ଏବେବି କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରେ ୫% ଜିଏସ୍ଟି ରହିଛି
ଓଡ଼ିଶାରେ ପ୍ରତି ମାସରେ ହେବାକୁ ଥିବା ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ବହାନୀକୁ କେନ୍ଦ୍ର ସରକାର ଭରଣା କରିବା ଦରକାର
ଭୁବନେଶ୍ୱର, (୦୪/୦୯):- କେନ୍ଦ୍ର ସରକାରଙ୍କ ଦ୍ଵାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍ଟି ସ୍ଲାବ୍ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ ଜିଏସ୍ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥୁବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି । ଏହାଛଡା ନୂତନ ସ୍ଲାବ ଜିଏସ୍ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ଵହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ନିରଞ୍ଜନ ପୂଜାରୀ ଜିଏସ୍ଟି ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ । ଶ୍ରୀ ମିଶ୍ର କହିଥିଲେ, ୨୦୧୮ ମସିହାରୁ କେନ୍ଦୁପତ୍ର ଉପରେ ଜିଏସ୍ଟି ସମ୍ପୂର୍ଣ ଛାଡ଼ ପାଇଁ ବିଜୁ ଜନତା ଦଳ କହି ଆସୁଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ପାଇଁ ଚିଠି ଲେଖୁଥିଲେ। ଜିଏସ୍ଟିର ନୂତନ ସ୍ଲାବ ଅନୁଯାୟୀ କେନ୍ଦୁପତ୍ର ଉପରେ ଜିଏସ୍ଟିକୁ ୧୮%ରୁ ୫%କୁ ଖସାଇ ଦିଆଯାଇଛି। କିନ୍ତୁ, ଏହା କମିଥିଲେ ମଧ୍ୟ କେନ୍ଦୁପତ୍ର ତୋଳାଳୀଙ୍କୁ ବିଶେଷ ଫାଇଦା ମିଳିବ ନାହିଁ । କେନ୍ଦୁପତ୍ର ତୋଳାଳୀ ମାନେ କୌଣସି ସୁବିଧା ପାଇବେ ନାହିଁ ।
ନିରଞ୍ଜନ ପୂଜାରୀ କହିଥିଲେ, କେନ୍ଦୁପତ୍ର ଭଳି ହ୍ୟାଣ୍ଡଲୁମ କ୍ଷେତ୍ରରେ ମଧ୍ୟ ବୁଣାକାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଜିଏସ୍ଟି ଛାଡ଼ ପାଇଁ ବିଜେଡି ତରଫରୁ ଦାବି ହୋଇ ଆସୁଥିଲା । ଟେକ୍ସଟାଇଲ କ୍ଷେତ୍ରରେ ପାୱାରଲୁମ ଓ ହ୍ୟାଣ୍ଡଲୁମ ରହିଛି। ପାଓ୍ବାରଲୁମରେ ଶିଳ୍ପପତି ମାନେ ସମ୍ପୃକ୍ତ ଥିବାବେଳେ ହ୍ୟାଣ୍ଡଲୁମରେ ଗରିବ ବୁଣାକାର ମାନେ ରହିଛନ୍ତି । ସେମାନେ ବିଭିନ୍ନ ସୂତା ଶାଢ଼ୀ, ପାଟ ଶାଢ଼ୀ ଇତ୍ୟାଦି ଜିନିଷ ତିଆରି କରିଥାନ୍ତି। ଏହି ଗରିବ ଶ୍ରେଣୀର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଏସ୍ଟି ଛାଡ଼ ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ୫% ଜିଏସ୍ଟି ରହିଛି । ତେଣୁ ଉଭୟ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଟେକ୍ସଟାଇଲ ଉପରୁ ସମ୍ପୂର୍ଣ ଜିଏସ୍ଟି ଛାଡ଼ ପାଇଁ ବିଜୁ ଜନତା ଦଳ ଆଉଥରେ ଦାବି କରୁଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now