ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା
ଖୋର୍ଦ୍ଧା:-ସ୍ବଚ୍ଛ ସର୍ବେକ୍ଷଣ ରେ ଖସିଲା ଖୋର୍ଦ୍ଧା ମାତ୍ର ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସଫେଇ ସମେତ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଏଥିସହ ସ୍ବଚ୍ଛସାଥୀ, ସାନିଟାଇଜ କର୍ମଚାରୀଙ୍କୁ ୩ଟି ପର୍ଯ୍ୟାୟରେ ତାଲିମ ଦିଆଯାଇଥିଲା। କାନ୍ଥବାଡ଼ରେ ସ୍ବନ୍ଥ ଖୋର୍ଦ୍ଧା – ସୁସ୍ଥ ଖୋର୍ଦ୍ଧାର ବାର୍ଭା ଲେଖି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ସ୍ବଚ୍ଛ ସହର ତାଲିକାରେ ଖୋର୍ଦ୍ଧା ପୌରାଞ୍ଚଳର ସ୍ଥିତି ନୌରାଶ୍ୟଜନକ ରହିଛି। ସଦ୍ୟ ପ୍ରକାଶିତ ତାଲିକାରେ ଚଳିତବର୍ଷ ଖୋର୍ଦ୍ଧାର ସ୍ଥାନ ୬୯ରେ ରହିଛି। ୨୦୨୦ରେ ୭୦, ୨୦୨୧ରେ ୭୪, ୨୦୨୨ରେ ୩୩, ୨୦୨୩ରେ ୩୧ ଏବଂ ୨୦୨୪ରେ ୨୦ ନମ୍ବର ସ୍ଥାନରେ ଖୋର୍ଦ୍ଧା ରହିଥିଲା। ‘ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା’ ପାଇଁ ଖୋର୍ଦ୍ଧା ପୌରାଞ୍ଚଳ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ସତ୍ତ୍ବେ ତାଲିକାରେ ଖୋର୍ଦ୍ଧାର ନୈରାଶ୍ୟଜନକ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ୫୦ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ୱାର୍ଡ ରହିଛି। ସହରର ପରିମଳ ବ୍ୟବସ୍ଥା ନିମନ୍ତେ ପୌର ପ୍ରଶାସନ ପକ୍ଷରୁ ମାସିକ ୪୦ଲକ୍ଷ ଟଙ୍କା ଠିକା ସଂସ୍ଥାକୁ ଦିଆଯାଉଛି। ତେବେ ଅଳିଆ ଉଠୁଛି କି ନାହିଁ ସେ ଖବର ପ୍ରଶାସନ ରଖୁନାହିଁ। ଫଳରେ ଠିକା ସଂସ୍ଥା ସାହି ଗଳିକନ୍ଦିରେ ପଡ଼ୁଥିବା ଅଳିଆ ଉଠାଇବା ପ୍ରତି ଗୁରୁତ୍ବ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଖୋର୍ଦ୍ଧା ପୌର ପ୍ରଶାସନ ଅଧୀନରେ ୨୦୪ ଠିକା କର୍ମଚାରୀ, ୧୪ ସ୍ବଚ୍ଛ ସାଥୀ, ୪ ସୁପରଭାଇଜର କାର୍ଯ୍ୟରତ ଅଛନ୍ତି । ଠିକା ସଂସ୍ଥା ଅଧୀନରେ ୧୭୪ଜଣ କାର୍ଯ୍ୟରତ
ଥିବା ବେଳେ ଅନ୍ୟମାନେ ପୌର ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଛନ୍ତି। ସହରରୁ ଦୈନିକ ୧୪ରୁ ୧୬ଟନ ଓଦା ଓ ଶୁଖୁଲା ଅଳିଆ ଆବର୍ଜନା ବାହାରୁଛି। ଅଳିଆ ଉଠାଇବା ଲାଗି ଏସ୍ଏଚ୍ଜି ଗ୍ରୁପ୍ ଜରିଆରେ ୬ଟି ବ୍ୟାଟେରିଚାଳିତ ଅଳିଆବୁହା ଗାଡି, ୬ଟି ଟ୍ରାକ୍ଟର ନିୟୋଜନ କରାଯାଇଛି। ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସତ୍ତ୍ବେ ଗଳିକନ୍ଦିରେ ଅଳିଆ ପଡ଼ିରହୁଛି। କାହା ସ୍ବାର୍ଥ ପୌର ପ୍ରଶାସନ ଉକ୍ତ ସଂସ୍ଥାକୁ ଅନୁକମ୍ପା ଦେଖାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ, ରାଧାବଲ୍ଲଭ ସାହି ରାସ୍ତା,ଟ୍ରାଫିକ ଛକ, ସମବାୟ ଛକ ନୂଆ ବସ୍ଷ୍ଟାଣ୍ଡ ରୋଡ ,ମ୍ୟୁନିସିପାଲଟି ପଛ ପାଖ ମସଜିଦ ଠାରୁ ଗୋପୀନାଥ ମନ୍ଦିର ରୋଡ ଠାରେ ଅଳିଆ ଗଦା ହୋଇ ରହିଛି। ସମ ପରିମାଣ ଦୃଶ୍ୟ ରହିଛି ନୂଆବସଷ୍ଟାଣ୍ଡ। ଗୁରୁଜଙ୍ଗ, ନୂଆ ବସ୍ଷ୍ଟାଣ୍ଡ ପରିସର, ଗୀତାଭବନ ପଡ଼ିଆ, ଖ୍ରୀଷ୍ଟିଆନ ସାହି, ମସଜିଦ୍ ସମ୍ମୁଖ ରାସ୍ତା, ଜରି ପୋଖରୀ ପାର୍ଶ୍ଵ ରାସ୍ତା, ନୂଆ ବସ୍ଷ୍ଟାଣ୍ଡ ରୋଡ୍ରେ ଥିବା ପରିତ୍ୟକ୍ତ ପୋଖରୀ ମୁକ୍ତ ଡମ୍ଫାୟାର୍ଡ ପାଲଟିଛି। ଏହା ଡେଙ୍ଗୁ, ମ୍ୟାଲେରିଆକୁ ଆମନ୍ତ୍ରଣ କରୁଛି। ସେହିପରି ଟିଏଲ୍ସି ରୋଡ ପାର୍ଶ୍ଵରେ ଥିବା ଖଣି ପୋଖରୀ ମଧ୍ୟ ମୁକ୍ତ ଡମ୍ଫାୟାର୍ଡ ପାଲଟିଛି। ଏନେଇ ପୌରାଧ୍ଯକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି, ସହରର ସ୍ବଚ୍ଛତା ପ୍ରତି ବିଶେଷ ଗୁରୁତ୍ଵ ଦିଆଯାଉଛି। ଏଥିରେ ସହରବାସୀଙ୍କ ସହଭାଗିତା ଜରୁରୀ। ଘରର ଅଳିଆ ଡ୍ରେନ୍ରେ ନ ପକାଇବା ପାଇଁ ବାରମ୍ବାର ତାଗିଦ୍ କରାଯିବା ସତ୍ତ୍ୱେ ଲୋକେ ଏହାକୁ ମାନୁନାହାନ୍ତି। ସକାଳୁ ଗୋଟିଏ ଟାଇମ ଅଳିଆ ଉଠୁଛି। ପରବର୍ତ୍ତୀ ସମୟରେ ପୁଣି ସେହି ସ୍ଥାନରେ ଅଳିଆ ପଢୁଛି। ଏଣୁ ଏଭଳି ସମସ୍ୟା ଉପଢୁଛି। ଏଥିପ୍ରତି ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବା ପାଇଁ ସର୍ବସାଧାରଣ ରେ ଦାବି ହେଉଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
