ଖୋର୍ଦ୍ଧା, ୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକତା ମାରାଥନ୍, ଶପଥ ପାଠ ଓ ପୋଲିସ ପ୍ୟାରେଡ୍ ଆୟୋଜିତ ହୋଇଥିଲା।

ସକାଳ ୭ଟାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ଆରକ୍ଷୀ ଅଧୀକ୍ଷକ ପାରମାର ସ୍ମିତ ପାରୁଷୋତ୍ତମ ଦାସ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ନିରାପତ୍ତା ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ପ୍ରମୁଖ କର୍ତ୍ତବ୍ୟ ବୋଲି ସେ ଆହ୍ୱାନ ଦେଇ ମାରାଥନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାରାଥନ୍ରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀନିବାସ ମହାନ୍ତି, ଅନାଦି ଚରଣ ସେଠୀ, ସଦର ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ, ରିଜର୍ଭ ଇନ୍ସପେକ୍ଟର ବିଜୟ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ସମେତ ପୋଲିସ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ମାରାଥନ୍ଟି ପଲା ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ସେହିପରି ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ରାଜ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର, ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଜନଗଣନା ପ୍ରଶିକ୍ଷଣାର୍ଥୀମାନେ ଶପଥ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ସମସ୍ତଙ୍କୁ ଏକତାର ଶପଥ ପାଠ କରାଇଥିଲେ।

ଅପରାହ୍ନରେ ତରତୁଆସ୍ଥିତ ଆର୍ଓ ଗ୍ରାଉଣ୍ଡରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପୋଲିସ ପ୍ୟାରେଡ୍ ଆୟୋଜିତ ହୋଇଥିଲା। ରିଜର୍ଭ ଇନ୍ସପେକ୍ଟର ବିଜୟ କୁମାର ସାହୁ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ଆରକ୍ଷୀ ଅଧୀକ୍ଷକ ପାରମାର ସ୍ମିତ ପାରୁଷୋତ୍ତମ ଦାସ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ଏକତା, ଅଖଣ୍ଡତା ଓ ସୁରକ୍ଷାର ବାର୍ତ୍ତା ପ୍ରଚାର କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
