ରାଜ୍ୟ ସରକାରଙ୍କ ମହିଳା ସ୍ବାଧୀନତା ବିରୋଧୀ ମନୋଭାବର ପରିପ୍ରକାଶ: ବିଜେଡି

ରେଭେନ୍ସାରେ ମହିଳାଙ୍କୁ ସନ୍ଧ୍ୟା ପରେ ରହିବା ପାଇଁ ବାରଣ ପ୍ରସଙ୍ଗ

ବିଶ୍ବବିଦ୍ୟାଳୟ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ

ଏହି ବିଜ୍ଞପ୍ତି ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇଥିବାର ସ୍ବୀକାରୋକ୍ତି

ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ

ରେଜିଷ୍ଟ୍ରାରଙ୍କୁ ତୁରନ୍ତ ନିଲମ୍ବନ କରାଯାଉ

ଭୁବନେଶ୍ୱର:-  ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ଯ୍ୟସ୍ଥଳୀରେ ରହିପାରିବେନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା । ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ମହିଳାଙ୍କ ସ୍ଵାଧୀନତା ଉପରେ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ତୀବ୍ର ସମାଲୋଚନା କରିଛି।

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ମହିଳାଙ୍କୁ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଏହି ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ, ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି, ଏହା ଏକ ପ୍ରମାଣ ସ୍ଵରୂପ ଉଭା ହୋଇଛି । ନିସନ୍ଦେହରେ ଏହି ତାଲିବାନୀ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ମହିଳା ସ୍ଵାଧୀନତା ବିରୋଧୀ ମନୋଭାବକୁ ଦର୍ଶାଇଛି ବୋଲି ଡ଼ ମହାନ୍ତି କହିଛନ୍ତି।

ସେ କହିଥିଲେ, ଏହି ବିଜ୍ଞପ୍ତି ରେଭେନ୍ସା ପରି ବିଶ୍ଵସ୍ତରୀୟ ବିଶ୍ଵବିଦ୍ୟାଳୟରେ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ବିଶ୍ୱବିଦ୍ୟାଳୟ ଇତିହାସରେ ସବୁଦିନ ପାଇଁ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ। ବିଜେପି ସରକାରଙ୍କ ଶାସନରେ ଆସିଥିବା ଏହି ବିଜ୍ଞପ୍ତି ଓଡିଶା ପାଇଁ ଆଉଥରେ ଲଜ୍ଯା ଓ ନିନ୍ଦା ଆଣିଛି। ଏହି ବିଜ୍ଞପ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ଏହାକୁ ପ୍ରତ୍ୟାହାର କରି ଦିଆଯାଇଥିଲା। ଏହି ତାଲିବାନୀ ବିଜ୍ଞପ୍ତି କିଭଳି ଭାବେ ପ୍ରକାଶ ପାଇଲା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ରଖୁବା ପାଇଁ ବିଜେଡି ଦାବି କରୁଛି। ଏହାଛଡା ରେଭେନ୍ସା ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସ୍ଵାକ୍ଷରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ, ତୁରନ୍ତ ତାଙ୍କୁ ନିଲମ୍ବନ କରିବା ପାଇଁ ଡ଼ ମହାନ୍ତି ଦାବି କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *