ଭୁବନେଶ୍ୱର, (୦୩/୦୧): – କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି ଏବଂ ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ ନିନ୍ଦା କରିଛି। ବିଜେପି ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରଠାରୁ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେଉଛି।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି, ରାଜନଗର ମହିଳା ବିଡିଓଙ୍କୁ ୪୦ରୁ ଅଧିକ ବିଜେପି କର୍ମୀ ଘେରି ଯାଇ ଆକ୍ରମଣ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର ବୋଲି କହିଥିଲେ। ଏପରିକି କମ୍ପ୍ୟୁଟର ଉଠାଇ ତାଙ୍କୁ ମାରିବାକୁ ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଉଦ୍ୟମ କରିଥିଲେ । କର୍ମୀମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ରକ୍ଷା ପାଇଯାଇଛନ୍ତି। ଲଳିତ ବେହେରାଙ୍କ ସହିତ ୪୦ରୁ ଅଧିକ ବିଜେପି କର୍ମୀ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସରେ ପଶି ହଙ୍ଗାମା କରିଥିଲେ।
ଏପରିକି ତାଙ୍କ କଥାରେ କାମ କରିବାକୁ ବିଡିଓଙ୍କୁ ଧମକ ଦେଇଥିଲେ । ବିଡିଓ କହିଥିଲେ, ସରକାରଙ୍କ ନିୟମ ଅନୁଯାୟୀ କାମ ହେବ। ଏଥିରେ ଉତ୍କ୍ଷିପ୍ତ ହୋଇ ବିଜେପି ନେତା ଲଳିତ ବେହେରା ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ। କର୍ମୀମାନେ ହାତ ଧରି ଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷାପାଇଯାଇଛି । ଏହା ପରେ ବି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଡିଓଙ୍କୁ ଲଳିତ ଧମକ ଦେଇଥିବା ଜଣାପଡ଼ିଛି। ସିସିଟିଭିରେ ଏହି ସବୁ ଭିଡିଓ ରେକର୍ଡ ହୋଇଛି। ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ମହିଳା ବିଡିଓଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାରକୁ ବିଜୁ ଜନତା ଦଳ ଦୃଢ ନିନ୍ଦା କରିଛି ।
ପୂର୍ବରୁ ୨୦୨୫ ଜୁନ୍ ୩୦ରେ, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନର ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ଟାଣି ନେଇ ମାଡ଼ ମାରିଥିଲେ । ବିଜେପି ତୁଙ୍ଗ ନେତାମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଜାମିନ ମିଳିବା ପରେ ଆଣିଥିଲେ, ଯାହା ସଙ୍କେତ ଦେଇଥିଲା ଯେ ବିଜେପି ନେତାମାନେ ସବୁକିଛି କରିପାରିବେ ଏବଂ ସହଜରେ ଖସି ଯାଇପାରିବେ।
ଏହି ସମସ୍ତ ଘଟଣା ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପତନ ଘଟାଉଛି । ଏହି ହିଂସାତ୍ମକ ଆକ୍ରମଣର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବାକୁ ଡ. ମହାନ୍ତି ଦାବି କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now