ଖୋର୍ଦ୍ଧା: – ପୂର୍ବ ବିବାଦ କୁ କେନ୍ଦ୍ରକରି ଜଣେ ଅଙ୍ଗନବାଡି ସହାୟିକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।ମୃତା ଜଣକ ହେଲେ ସଦରଥାନା ଅନ୍ତର୍ଗତ ଅଣ୍ଡା ବନମାଳିପୁର ପରିଡା ସାହି ର ଅଙ୍ଗନବାଡି ସହାୟିକା ମନୋରମା ପ୍ରଧାନ (୫୪) । ଖବର ପାଇ ଘଟଣାସ୍ଥଳରେ ଏସଡିପିଓ, ସାଇଁଟିଫିକ୍ ଟିମ୍ ଓ ସଦର ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଥିବା ଜଣାଯାଇଛି ।
ସୂଚନା ଅନୁସାରେ, ବନମାଳିପୁର ଅଙ୍ଗନବାଡି କେନ୍ଦ୍ରର ସହାୟିକାଭାବେ ମନୋରମା କାମ କରନ୍ତି । ମନୋରମାଙ୍କର ଗୋଟିଏ ଝିଅ ବାହାହୋଇଥିବାବେଳେ ପୁଅ ଗୋଟିଏ ରହିଛି । ତେବେ ଜମିଜମା କୁ କେନ୍ଦ୍ରକରି ଦିଅର କାଳିଆ ସହ ପୂର୍ବରୁ ବିବାଦ ଲାଗି ରହିଥିଲା । ଏହି ବିବାଦ ମଝିରେ ମଝିରେ ମୁଣ୍ଡ ଟେକୁଥିଲେ ମଧ୍ୟ ପରେ ଶାନ୍ତ ପଡୁଥିଲା । କିନ୍ତୁ ଏହି ବିବାଦ ଆଜି ସନ୍ଧ୍ୟାରେ ଉଗ୍ରରୂପ ଧାରଣ କରିଥିଲା । ସନ୍ଧ୍ୟା ପ୍ରାୟ ସାଢେ୬ଟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିବାବେଳେ କାଳିଆ ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ଆଣି ମନୋରମାଙ୍କୁ ଆକ୍ରମଣ କରିଥିଲା । ଏଥିରେ ମନୋରମାଙ୍କ ଶରୀରରେ ଗଭୀର କ୍ଷତ ହୋଇଥିବାବେଳେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ, ଏସ୍ଆଇ ଜୟନ୍ତ ଭଟ୍ଟଙ୍କ ସମେତ ଟିମ୍ ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ମନୋରମାଙ୍କ ମୃତଦେହକୁ ପୁଲିସ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ବ୍ୟବଛେଦ ଲାଗି ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି ।ରିପୋର୍ଟ ଲେଖାହେବା ଯାଏଁ ମନୋରମାଙ୍କ ପୁଅ ଝିଅ ବାହାରୁ ଫେରିନଥିବାରୁ ଥାନା ରେ ଅଭିଯୋଗ ହୋଇନଥିବା ପୁଲିସ କହିଥିବାବେଳେ କାଳିଆକୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now