ଦରମାରୁ ଟିଡିଏସ୍ କଟିଥିଲେ କର୍ମଚାରୀଙ୍କୁ ପୁଣି ଟିକସ ଦେବାକୁ ପଡ଼ିବନି : ନିଯୁକ୍ତିଦାତାଙ୍କ ତ୍ରୁଟି ପାଇଁ କର୍ମଚାରୀ ଦାୟୀ ନୁହଁନ୍ତି: ହାଇକୋର୍ଟ


କଟକ, (୧୦/୧୦): – କର୍ମଚାରୀଙ୍କ ଦରମାରୁ ଆୟକର ବାବଦରେ ଟିଡିଏସ୍ (TDS) କାଟିବା ପରେ ନିଯୁକ୍ତିଦାତା ସଂସ୍ଥା ଯଦି ସେହି ଅର୍ଥ ସରକାରୀ ଖାତାରେ ଜମା ନ କରେ କିମ୍ବା ଆୟକର ରିଟର୍ଣ୍ଣରେ ତ୍ରୁଟି ରଖେ, ତେବେ ଏଥିପାଇଁ କର୍ମଚାରୀଙ୍କୁ ଦାୟୀ କରାଯାଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା ହାଇକୋର୍ଟ।


ନିରୁପମା ନନ୍ଦଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisement


ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରିଣୀ ବିଭିନ୍ନ କଲେଜରେ କାର୍ଯ୍ୟ କରୁଥିବା ସମୟରେ ୨୦୧୦-୧୧ରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ତାଙ୍କ ଦରମାରୁ ଟିଡିଏସ୍ କଟାଯାଇଥିଲା। କିନ୍ତୁ କଲେଜ କର୍ତ୍ତୃପକ୍ଷ ଆୟକର ରିଟର୍ଣ୍ଣରେ ସମ୍ପୃକ୍ତ ତଥ୍ୟ ଠିକ୍ ଭାବେ ଉଲ୍ଲେଖ କରିନଥିଲେ। ଫଳରେ ଆୟକର ବିଭାଗର ଫର୍ମ-୨୬ଏଏସ୍‌ରେ ଟିକସ କଟାଯାଇଥିବା ଅର୍ଥ ପ୍ରତିଫଳିତ ହୋଇନଥିଲା। ଏହାପରେ ସେଣ୍ଟ୍ରାଲାଇଜ୍ଡ ପ୍ରୋସେସିଂ ସେଣ୍ଟର (ସିପିସି), ବେଙ୍ଗାଲୁରୁ ପକ୍ଷରୁ ତାଙ୍କ ନାମରେ ବକେୟା ଟିକସ ଦାବି କରି ନୋଟିସ୍ ଜାରି କରାଯାଇଥିଲା।


ଏହି ନୋଟିସ୍‌ର ସଂଶୋଧନ ପାଇଁ ସେ ଆୟକର ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦରମାରୁ ଟିକସ କଟାଯାଇଥିବା ସତ୍ତ୍ୱେ ସେହି ପରିମାଣର ଟିକସ ପୁଣି ଥରେ କର୍ମଚାରୀଙ୍କଠାରୁ ଆଦାୟ କରିବା ଉଚିତ୍ ନୁହେଁ। ନିଯୁକ୍ତିଦାତା ଟିକସ କାଟି ସରକାରୀ ଖାତାରେ ଜମା କରିବାରେ ବିଫଳ ହେଲେ, ସମ୍ପୃକ୍ତ ନିଯୁକ୍ତିଦାତାଙ୍କୁ ଡିଫଲ୍ଟର ଘୋଷଣା କରି ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ।
ଏଥିସହ ହାଇକୋର୍ଟ ଆବେଦନକାରିଣୀଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରମାଣପତ୍ର ସହ ଭୁବନେଶ୍ୱରସ୍ଥିତ ଆୟକର ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ସମନ୍ ଜାରି କରି ରେକର୍ଡ ଯାଞ୍ଚ କରାଯାଇପାରିବ। ଆବେଦନକାରିଣୀ ପ୍ରଥମ ଥର ହାଜର ହେବାର ତିନି ମାସ ମଧ୍ୟରେ ବକେୟା ଟିକସ ଦାବିର ସଂଶୋଧନ ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


ଏହି ରାୟ ଟିଡିଏସ୍ କଟାଯିବା ପରେ ନିଯୁକ୍ତିଦାତାଙ୍କ ତ୍ରୁଟି ଯୋଗୁଁ ଅସୁବିଧାରେ ପଡ଼ୁଥିବା କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱାସନା ଭାବେ ବିବେଚିତ ହେଉଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *