ଭୁବନେଶ୍ଵର: – ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ ଛକଠାରେ ନାରୀ ସୁରକ୍ଷା ପ୍ରସଙ୍ଗ ଏବଂ ଏବିଭିପି ବିରୋଧରେ ବିକ୍ଷୋଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା।

ସଂଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ନାରୀମାନେ ଅସୁରକ୍ଷିତ ଥିଲା ବେଳେ ଛାତ୍ରୀମାନେ କଲେଜ କ୍ୟାମ୍ପସ୍ରେ ମଧ୍ୟ ସୁରକ୍ଷିତ ନୁହନ୍ତି । ବିଜେପି ସମର୍ଥିତ ଛାତ୍ର ସଂଗଠନ ଏବିଭିପିର କାର୍ଯ୍ୟକର୍ଷା ବାଲେଶ୍ଵର ଏଫ୍ଏମ୍ କଲେଜର ପୀଡ଼ିତାଙ୍କୁ ପେଟ୍ରୋଲ ଓ ଦିଆସିଲି ଯୋଗାଇ ଦେଇ ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି। ଏହି ଘଟଣାରେ ଆହୁରି ୧୦ଜଣ ଏବିଭିପି କାର୍ଯ୍ୟକର୍ଷା ସଂପୃକ୍ତ ଅଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ନିର୍ଦ୍ଦେଶରେ ଏବିଭିପିର ଛାତ୍ରନେତାମାନେ ପୀଡ଼ିତାଙ୍କୁ ଆତ୍ମାହୁତି ଦେବା ପାଇଁ ପ୍ରବର୍ତାଇ ଥିଲେ ବୋଲି ଅଭିଯୋଗ କରାଯାଇଛି। ତେଣୁ ମନ୍ତ୍ରୀ ଓ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରାଯାଇଛି।

ବଳଙ୍ଗା ଘଟଣାରେ ପୀଡିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଦୁଃଖୀଶ୍ୟାମ ସେନାପତିଙ୍କୁ ପୀଡ଼ିତା ପ୍ରଥମେ କହିଥିଲେ ଯେ, ପୀଡିତାଙ୍କୁ ତିନିଜଣ ଦୁର୍ବୃତ୍ତ ବେହୋସ କରି ଟେକି ନେଇଥିଲେ। ତାଙ୍କ ହୋସ ଆସିଲା ବେଳକୁ ତାଙ୍କ ଦେହ ପୋଡିଯାଇଛି। ତେଣୁ ସେହିତିନି ଜଣ ଦୁର୍ବୃତ୍ତଙ୍କୁ ଖସାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିଲ୍ଲୀ ଯାଇ ପୀଡିତାଙ୍କ ଉପରେ ଚାପ ପକାଇ ତାଙ୍କ ବୟାନ ବଦଳାଇବାରେ ସଫଳ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତୁରନ୍ତ ଇସ୍ତଫା ଦେବା ପାଇଁ ବିଜୁ ଯୁବ ଛାତ୍ର ନେତାମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଉପରକୁ ଉତ୍ତରଦାୟିତ୍ଵ ନେଇ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଯୁବ ଛାତ୍ର ନେତାମାନେ ଦାବି କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ବିଧାୟକ ବ୍ୟୋମକେଶ ରାୟ ଓ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ନେତୃତ୍ବରେ ବିଜୁ ଯୁବ ଛାତ୍ର ନେତା ଧୃତିରଂଜନ ମାର୍ଥା, ଶୁଭ୍ରାଂଶୁ ନାରାୟଣ ମିଶ୍ର, ତାରିଣୀ ପ୍ରସାଦ ନାୟକ, ଦିଲୀପ ସେନାପତି, ଶୁଭ୍ରଜିତ ପାଢ଼ୀ, ରଶ୍ମିରଂଜନ ଦାସ, ରାଜେଶରାଜ ସ୍ବାଇଁ, ଇପ୍ସିତା ସାହୁ, ମୁଜିତ ପାଲଟାସିଂ ପ୍ରମୁଖ ଯୋଗଦେଇଥିଲେ |
Subha Khabar is now on Whatsapp
Join and get latest news update delivered to you via whatsapp
Join Now
