ଏକ ଅନନ୍ୟ ପ୍ରତିଭା, ଯୁବ ସମାଜସେବୀ ଡକ୍ଟର ପ୍ରସନ୍ନ କୁମାର ପାଇକରାୟ ;

ସାମ୍ବାଦିକତା ତାଙ୍କର ନିଶା, ସମାଜସେବା ତାଙ୍କ ଜୀବନର ବ୍ରତ

Advertisement

ଦିଲ୍ଲୀପ କୁମାର ପଟ୍ଟନାୟକ

ଖୋର୍ଦ୍ଧା, ନଭେମ୍ୱର ୧୨:-କିଛି ମଣିଷ ନିଜ ପାଇଁ ବଞ୍ଚନ୍ତି, ଆଉ କିଛି ମଣିଷ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ନିଜର କର୍ମ, ନିଷ୍ଠା, ମାନବିକତା ଓ ପରୋପକାରୀ ମନୋଭାବ ଦ୍ୱାରା ଯେଉଁମାନେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ପ୍ରସନ୍ନ କୁମାର ପାଇକରାୟ ଅନ୍ୟତମ। ହସହସ ମୁହଁ, ଶାନ୍ତ, ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଡକ୍ଟର ପାଇକରାୟ କେବଳ ଜଣେ ସାମ୍ବାଦିକ ନୁହନ୍ତି, ସେ ଜଣେ ନିଷ୍ଠାପର ସମାଜସେବୀ, ପରିବେଶପ୍ରେମୀ, ସ୍ୱେଚ୍ଛାକୃତ ରକ୍ତଦାତା ଏବଂ ଅସହାୟ ମଣିଷଙ୍କ ପାଇଁ ଏକ ଭରସାର ନାମ।

୨୦୦୬ ମସିହାରେ ମୁଁ ସାମ୍ବାଦିକତା ଜଗତରେ ପାଦ ଥାପିବା ଦିନଠାରୁ ଡକ୍ଟର ପାଇକରାୟଙ୍କୁ ଜାଣିବା ସହ ତାଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଛି। ତାଙ୍କର ସେହି ଚିରପରିଚିତ ହସହସ ମୁହଁ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱ ସବୁବେଳେ ମୋତେ ଆକର୍ଷିତ କରିଆସିଛି। ୨୦୨୩ ମସିହାରେ ଖୋର୍ଦ୍ଧା ଜିଲ୍ଲା ପ୍ରେସ୍ କ୍ଲବ୍ ଗଠନ ହେବା ପରେ ସେ ଉପସଭାପତି ଏବଂ ମୁଁ ସମ୍ପାଦକ ଦାୟିତ୍ୱରେ ରହିଥିଲୁ। ଏହି ସମୟରେ ତାଙ୍କ ସହ ମୋର ନିବିଡ଼ତା ଆହୁରି ବଢ଼ିଥିଲା। ତାଙ୍କର ଅମାୟିକ ବ୍ୟବହାର ଓ ସମାଜ ପ୍ରତି ଥିବା ନିଷ୍ଠା ମୋତେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଉତ୍ସାହିତ କରିଥିଲା।

ତାଙ୍କ ଜୀବନର ଆଦର୍ଶ ଓ କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଲି ଯେ, ସେ ଦଳିତ, ନିଷ୍ପେଷିତ, ଅବହେଳିତ ଓ ଅସହାୟ ଜନସାଧାରଣଙ୍କ ସ୍ୱର ହେବାକୁ ସବୁବେଳେ ଚେଷ୍ଟା କରିଆସିଛନ୍ତି। ଅନ୍ୟାୟ, ଅତ୍ୟାଚାର ଓ ଅନିୟମିତତା ବିରୋଧରେ ତାଙ୍କ କଲମ ସବୁବେଳେ ଶାଣିତ ହୋଇଛି। ସମାଜର ଶେଷ ଧାଡ଼ିରେ ଥିବା ମଣିଷଟିର ଦୁଃଖ, ଯନ୍ତ୍ରଣା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବା ହେଉଛି ତାଙ୍କ ସାମ୍ବାଦିକତାର ମୁଖ୍ୟ ଉଦ୍ଦେଶ୍ୟ।

