‘ଗୌର କୃଷ୍ଣ ଭଜନ ଶତକ’ର ପୁନଃପ୍ରକାଶ ସହ ‘ଶ୍ରୀ ଗୌର ପଦାଙ୍କପୂତ କଟକ ନଗର’ ଉନ୍ମୋଚିତ
ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୧୯/୯: ଶ୍ରୀ ରାଧାଷ୍ଟମୀ ଅବସରରେ ଶ୍ରୀ ଚୈତନ୍ୟ ରିସର୍ଚ୍ଚ ଆସୋସିଏସନ୍ ପକ୍ଷରୁ ଶ୍ରୀ ଚୈତନ୍ୟ ବିହାର ପରିସରରେ ଧାର୍ମିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଶ୍ରୀ ଗୌର ଜଗନ୍ନାଥ ରାଧା ପ୍ରମୋଦ ବିହାରୀଙ୍କ ଅଭିଷେକ କରାଯାଇଥିଲା। ମଧ୍ୟାହ୍ନରେ ରାଧା ସହସ୍ରନାମ ପାଠ, କୀର୍ତ୍ତନ, ଆରତୀ ଓ ମନ୍ଦିର ପରିକ୍ରମା ଅନୁଷ୍ଠିତ ହୋଇଥିଲା।
ଆସୋସିଏସନ୍ର ସଭାପତି ଜନାକୀବଲ୍ଲଭ ପଟ୍ଟନାୟକ ଶ୍ରୀରାଧା ତତ୍ତ୍ୱ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ଅଞ୍ଚଳର ପ୍ରସିଦ୍ଧ ଭକ୍ତ କବି ଗୌରଚରଣ ଅଧିକାରୀଙ୍କ ରଚିତ ‘ଗୌର କୃଷ୍ଣ ଭଜନ ଶତକ’ ଗ୍ରନ୍ଥକୁ ପଣ୍ଡିତ ଦୀନବନ୍ଧୁ ଖାଡ଼ଙ୍ଗଙ୍କ ଦ୍ୱାରା ପୁନଃପ୍ରକାଶ କରାଯାଇଥିଲା। ଏଥିସହ ଆସୋସିଏସନ୍ ପକ୍ଷରୁ ପ୍ରକାଶିତ ନୂତନ ଗ୍ରନ୍ଥ ‘ଶ୍ରୀ ଗୌର ପଦାଙ୍କପୂତ କଟକ ନଗର’ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ଓ ଲୋକାର୍ପିତ ହୋଇଥିଲା।
‘ଗୌର କୃଷ୍ଣ ଭଜନ ଶତକ’ ଭକ୍ତକବି ଗୌରଚରଣ ଅଧିକାରୀଙ୍କ ଭକ୍ତିଭାବପୂର୍ଣ୍ଣ ରଚନାର ସଂକଳନ। ଶ୍ରୀଚୈତନ୍ୟ ଓ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି ଏହି ଭଜନ ଗୁଡ଼ିକରେ ପ୍ରତିଫଳିତ ହୋଇଛି। ଭକ୍ତି, ମହିମା ଓ ଲୀଳାକୁ ଭଜନ ମାଧ୍ୟମରେ ପ୍ରକାଶ କରୁଥିବା ଏହି କୃତିର ପୁନଃପ୍ରକାଶ ମାଧ୍ୟମରେ ଗୌରଚରଣ ଅଧିକାରୀଙ୍କ ଭକ୍ତି ସାହିତ୍ୟ ପୁଣିଥରେ ପାଠକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ଆଜି ଭକ୍ତକବି ଗୌରଚରଣ ଅଧିକାରୀଙ୍କ ଜନ୍ମଦିବସ ହୋଇଥିବାରୁ ତାଙ୍କ ରଚିତ ଗ୍ରନ୍ଥର ପୁନଃପ୍ରକାଶ କାର୍ଯ୍ୟକ୍ରମର ବିଶେଷ ଗୁରୁତ୍ୱ ରହିଥିଲା।
କାର୍ଯ୍ୟକ୍ରମରେ ପଣ୍ଡିତ ଗୋପବନ୍ଧୁ ପଣ୍ଡା, ବୋଧାୟନ ମହାରାଜ, ଅନନ୍ତ ହରି ବାବା, ସାମ୍ବାଦିକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଯୁଧିଷ୍ଠିର ଛୁଆଳସିଂହ ଓ ତ୍ରୈଲୋକ୍ୟନାଥ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ। ଆସୋସିଏସନ୍ର ସମ୍ପାଦକ ଶ୍ରୀଜୟ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
