କୁଦିଆରୀବାସୀଙ୍କ ରାସ୍ତା ରୋକ, ତହସିଲଦାରଙ୍କ ପ୍ରତିଶ୍ରୁତି ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର

ପ୍ରଶାସନ ହସ୍ତକ୍ଷେପ ନ କଲେ ଆଗକୁ ବିବାଦ ବଢ଼ିବା ଆଶଙ୍କା

କୁଦିଆରୀ ଆର୍ ଆଇ ଅଫିସ୍  ରଥିପୁର ରେ ନିର୍ମାଣ ପ୍ରସଙ୍ଗ;

ଜଟଣୀ : ଜଟଣୀ ବ୍ଲକ ଅନ୍ତର୍ଗତ ରଥିପୁରରେ କୁଦିଆରୀ ଆର୍ ଆଇ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ନେଇ ବିବାଦ ବଢ଼ି ଚାଲିଛି।  ଆଜି ଏହି ଘଟଣାକୁ କେନ୍ଦ୍ର କରି କୁଦିଆରୀବାସୀଙ୍କ  ପକ୍ଷରୁ ଖୋର୍ଦ୍ଧା_ପିପିଲି ମୁଖ୍ୟ ରାସ୍ତାର କୁଦିଆରୀ ଠାରେ ରାସ୍ତା ରୋକ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପଟେ ଯାନବାହାନ ଯାତାୟାତ ଠପ୍ ହୋଇଯାଇଥିଲା। ଖବର ପାଇ ଜଟଣୀ ତହସିଲଦାର ପ୍ରିତିପର୍ଣ୍ଣ ମିଶ୍ର, ଜଟଣୀ ଥାନା ଆଇଆଇସି ଷ୍ଟାଲିନ ବିଶ୍ଵାଳ, ବିଜେପି ନେତା ବିଶ୍ଵରଞ୍ଜନ ବଡ଼ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝା ସୁଝା କରିଥିଲେ। ହେଲେ   କୁଦିଆରୀବାସି ନିଜ ଜିଦ୍ ରେ ଅଟଳ ରହିବା ସହିତ କୁଦିଆରୀ ଆର୍ ଆଇ କାର୍ଯ୍ୟାଳୟ କୁଦିଆରୀଠାରେ ନିର୍ମାଣ କରିବାକୁ ଦାବି କରିଥିଲେ।  ଗୋଟେ ପଟେ କୁଦିଆରୀ ଅଞ୍ଚଳବାସୀ କୁଦିଆରୀ ଆର୍ ଆଇ ଅଫିସ୍ କୁଦିଆରୀ ଠାରେ ନିର୍ମାଣ କରିବାକୁ ଦାବି କରି ଆସୁଥିବା ବେଳେ ରଥିପୁର ଅଞ୍ଚଳବାସୀ ମଧ୍ୟ  ନିଜ ଜିଦ୍ ରେ ଅଟଳ। ରଥିପୁରରେ କାର୍ଯ୍ୟାଳୟ ନିର୍ମାଣ ହେଉଛି, ଏଠାରେ ଲୋକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ଆର୍ ଆଇ ଅଫିସ୍ ଅନ୍ୟତ୍ର ସ୍ଥାନାନ୍ତରିତ ହେଲେ ଘୋର୍ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ମୌଜାର କିଛି ଗ୍ରାମବାସୀ  ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ଭେଟିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ରଥିପୁରରେ କୁଦିଆରୀ ଆର୍ ଆଇ କାର୍ଯ୍ୟାଳୟ ଗୃହ ନିର୍ମାଣ ପୂର୍ବରୁ ଜଟଣୀ ଆର୍ ଆଇ ଅଫିସ୍ ରେ କାର୍ଯ୍ୟ ଚାଲିଥିଲା।  କୁଦିଆରୀ ଠାରେ ନିଜ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ବହୁଦିନ ଧରି ଉପଯୁକ୍ତ ସ୍ଥାନ ନିରୂପଣ କରାଯାଇ ପାରିଲା ନାହିଁ ଓ କୁଦିଆରୀ ଗ୍ରାମବାସୀ ଗଠନମୂଳକ ସହଯୋଗ କଲେ ନାହିଁ। ତେଣୁ ପରିଶେଷରେ ସରକାର କୁଦିଆରୀ ମୌଜାକୁ ଲାଗି ରହିଥିବା ରଥିପୁର ମୌଜାରେ ଏକ ଉପଯୁକ୍ତ ସ୍ଥାନ ନିରୂପଣ କରି ଅଫିସ୍ ଗୃହ ନିର୍ମାଣ ଆଗେଇ ନେଲେ। କିଛି କାର୍ଯ୍ୟ ହୋଇଗଲା ପରେ ଠିକାଦାରଙ୍କୁ ପ୍ରଥମ କିସ୍ତି ବିଲ୍ ଦିଆ ସରିଛି। ତେବେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ, କୁଦିଆରୀ ଗ୍ରାମର କିଛି ସଂଗଠନ ରଥିପୁର ପରିବର୍ତ୍ତେ କୁଦିଆରୀ ଠାରେ ଆର୍ ଆଇ ଅଫିସ୍ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଣାଇଛନ୍ତି ଯେ, ରଥିପୁର ମୌଜାରେ ସରକାରଙ୍କର ଦ୍ୱାରା ନିରୂପିତ ସ୍ଥାନ ଏକ ଉପଯୁକ୍ତ ସ୍ଥାନ। ଏଠାରେ ଗମନାଗମନ, ବିଜୁଳି, ପାଣି ଏବଂ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ରହିଛି। ଏଠାରେ ଅଫିସ୍ ହେଲେ ଏହି ମୌଜା ଅଧିନରେ ୧୧ଟି ଗ୍ରାମ ରହିଛି। ଯାହାକି ରଥିପୁର, କୁଦିଆରୀ, କନ୍ତିଆ, ତୁରତିଆପଡ଼ା, ନିରଞ୍ଜନପୁର, ବୁଢ଼ାପଡ଼ା, ପଞ୍ଚୁପଲ୍ଲୀ, ବାଇରଙ୍ଗ, ବେରୁଆଁ, ବ୍ରହ୍ମକୁଣ୍ଡଳ, ସାନ ନୂଆଗାଁ ଗ୍ରାମବାସୀ ସୁବିଧାରେ ଉପକୃତ ହେବେ। ଏହା ସମସ୍ତ ଗ୍ରାମ ପାଇଁ ମଧ୍ଯସ୍ଥଳ ଏବଂ ସୁଗମ ଅଟେ। ଏପରିକି ନୂତନ ନିର୍ମିତ ଆର୍ ଆଇ ଅଫିସ୍ କୁଦିଆରୀ ସୀମା ସଂଲଗ୍ନ ଅଟେ। ତେଣୁ ଆର୍ ଆଇ ଅଫିସ୍ ନିର୍ମାଣ କାମ ସଂପୂର୍ଣ୍ଣ ହେଲେ ସମସ୍ତେ ସୁବିଧା ପାଇବେ ବୋଲି ଦାବି କରିଛନ୍ତି। ଅନ୍ୟପଟେ ରଥିପୁରଠାରେ ନିର୍ମାଣ ହେଉଥିବା ଆର୍ ଆଇ କାର୍ଯ୍ୟାଳୟର ନିର୍ମାଣକୁ ବନ୍ଦ କରିବା ପାଇଁ ଗତ ଜୁଲାଇ ୯ତାରିଖରେ ତହସିଲଦାର ଆର୍ ଡି ବିଭାଗକୁ ଚିଠି ଲେଖିଥିଲେ। ହେଲେ ତହସିଲଦାରଙ୍କ ଚିଠିକୁ ଉକ୍ତ କଂଟ୍ରାକ୍ଟର ବେଖାତିର କରି ଗୃହ ନିର୍ମାଣ କାମ ଚଲାଇ ଆସିଥିଲେ। ଘୋର ବିରୋଧ ପରେ ଗତ କିଛି ଦିନ ପୂର୍ବେ କାମ ବନ୍ଦ ଥିବା ବେଳେ ପୁଣି  ଉକ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଅଭିଯୋଗ ହୋଇଛି।  ଘଟଣାକୁ ନେଇ ରଥିପୁର ଓ କୁଦିଆରୀ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଲାଣି। ତେଣୁ ପ୍ରଶାସନ ଏହି ଦିଗ ଉପରେ ସଂପୂର୍ଣ୍ଣ ହସ୍ତକ୍ଷେପ ନ କଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଆଜିର ଏହି ରାସ୍ତା ରୋକ ଘଟଣା ସ୍ଥଳରେ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର କୁଦିଆରୀବାସୀଙ୍କୁ ଏକମାସ ମଧ୍ୟରେ ସର୍ଜମିନ୍ ତଦନ୍ତ କରି ଉପଯୁକ୍ତ ଜମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରିମାନେ ରାସ୍ତା ରୋକ ପ୍ରତ୍ୟାହୃତ କରିଥିଲେ। ଯଦି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାନଯାଏ, ତେବେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ପୌରାଧକ୍ଷ ଅନନ୍ତ ବେହେରା, କୁଦିଆରୀ ଗ୍ରାମର ସୁଦର୍ଶନ ସୁନ୍ଦରାୟ, କୈଳାସ ମହାପାତ୍ର ଙ୍କ ସହିତ ଅନ୍ୟମାନେ କଡ଼ା ଚେତାବନୀ ଦେଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *