ କରିବା ପାଇଁ ସମସ୍ତ ତଥ୍ୟ ପ୍ରମାଣ ଲୁଚାଇବାକୁ ଚାଁହୁଛି । ମନଗଢା କାହାଣୀ ପାଇଁ ଏସପିଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ଓଡିଶାବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି । ତେବେ ଏଥିପାଇଁ ଦାୟୀ କିଏ ? ଏଥିପାଇଁ ଏସପି ଶ୍ରବଣା ବିବେକ ଯେତିକି ଦାୟୀ, ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସେତିକି ଦାୟୀ । ଏତେ ଲଜ୍ୟାଜନକ ଘଟଣା ଘଟିଯିବା ସତ୍ୱେ ସରକାର, ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ଦିଆ ଯାଇନାହିଁ । କଂଗ୍ରେସ ଦାବୀ କରୁଛି, ଏସପିଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ବ୍ରହ୍ମପୁର ଭଳିଆ ଗୁରୁତ୍ୱପୂର୍ଣ ସ୍ଥାନରୁ ଏସପି ଶ୍ରବଣାଙ୍କୁ ହଟାଯାଉ ବୋଲି ଶ୍ରୀମତୀ ସାହୁ କହିଥିଲେ ।

ଅନ୍ୟତମ ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର କହିଲେ, ଏଇ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଗେଲ୍ହାପୁଅ ଥିଲେ । ସରକାର ପରିବର୍ତ୍ତନ ହେଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଶ୍ରବଣା ଯେମିତିକୁ ସେମିତି ରହିଲେ । ପ୍ରକୃତରେ ଏସପି ମହୋଦୟ ସର୍ଦାର ବଲ୍ଲଭ ଭାଇ ପଟେଲ ଇନଷ୍ଟିଚ୍ୟୁଟରୁ ଟ୍ରେନିଂ ନେଇଛନ୍ତି କି ? ଯଦି ନେଇଛନ୍ତି ତେବେ ଏଇ ମନଗଢା ସ୍କ୍ରିପ୍ଟ କହିଲେ କାହିଁକି ? ନିସର୍ତ୍ତ କ୍ଷମାପ୍ରାର୍ଥନା ପରେ ତାଙ୍କୁ ପୁଲିସ ଡିଜି ଓ ଗୃହମନ୍ତ୍ରୀ ତାଙ୍କୁ କେବେ ଦାୟିତ୍ୱମୁକ୍ତ କରିବେ କାରଣ ବ୍ରହ୍ମପୁର ଭଳିଆ ଗୁରୁତ୍ୱପୂର୍ଣ ସ୍ଥାନରେ ସେ ଏସପି ଦାୟିତ୍ୱରେ ରହିବାର ନୈତିକତା ହରାଇ ବସିଛନ୍ତି । ତେବେ ପ୍ରଶ୍ନ ଉଠୁଛି ସରକାର ଏବଂ ଏସପି ଶ୍ରବଣାଙ୍କ ମଧ୍ୟରେ କଣ ଭିତିରି ସମ୍ପର୍କ ଅଛି ଯେ ତାଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ପଚାରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now