ତାଳ ଗଛ ଲଗାନ୍ତୁ… ବଜ୍ରପାତ ରୁ ବଞ୍ଚାନ୍ତୁ ହଜିଯାଉଛି ତାଳଗଛ, ବଢୁଛି ବଜ୍ରପାତ

ତାଳ ଗଛ ବଂଚାଇବାକୁ ବନବିଭାଗ ପ୍ରୟାସ, ଲାଗିଲାଣି ୨୦ହଜାର ତାଳଗଛ
୫ବର୍ଷରେ ବଜ୍ରପାତ ରେ ଗଲାଣି ୪୬ଜୀବନ

ତାଳ ଗଛ ସାଜିବ ବଜ୍ର କବଚ : ଆସ ଏକ ହେବା.. ତାଳ ଗଛ ଲଗାଇବା

ଖୋର୍ଦ୍ଧା: -ଖୋର୍ଦ୍ଧା ଓ ଭୁବନେଶ୍ୱର ତଥା ଏହାର ଉପକଣ୍ଠ ଅଂଚଳରେ ବିକାଶ ନାଁ ରେ ବିନାଶ ଚାଲିଥିବା ଭଳି କାର୍ଯ୍ୟ ହେଉଛି ।ବିକାଶ ନାଁ ରେ ଗାଁ ରୁ ସହର ସବୁଠି ବିନାଶ ଚାଲିଛି । ସହର କଂକ୍ରିଟ ଜଙ୍ଗଲରେ ପରିଣତ ହେଉଥିବାବେଳେ ଗାଁ ଗହଳୀର କୃଷିକ୍ଷେତ୍ର କ୍ରମଶଃ ହ୍ରାସପାଇ ଏବେ ସୁଉଚ କୋଠାମାନ ଗଢି ଉଠିଲାଣି । ଯାହାକୁ ନେଇ ପରିବେଶବିତମାନେ ଚିନ୍ତାରେ ପଡିଲେଣି । ୧୯୯୯ ମସିହା ମହାବାତ୍ୟା ଏବଂ ୨୦୧୯ ଫନି ବାତ୍ୟା ସମୟରେ ଜିଲ୍ଲାର ବହୁ ସ୍ଥାନରେ ବିଶାଳ ବିଶାଳ ବୃକ୍ଷମାନ ନଷ୍ଟ ହେଲା । ଏହାପରେ ରାସ୍ତା ସମ୍ପ୍ରସାରଣ ପ୍ରଭୃତି ବିଭିନ୍ନ ଆଳରେ ଗଛକଟା ଆଜି ପର୍ଯ୍ୟନ୍ତ ଚାଲିଛି । ଏପଟେ କୃଷି କ୍ଷେତ୍ର ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତନ ଯୋଗୁ ତାପମାତ୍ରା ବଢିବା ସହ ଋତୁଚକ୍ରରେ ଅନୀୟମିତତା ଦେଖାଗଲାଣି ।

ସାଧାରଣତଃ ବର୍ଷା ସମୟରେ ବଜ୍ରପାତ ହେଲେ ତାକୁ ତାଳଗଛ ଟାଣିନେଇଥାଏ ବୋଲି କୁହାଯାଏ । ସେଥିପାଇଁ କୃଷିକ୍ଷେତ୍ର ଅଥବା ଗାଁ ଗହଳୀରେ ଅଧିକାଂଶ ତାଳଗଛ ପୂର୍ବରୁ ରହିଥିଲା । ୧୯୯୯ମହାବାତ୍ୟା ପରେ ଯେତେ ବାତ୍ୟା ଆସିଛି ସେଥିରେ ବହୁ ତାଳଗଛ ନଷ୍ଟ ହେଲାଣି । ଅନେକ ସମୟରେ ବିଭିନ୍ନ କାରଣରୁ ତାଳଗଛକୁ ଲୋକେ କାଟି ଦେଉଛନ୍ତି । ଯାହାଫଳରେ ବଜ୍ରପାତ ଜନିତ ମୃତୁ୍ୟ ଅଧିକ ହେବା ସହ ବର୍ଷା ହେବା ମାତ୍ରେ ଆକାଶରୁ ମୃତୁ୍ୟ(ବଜ୍ରପାତ) ଖସୁଛି । ଖାଲି ସେତିକି ନୁହଁ, ବରଂ ତାଳଗଛରେ ବସା ବାନ୍ଧୁଥିବା ପକ୍ଷୀମାନେ ମଧ୍ୟ ଏବେ ଲୋପପାଇବାକୁ ବସିଲେଣି ।

ତାଳଗଛ ମଣିଷର ଅନେକ କାମରେ ଲାଗେ । ମାତ୍ର ଏବେ ସେହି ଗଛ ସବୁ ଅଲୋଡା ହେଉଛି । ଗୋଟିଏ ତାଳଗଛ ବଢିବାକୁ ୩୦ରୁ ୪୦ବର୍ଷ ସମୟ ଲାଗେ । କିନ୍ତୁ ସହରୀକରଣ ଯୋଗୁ ସମୟ କ୍ରମେ ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି । ଯଦ୍ଦ୍ୱାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି । ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁ ଅନେକ ଲୋକ ମୃତାହତ ହେଉଛନ୍ତି । ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ । ପୂର୍ବରୁ ତାଳଗଛ ଯେ କେବଳ ବଜ୍ରପାତରୁ ରକ୍ଷା କରୁ ନ ଥିଲା ବରଂ ଏହାର ଫଳକୁ ଖାଦ୍ୟ ଓ ପାନୀୟ ଆକାରରେ ବ୍ୟବହାର କରାଯାଉଥିଲା । ତାଳଗଛର ବାହୁଙ୍ଗାକୁ ଛପର ଓ ଟୋକେଇ ତିଆରିରେ ବ୍ୟବହୃତ କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।


  ଜିଲ୍ଲାରେ ବଜ୍ରାଘାତ ମୃତୁ୍ୟସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଛି । ୫ବର୍ଷରେ ଜିଲ୍ଲାରେ ବଜ୍ରପାତ ଯୋଗୁ  ପ୍ରାୟ ୪୬ଜୀବନ ଗଲାଣି । ଜିଲ୍ଲାରେ ବଜ୍ରାଘାତ ଜନିତ ମୃତୁ୍ୟକୁ ରୋକିବାକୁ ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ତାଳଗଛ ବଜ୍ରପାତ ରୋକିବାରେ ବିଶେଷ ସହାୟକ ହେଉଛି ବୋଲି ବୈଜ୍ଞାନିକମାନେ ମତଦେବା ପରେ ସରକାର ବନ ବିଭାଗ ଜରିଆରେ ତାଳଗଛ ଲଗାଇବା ଆରମ୍ଭ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳରେ ବନ ବିଭାଗ ପକ୍ଷରୁ ତାଳଗଛ ଲଗାଯାଉଛି । ଖୋର୍ଦ୍ଧା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷ ୨୦ହଜାର ତାଳଗଛ ଲଗାଇବାକୁ ଯୋଜନା କରିଛି । ଏବେ ସୁଦ୍ଧା ୧୦ହଜାର ରୁ ଉଦ୍ଧ୍ୱର୍ ତାଳ ଚାରା ସମସ୍ତ ବନାଂଚଳରେ ଲାଗିଥିବା ବନଖଣ୍ଡ କାର୍ଯ୍ୟଳୟ ସୂତ୍ରରୁ ଜଣାଯାଇଛି ।
 

ସୂଚନାଯୋଗ୍ୟ, ୨୦୧୮ରେ ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥ, ଗ୍ରାମାଂଚଳ, ସଂରକ୍ଷିତ ଜଙ୍ଗଲ ଓ କ୍ଷେତରେ ତାଳଗଛ ଲଗାଇବାକୁ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବନଖଣ୍ଡକୁ ଜଣାଇଥିଲା । ତାଳଗଛ ବଜ୍ରପାତଜନିତ ମୃତୁ୍ୟକୁ ରୋକିବାରେ ଅନେକାଂଶରେ ସହାୟକ ହେବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି । ବଜ୍ରପାତଜନିତ ମୃତୁ୍ୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ପୂର୍ବତନ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଛନ୍ତି ।ଉଭୟ ଲୋସଭା ଓ ରାଜ୍ୟସଭାରେ ଏନେଇ ସାଂସଦମାନେ ସ୍ୱର ଉଠାଇଥିଲେ ମଧ୍ୟ ଏଥିପ୍ରତି କେନ୍ଦ୍ରସରକାର ଦୃଷ୍ଟି ଦେଇନାହାନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *