ମାଗୁଛି ବିଜେପି ଜଳଖୁଆ ଦେଇ
ତୁରନ୍ତ ହସ୍ତକ୍ଷେପ କରନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ: ବିଜେଡି
ନୂଆପଡ଼ା,( ୧୧/୧୧):- ମଙ୍ଗଳବାର ସକାଳୁ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କିନ୍ତୁ ଭୋଟ ଗ୍ରହଣ ଦିନ ବି ଆଦର୍ଶ ଆଚରଣ ବିଧିକୁ ମାନି ନାହିଁ ବିଜେପି । ବିଜେପି କର୍ମୀମାନେ ବୁଥ ଭିତରେ ପଶି ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ ବଳପୂର୍ବକ ଚାପ ପକାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେହିପରି ମତଦାନ କେନ୍ଦ୍ର ଆଗରେ ବିଜେପି କର୍ମୀମାନେ ଭୋଟରଙ୍କୁ ଖାଦ୍ୟ ପୁଡିଆ ଦେଇ ପ୍ରଭାବିତ କରୁଛନ୍ତି ବୋଲି ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇ କାଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି କହିଛନ୍ତି, ଭୋଟ ଗ୍ରହଣ ଚାଲିଥିବା ବେଳେ ସବୁ ନୀତି ନିୟମ ଓ କଟକଣାକୁ ବି ମାନୁ ନାହାନ୍ତି ବିଜେପି ନେତା ଓ କର୍ମୀ । ବୁଥ ଭିତରେ ବଳପୂର୍ବକ ଉପସ୍ଥିତ ରହି ଭୋଟରଙ୍କୁ ଭୟଭୀତ କରି ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଚାପ ପକାଉଛନ୍ତି । ଖରୀଆର ରୋଡ ଏନଏସିରେ ଥିବା ବୁଥ୍ ନଂ ୩,୪,୫, ୧୩, ୧୪, ୧୫ ଆଗରେ ଏପରି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ସେଠାରେ ଉପସ୍ଥିତ ସରକାରୀ ଅଧିକାରୀ ସବୁ ଦେଖୁ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ବିଜେପି ପ୍ରାର୍ଥୀଙ୍କୁ ସୁହାଇବା ଭଳି କାର୍ଯ୍ୟରେ ସେମାନେ ଲିପ୍ତ ଅଛନ୍ତି । ତେଣୁ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ।
ଅପରପକ୍ଷେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଅଭିଯୋଗ କରିଛନ୍ତି ଯେ, ନୂଆପଡ଼ାର ସବୁ ବୁଥ ଆଗରେ ବିଜେପି ନେତା ଓ କର୍ମୀମାନେ ଷ୍ଟଲ ଲଗାଇ ଭୋଟ ଦେବା ପାଇଁ ଆସୁଥୁବା ଲୋକଙ୍କୁ ଟିଫିନ୍ ପୁଡିଆ ଧରାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି। ଖାଦ୍ୟ ପୁଡିଆ ଦେଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଆଦର୍ଶ ଆଚାର ବିଥୁର ଏହା ଖୋଲା ଉଲଂଘନ । ଏପରି ଏକ ଗୁରୁତର ଓ ସମ୍ବେଦନଶୀଳ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଜନମତକୁ ପ୍ରଭାବିତ କରିବା ପାଇଁ ବିଜେପିର ଅପଚେଷ୍ଟା ଗଣତନ୍ତ୍ର ପାଇଁ ଘୋର ବିପଦ ବୋଲି ଦର୍ଶାଇ ନୂଆପଡାରେ ନିରପେକ୍ଷ ଉପନିର୍ବାଚନ ସୁନିଶ୍ଚିତ କରାଯାଉ ବୋଲି ଅପିଲ କରିଛି ବିଜେଡି । ବିଜେପିର ଏହି ନିନ୍ଦନୀୟ କାର୍ଯ୍ୟକୁ ନୂଆପଡ଼ାର ସଚେତନ ନାଗରିକ, ଉଚିତ୍ ଜବତ ଦେବେ ବୋଲି ବିଜେଡି ନେତୃବୃନ୍ଦ କହିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now