ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ର ସଠିକ୍ କାର୍ଯ୍ୟକାରିତା
ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା
ଖୋର୍ଦ୍ଧା :- ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ ହୋଇଥିଲା । ଏହି ଯୋଜନା ଅଧୀନରେ ରାଜ୍ୟର ମାତ୍ର ୧୫୦୦ରୁ ପାଖାପାଖି ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି । ହେଲେ ପରିତାପର ବିଷୟ ଏଯାବତ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି I ଯୋଜନାରେ କିନ୍ତୁ କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ସରକାରୀ ନିୟମ ରହିଛି ।

ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ରହିଥିବାବେଳେ ବୋର୍ଡ ଗଠନ ହୋଇନଥିବାରୁ ପରିଷଦ ବର୍ଷେ ହେବ ନିଷ୍କ୍ରିୟ ହୋଇ ପତିରହିଛି । ଇତି ମଧ୍ୟରେ ସରକାରକୁ ବର୍ଷେ ପୁରି ସାରିଥିବାବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାଜିଛି । ଓଡିଶା ଶିଳ୍ପୀ ମହାସଂଘର ବାରଂବାର ଦାବୀ ସତ୍ତ୍ବେ ରାଜ୍ୟ ସରକାର ଆଦୌ କଣ୍ଠପାତ କରୁ ନାହାନ୍ତି ।

ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିବାଦରେ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ଏହି କ୍ରମରେ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଓ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ।

ଆଜିର ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଶହଶହ କାରିଗର ଓ ବୁଣାକାର ସାମିଲ ହୋଇଥିବାବେଳେ ମହାସଂଘର ଖୋଦ୍ଧା ଜିଲ୍ଲା ସଭାପତି ଗଗନ ମହାରଣା, କଟକ ଜିଲ୍ଲା ସଭାପତି ଗୋବିନ୍ଦ ସାମଲ, କଳ୍ପତରୁ ପଣ୍ଡା, ହିଜବର ଦାସ, ଭୋବନୀ ଓଝା, ଅଳୟ ଜଗଦେବ, ଜିତେନ୍ଦ୍ର ପରିଡା ଓ କେଶବ ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now