ଡକ୍ଟର ପାଇକରାୟଙ୍କ ସମାଜସେବାର ଯାତ୍ରା ଆଜିର ନୁହେଁ। ୧୯୯୪ ମସିହାରେ ପାଠପଢ଼ା ଶେଷ କରିବା ପରଠାରୁ ସେ ସମାଜସେବା, ବୃକ୍ଷରୋପଣ ଓ ସ୍ୱେଚ୍ଛାକୃତ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି। ଆଜି ସୁଦ୍ଧା ସେ ୪୨ରୁ ୪୩ ଥର ସ୍ୱେଚ୍ଛାକୃତ ରକ୍ତଦାନ କରି ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛନ୍ତି। ରକ୍ତଦାନକୁ ସେ କେବଳ ଏକ ସାମାଜିକ କାର୍ଯ୍ୟ ଭାବେ ନୁହେଁ, ବରଂ ମାନବିକତାର ଏକ ଶ୍ରେଷ୍ଠ ପରିଚୟ ଭାବେ ଗ୍ରହଣ କରିଛନ୍ତି।

ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପ୍ରତି ତାଙ୍କର ଅନୁରାଗ ମଧ୍ୟ ଅତୁଳନୀୟ। ପିଏନ୍ ହାଇସ୍କୁଲରେ ଅଧ୍ୟୟନ କରୁଥିବା ସମୟରୁ ସେ ସାଙ୍ଗମାନଙ୍କୁ ଏକାଠି କରି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଆରମ୍ଭ କରିଥିଲେ। ସେତେବେଳେ ବିଦ୍ୟାଳୟ ପରିସରଟି ପ୍ରାୟ ଏକ ଟାଙ୍ଗରା ଭୂଇଁ ଥିଲା। କିନ୍ତୁ ତାଙ୍କର ଉଦ୍ୟମ ଓ ଗଛ ପ୍ରତି ଭଲପାଇବା ଯୋଗୁଁ ପରବର୍ତ୍ତୀ ସମୟରେ ସେହି ବିଦ୍ୟାଳୟ ପରିସର ଏକ ସବୁଜ ବନାନୀରେ ପରିଣତ ହୋଇଥିଲା। ଆଜି ମଧ୍ୟ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ବୃକ୍ଷରୋପଣ କରିବା ତାଙ୍କ ଜୀବନର ଏକ ଅଭ୍ୟାସରେ ପରିଣତ ହୋଇଛି।

୧୯୯୯ ମସିହା ଜୁଲାଇ ମାସରେ ଘଟିଥିବା ଏକ ଅଭାବନୀୟ ଘଟଣା ତାଙ୍କୁ ସାମ୍ବାଦିକତା ଜଗତ ପ୍ରତି ଆକୃଷ୍ଟ କରିଥିଲା। ପ୍ରାୟ ୩୫ ବର୍ଷ ପୂର୍ବେ ମୁମ୍ବାଇରୁ ଏକ ଫୁଜି କ୍ୟାମେରା କିଣିଥିବା ସେହି ଯୁବକଙ୍କ ପାଇଁ ଫଟୋଗ୍ରାଫି ଏକ ନିଶାରେ ପରିଣତ ହୋଇଥିଲା। ବିଭିନ୍ନ ଘଟଣାର ଫଟୋ ଉଠାଇ ସାଇତି ରଖିବା ତାଙ୍କର ଏକ ଅଭ୍ୟାସ ଥିଲା। ତାଙ୍କ ଗ୍ରାମର ଏକ ଜମିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶେଷରେ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ଜମିରେ ଥିବା ମୂଳ ପରିଚୟକୁ ନଷ୍ଟ କରି ତାହାକୁ ନିଜ ଜମିରେ ମିଶାଇ ଦେଇଥିବାରୁ ଗ୍ରାମବାସୀଙ୍କ ସହ ତାଙ୍କର ବିବାଦ ତୀବ୍ର ରୂପ ନେଇଥିଲା। ସେହି ସମୟରେ ତାଙ୍କ କ୍ୟାମେରାରେ କଏଦ ହୋଇଥିବା କିଛି ଫଟୋ ପରବର୍ତ୍ତୀ ସମୟରେ ମାମଲାର ଗତିପଥ ବଦଳାଇବାରେ ସହାୟକ ହୋଇଥିଲା। ଏହି ଘଟଣା ତାଙ୍କ ମନରେ ଅନ୍ୟାୟ ବିରୋଧରେ ଲଢ଼ିବା ଏବଂ ନିରୀହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସାମ୍ବାଦିକତାକୁ ଆପଣେଇବାର ପ୍ରେରଣା ସୃଷ୍ଟି କରିଥିଲା।

ସେ ନିଜର ସାମ୍ବାଦିକତା ଜୀବନ ଏକ ନିର୍ଭୀକ ଖବରକାଗଜ ‘ଆଜିକାଲିର ଜୁଲମ’ରୁ ଆରମ୍ଭ କରିଥିଲେ। ଏହି ଯାତ୍ରାରେ ଅନେକ କଷ୍ଟ, ବାଧାବିଘ୍ନ, ଶତ୍ରୁତା ଓ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ସେ କେବେ ପଛକୁ ଫେରି ଚାହିଁନାହାନ୍ତି। ପରବର୍ତ୍ତୀ ସମୟରେ ଅନେକ ଆଗଧାଡ଼ିର ଗଣମାଧ୍ୟମ ସଂସ୍ଥା ସହ ଜଡ଼ିତ ହୋଇ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସେ ଦୈନିକ ଓଡ଼ିଆ ଖବରକାଗଜ ‘ସର୍କାର’ ଏବଂ ଇଂରାଜୀ ଖବରକାଗଜ ‘ଇଣ୍ଡସ୍ ଭ୍ୟାଲି ଟାଇମ୍ସ’ରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି। ୨୦୦୩ ମସିହାରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ସେ ଓଡ଼ିଶା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଓୟୁଜେ)ର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସଂଗଠନ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତା ତାଙ୍କୁ ଏହାର ଜଣେ ସକ୍ରିୟ କର୍ମକର୍ତ୍ତା ଭାବେ ପରିଚିତ କରାଇଥିଲା।

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ସାମ୍ବାଦିକ ସଂଗଠନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛନ୍ତି। ଦୁଇ ଦୁଇ ଥର ରାଜ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇବା ସହ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରବି ପରମଗୁରୁଙ୍କ ଦେହାନ୍ତ ପରେ ଖୋର୍ଦ୍ଧା ଜିଲ୍ଲାରେ ଓୟୁଜେକୁ ଏକ ସୁଦୃଢ଼ ସାମ୍ବାଦିକ ସଂଗଠନ ଭାବେ ଗଢ଼ି ତୋଳିବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ସେହି ସମୟରେ ଅନେକ ତାତ୍ସଲ୍ୟ, ପରିହାସ ଓ ସଂଗଠନକୁ ଦୁର୍ବଳ କରିବାର ଉଦ୍ୟମ ସତ୍ତ୍ୱେ ସେ ଧୈର୍ଯ୍ୟ ହରାଇ ନଥିଲେ। ସମସ୍ତ ସଦସ୍ୟଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ହିଁ ତାଙ୍କର ମୂଳମନ୍ତ୍ର ଥିଲା। ସେ ସବୁବେଳେ କୁହନ୍ତି, ଏକତା ହିଁ ବଳ। ତାଙ୍କ ମତରେ, ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ; ଏହା ଏକ ନିଶା ଏବଂ ସମାଜ ପ୍ରତି ଏକ ଗୁରୁଦାୟିତ୍ୱ।

ସାମ୍ବାଦିକତା ସହିତ ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଗଭୀର ଅନୁରାଗ ରହିଛି। ବିଭିନ୍ନ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ତାଙ୍କର ଅନେକ ଲେଖା ପ୍ରକାଶ ପାଇଛି। ବିଭିନ୍ନ ଜିଲ୍ଲାର ସ୍ମରଣିକା ଓ ସ୍ମରଣୀୟ ପତ୍ରିକା ପାଇଁ ମଧ୍ୟ ସେ ନିୟମିତ ଭାବେ ଲେଖା ପ୍ରଦାନ କରିଆସୁଛନ୍ତି।

ତାଙ୍କ ଜୀବନର ଆଉ ଏକ ଉଜ୍ଜ୍ୱଳ ଅଧ୍ୟାୟ ହେଉଛି ମହାମାରୀ କୋଭିଡ୍ ସମୟର ମାନବିକ ସେବା। ଯେତେବେଳେ ଲୋକେ ଭୟ ଓ ଆଶଙ୍କାରେ ଘର ଭିତରେ ରହିବାକୁ ବାଧ୍ୟ ହେଉଥିଲେ, ସେତେବେଳେ ସେ ନିଜ ଜୀବନକୁ ବିପଦରେ ପକାଇ ଅନେକ ଅସହାୟ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ। କାହାର ଚିକିତ୍ସା ସମ୍ବନ୍ଧୀୟ ସମସ୍ୟା ହେଉ କିମ୍ବା ପୁଲିସ ସହାୟତାର ଆବଶ୍ୟକତା, ପ୍ରତ୍ୟେକ କ୍ଷେତ୍ରରେ ସେ ନିଜ ସାଧ୍ୟମତେ ସହଯୋଗ କରିଥିଲେ। ନିଜ ଖର୍ଚ୍ଚରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ବୁଲା ଗାଈଗୋରୁ, କୁକୁର, ମାଙ୍କଡ଼ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଖାଦ୍ୟର ବ୍ୟବସ୍ଥା କରିଥିଲେ। ବରୁଣେଇ ପାହାଡ଼ର ପାଦଦେଶରେ ରହୁଥିବା କୁକୁର ଓ ମାଙ୍କଡ଼ମାନଙ୍କୁ ମଧ୍ୟ ସେ ବାରମ୍ବାର ଖାଦ୍ୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା।

କୋଭିଡ୍ ମହାମାରୀ ସମୟରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାର କିପରି ସରକାରଙ୍କ ଘୋଷିତ ଆର୍ଥିକ ସହାୟତା ଓ ସ୍ୱାସ୍ଥ୍ୟବୀମାର ସୁବିଧା ପାଇପାରିବେ, ସେଥିପାଇଁ ମଧ୍ୟ ସେ ନିରନ୍ତର ଉଦ୍ୟମ କରିଥିଲେ।

ତାଙ୍କର ଏହି ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ଅବଦାନ ପାଇଁ ସେ ଅନେକ ସମ୍ମାନ ଓ ସ୍ୱୀକୃତିର ଅଧିକାରୀ ହୋଇଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଷ୍ଠିତ ସଂସ୍ଥା ‘ଆମେରିକାନ୍ ମେରିଟ୍ କାଉନସିଲ୍’ ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ସେହିପରି ‘ଜ୍ଞାନଦାନ ଆୱାର୍ଡ ସେରିମୋନି’ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ମିଳିଛି। ଏହା ବ୍ୟତୀତ ରାଜ୍ୟର ଅନେକ ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ ଏତେ ସମ୍ମାନ ଓ ସ୍ୱୀକୃତି ପାଇବା ପରେ ମଧ୍ୟ ତାଙ୍କ ମନରେ ଗର୍ବ କିମ୍ବା ଅହଂକାରର ଲେଶମାତ୍ର ଚିହ୍ନ ଦେଖିବାକୁ ମିଳେନାହିଁ। ତାଙ୍କର ଏହି ନିରହଂକାରୀ ସ୍ୱଭାବ ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି।

ସେ ବାପା-ମା’ ସେବାଶ୍ରମ, ସମ୍ବାଦ ସାହିତ୍ୟ ଘର, କଳିଙ୍ଗ ପାଇକ ସଂଗଠନ, ଓଡ଼ିଶା ପାଇକ ମହାସଂଘ, ଜଟଣୀ ପୁସ୍ତକ ମେଳା, ଗୋପବନ୍ଧୁ ସେବାଶ୍ରମ, ଖୋର୍ଦ୍ଧା ହେରିଟେଜ୍ ୱାକ୍, ବିନାୟକ କ୍ଲବ୍, ଖୋର୍ଦ୍ଧା କ୍ଲବ୍, ଜିଲ୍ଲା ପ୍ରେସ୍ କ୍ଲବ୍, ସେବା, ବିପ୍ଳବୀ ସାହିତ୍ୟ ସଂସଦ, ସମ୍ଭାବନା ପରିବାର, ଗଦାଧୀଶ ଦଳବେହେରା ମହାସଂଘ, ଓଡ଼ିଶା ସାମ୍ବାଦିକ ପରିବାର, ଫ୍ରେଣ୍ଡସ୍ ୯୦, ସାର୍ବଜନୀନ ଦୁର୍ଗାପୂଜା, ରାଜ୍ୟ ଟିମ୍ବର ଓନର୍ସ ଆସୋସିଏସନ୍ ଓ ଗଜାନନ ପୂଜା କମିଟି ସମେତ ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ଅଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ସାମ୍ବାଦିକ ସଂଗଠନର ରାଜ୍ୟ ସମ୍ପାଦକ, ପ୍ରେସ୍ କ୍ଲବ୍‌ର ଉପସଭାପତି, ଜିଲ୍ଲା ଓୟୁଜେର ବରିଷ୍ଠ ଉପଦେଷ୍ଟା ଏବଂ ଗଦାଧୀଶ ଦଳେଇ ଦଳବେହେରା ମହାସଂଘର ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଏହି ମହାନ ବ୍ୟକ୍ତିତ୍ୱଙ୍କ ସହ ମୋର ସମ୍ପର୍କ କେବଳ ସାମ୍ବାଦିକତା କିମ୍ବା ସାମାଜିକ ସଂଗଠନ ମଧ୍ୟରେ ସୀମିତ ନୁହେଁ। ମୋ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ସମୟରେ, ଯେତେବେଳେ ମୋ ପୁଅର ଅସୁସ୍ଥତା ମୋତେ ମାନସିକ ଭାବେ ଭାଙ୍ଗି ଦେଇଥିଲା, ସେତେବେଳେ ଡକ୍ଟର ପାଇକରାୟ ମୋ ମନର ଅବସ୍ଥାକୁ ବୁଝିପାରି ମୋତେ ଆଶ୍ୱାସନା ଦେଇଥିଲେ। ଆବଶ୍ୟକ ସମୟରେ ସହାୟତାର ହାତ ବଢ଼ାଇଥିଲେ ଏବଂ ମୋତେ ମାନସିକ ଅବସାଦରୁ ବାହାରି ଆସିବାରେ ସହାୟତା କରିଥିଲେ। ଜଣେ ବନ୍ଧୁ ଓ ଜଣେ ମଣିଷ ଭାବେ ତାଙ୍କର ଏହି ମହତ୍ତ୍ୱ ମୁଁ ଜୀବନରେ କେବେ ଭୁଲିପାରିବି ନାହିଁ।

ବାସ୍ତବରେ, ଜଣେ ମଣିଷର ମହାନତା ତାଙ୍କ ପାଖରେ ଥିବା ପଦପଦବୀ କିମ୍ବା ସମ୍ମାନରେ ନୁହେଁ, ବରଂ ଅନ୍ୟର ଦୁଃଖ ସମୟରେ ସେ କେତେ ନିକଟତର ହୋଇପାରନ୍ତି, ତାହାରେ ନିହିତ ଥାଏ। ଡକ୍ଟର ପ୍ରସନ୍ନ କୁମାର ପାଇକରାୟ ଏହାର ଏକ ଜ୍ୱଳନ୍ତ ଉଦାହରଣ। ତାଙ୍କ ଜୀବନର ପ୍ରତ୍ୟେକଟି ଅଧ୍ୟାୟରେ ରହିଛି ସେବା, ସଂଘର୍ଷ, ସାହସ, ସମର୍ପଣ ଓ ମାନବିକତାର ଏକ ଅନନ୍ୟ ଗାଥା।

ତାଙ୍କ ବିଷୟରେ ଯେତେ ଲେଖିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ରହିବ। ତାଙ୍କ ଜୀବନଯାତ୍ରାକୁ ବିଶ୍ଳେଷଣ କରିବା ପାଇଁ ମୋର ସାମର୍ଥ୍ୟ ସୀମିତ ହୋଇପାରେ, କିନ୍ତୁ ତାଙ୍କ ଭଳି ଜଣେ ନିଷ୍ଠାପର, ନିରହଂକାରୀ ଓ ମାନବିକତାରେ ପରିପୂର୍ଣ୍ଣ ବ୍ୟକ୍ତିଙ୍କ ସହ ପରିଚିତ ହେବା ଏବଂ ତାଙ୍କୁ ବନ୍ଧୁ ଭାବେ ପାଇବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରେ।

ମୋର ହୃଦୟରୁ ଏତିକି କାମନା—ଡକ୍ଟର ପ୍ରସନ୍ନ କୁମାର ପାଇକରାୟଙ୍କ ଚଲାପଥ ସଦା କୁସୁମିତ ହେଉ। ସେ ଦୀର୍ଘାୟୁ ଓ ନିରାମୟ ଜୀବନ ଲାଭ କରନ୍ତୁ। ତାଙ୍କର ନିରବଚ୍ଛିନ୍ନ ସମାଜସେବା, ସାମ୍ବାଦିକତା ଓ ମାନବିକ କାର୍ଯ୍ୟଧାରା ଆଗାମୀ ଦିନରେ ଆହୁରି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଉ। ସେହି ହସହସ ମୁହଁ ଓ ଅମାୟିକ ବ୍ୟକ୍ତିତ୍ୱ ସହ ସେ ସବୁବେଳେ ଏମିତି ସମାଜର ସେବା କରିଚାଲନ୍ତୁ।

“ତାଙ୍କ ଜୀବନର ମୂଳମନ୍ତ୍ର ହେଉଛି—ସାମ୍ବାଦିକତା ତାଙ୍କର ନିଶା, ସମାଜସେବା ତାଙ୍କ ଜୀବନର ବ୍ରତ ଏବଂ ମାନବିକତା ତାଙ୍କର ପରିଚୟ। “

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *