ଖୋର୍ଦ୍ଧା: – ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲିକୁ ଏକମାତ୍ର ଯାତାୟାତ ଅସ୍ଥାୟୀ ନଦୀ ରାସ୍ତାଟି ଆଜି ପ୍ରଥମ ବନ୍ୟାଜଳରେ ଭାଙ୍ଗିଯାଇଛି। ରାଜୁଆ ଓ ଦୟାନଦୀର ସଙ୍ଗମସ୍ଥଳରେ ଅବସ୍ଥିତ ପାଣ୍ଡିଆବିଲି ଅସ୍ଥାୟୀ ରାସ୍ତାଟି ବନ୍ୟାଜଳରେ ଭାସିଯାଇ ୩୦ଫୁଟ୍ ରୁ ଉର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ଡେଲାଙ୍ଗ ଓ କଣାସ ବ୍ଲକର ୪୦ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ପ୍ରତିବର୍ଷ ଦୟା ଓ ରାଜୁଆନଦୀର ଜଳସ୍ତର ବଢ଼ିବା ଫଳରେ ଅସ୍ଥାୟୀ ରାସ୍ତାଟି ଭାଙ୍ଗି ଯାଇଥାଏ। ଫଳରେ ଏହି ରାସ୍ତାରେ ଗତବର୍ଷ ୨୦ଫୁଟ୍ ର ଘାଇ ସୃଷ୍ଟି ହୋଇଥିବା ବେଳେ ଚଳିତବର୍ଷ ୩୦ଫୁଟ୍ ରୁ ଅଧିକ ଘାଇ ସୃଷ୍ଟି ହୋଇଛି।
ଅନ୍ୟପଟେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଦୟା ଓ ରାଜୁଆ ନଦୀର ସଙ୍ଗମସ୍ଥଳରେ ବର୍ଷ ତମାମ ସମସ୍ୟା ଲାଗି ରହିଛି। ଯାହାକୁ ନେଇ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଦୀରେ ବ୍ରିଜ୍ ନିର୍ମାଣ ପାଇଁ ୪୦କୋଟି ଟଙ୍କା ବ୍ୟୟବରାଦ କରିଥିବା ନେଇ ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ଲୋକ ପ୍ରତିନିଧୀମାନେ ଅବଗତ କରିଥିଲେ। ହେଲେ ପ୍ରଶାସନର ଅବହେଳା ଓ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏହି ବ୍ରିଜ୍ ନିର୍ମାଣ ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ସେହିପରି ଏହି ରାସ୍ତା ସମସ୍ୟାଲାଗି ସମସ୍ତ ରାଜନୈତିକ ଦଳ ନିଜର ସମସ୍ୟା ବୋଲି କହି ବୋଲୁଥିବା ବେଳେ ବାସ୍ତବରେ ଉକ୍ତ ସମସ୍ୟାପ୍ରତି କାହାରି ଆନ୍ତରିକତା ନଥିବା ବାସିନ୍ଦାମାନେ କହିଛନ୍ତି। ଏହି ରାସ୍ତାଦେଇ ଲୋକମାନେ ଜଟଣୀ, ଭୂବନେଶ୍ୱର, ଖୋର୍ଦ୍ଧା, ପିପିଲି, ନିମାପଡା, ପୁରୀ ସହରକୁ ଯାଇଥାନ୍ତି। ସ୍କୁଲ, କଲେଜର ଛାତ୍ରଛାତ୍ରୀ ମାନଙ୍କ ସହିତ ଅନେକ ଲୋକ କର୍ମସ୍ଥଳକୁ ଯାଇଥାନ୍ତି। ମାତ୍ର ଏହିଗ୍ରାମ ଗୁଡ଼ିକରେ ରହୁଥିବା ଲୋକମାନଙ୍କର ଅବସ୍ଥା ବର୍ଷର ୫ମାସ ଶୋଚନୀୟ ହୋଇଥାଏ। ଏଥିସହିତ ଏହି ଅସ୍ଥାୟୀ ରାସ୍ତାରେ ଅନେକ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଥିବା ବେଳେ ଏକାଧୀକ ଯାନବାହାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି। ଯଦି ବାସ୍ତବରେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତି ତେବେ ଶହଶହ ବର୍ଷର ସମସ୍ୟା ଦୂର ହେବା ସହିତ ଅନେକ ନିରୀହ ଜୀବନ ଅକାଳରେ ହାନି ହେବାରୁ ମୁକ୍ତି ପାଆନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now