ବିଶ୍ୱ ରକ୍ତଦାତା ଦିବସ ପାଳିତ :- ରକ୍ତଦାନ ମାଧ୍ୟମରେ ମାନବିକତାର ବାର୍ତ୍ତା, ସମ୍ମାନିତ ହେଲେ ନିୟମିତ ରକ୍ତଦାତା

ରକ୍ତଦାନ କୁ ପ୍ରୋତ୍ସାହିତ କରିବାକୁ  ସରକାର ପଦକ୍ଷେପ ନେବାକୁ ସ୍ବେଛାସେବୀ ଦେଲେ ଆହ୍ୱାନ


ଖୋରଧା-୧୪/୬- “ରକ୍ତର କୌଣସି ବିକଳ୍ପ ନାହିଁ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ଏକ ୟୁନିଟ୍ ରକ୍ତ ଅନ୍ୟ ଜଣଙ୍କ ଜୀବନରେ ନୂତନ ଆଶା ସଞ୍ଚାର କରିପାରେ।” ଏହି ମହାନ ସନ୍ଦେଶକୁ ନେଇ ଆଜି ଖୋରଧା ରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କେବଳ ରକ୍ତଦାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିନଥିଲା ବରଂ ସମାଜ ପାଇଁ ନିରନ୍ତର ସେବା କରୁଥିବା ସ୍ୱେଚ୍ଛାସେବୀ ରକ୍ତଦାତାଙ୍କ ଅବଦାନକୁ ମଧ୍ୟ ସମ୍ମାନ ଜଣାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡ଼ିଶା ରକ୍ତ କେନ୍ଦ୍ରରେ ସକାଳୁ ଉତ୍ସାହପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା।

Advertisement

ରକ୍ତଦାତା, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ସାମାଜିକ କର୍ମୀ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଏକତ୍ରିତ ହୋଇ ରକ୍ତଦାନର ମହତ୍ତ୍ୱକୁ ନେଇ ଆଲୋଚନା କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଜୟ ନାରାୟଣ ପାଢ଼ୀ ଅନୁଷ୍ଠାନିକ ଭାବେ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ନୂତନ ଭାବରେ ନିର୍ମିତ ଓଡ଼ିଶା ରକ୍ତ କେନ୍ଦ୍ର କୁ  ଉଦଘାଟନ  କରିଥିଲେ। ପରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଏକ  ସଭା ର ଆୟୋଜନ କରାଯାଇଥିଲା। ସଭାରେ ଉଦବୋଧନ  ଦେଇ ଡାକ୍ତର ଜୟ ନାରାୟଣ ପାଢ଼ୀ କହିଥିଲେ ଯେ ବିଶ୍ୱ ରକ୍ତଦାତା ଦିବସ ସମଗ୍ର ବିଶ୍ୱର ସେହି ନିଷ୍କାମ ରକ୍ତଦାତାଙ୍କୁ ସମ୍ମାନ ଜଣାଇବାର ଦିନ, ଯେଉଁମାନେ କୌଣସି ସ୍ୱାର୍ଥ ନ ରଖି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସନ୍ତି। ସେ କହିଥିଲେ ଯେ, ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଥିଲେ ମଧ୍ୟ ମାନବ ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ ଉଦ୍ଭାବନ କରିପାରିନାହିଁ। ତେଣୁ ରକ୍ତଦାନ ହିଁ ଜୀବନ ରକ୍ଷାର ଏକମାତ୍ର ଉପାୟ। ସେ ଆହୁରି କହିଥିଲେ , ଜଣେ ବ୍ୟକ୍ତି ଦାନ କରୁଥିବା ଏକ ୟୁନିଟ ରକ୍ତକୁ ରେଡ୍ ବ୍ଲଡ ସେଲ୍, ପ୍ଲାଜମା, ପ୍ଲେଟଲେଟ ଓ କ୍ରାୟୋପ୍ରେସିପିଟେଟ ପରି ବିଭିନ୍ନ ଉପାଦାନରେ ବିଭକ୍ତ କରାଯାଇପାରେ। ଫଳରେ ସେହି ଏକ ୟୁନିଟ୍ ରକ୍ତ ତିନିରୁ ଚାରିଜଣ ପର୍ଯ୍ୟନ୍ତ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାଏ।

ସଡ଼କ ଦୁର୍ଘଟଣା, ପ୍ରସୂତି ଜନିତ ଜଟିଳତା, କ୍ୟାନ୍ସର, ଥାଲାସେମିଆ ଓ ବିଭିନ୍ନ ଗୁରୁତର ଅସ୍ତ୍ରୋପଚାର ସମୟରେ ରକ୍ତର ଆବଶ୍ୟକତା ଅତ୍ୟନ୍ତ ବେଶି ରହିଥାଏ। ଏହି ଆବଶ୍ୟକତା ପୂରଣ ପାଇଁ ସମାଜର ପ୍ରତ୍ୟେକ ସଚେତନ ନାଗରିକ ଆଗକୁ ଆସିବା ଦରକାର ବୋଲି ସେ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଥିଲା ନିୟମିତ ରକ୍ତଦାତାଙ୍କ ସମ୍ମାନ ପ୍ରଦାନ ଉତ୍ସବ। ଦୀର୍ଘ ବର୍ଷ ଧରି ରକ୍ତଦାନ କରି ଅନେକ ଅସହାୟ ରୋଗୀଙ୍କ ଜୀବନ ରକ୍ଷାରେ ସହଯୋଗ କରିଥିବା ରକ୍ତଦାତା ଦିଲ୍ଲୀପ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ପାଇକରାୟ, ପ୍ରଭାତ କୁମାର ପାଣିଗ୍ରାହୀ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଶୁଭକାନ୍ତ ମହାପାତ୍ର, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ନିମେଇ ମହାରଣା ଓ ଅନ୍ୟ ସ୍ୱେଚ୍ଛାସେବୀ ରକ୍ତଦାତାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ନିଷ୍ଠା, ସମର୍ପଣ ଏବଂ ମାନବିକତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ସମ୍ମାନ  ଗ୍ରହଣ ପରେ କିଛି ରକ୍ତଦାତା ନିଜ ଅନୁଭୂତି ବାଣ୍ଟିଥିଲେ। ସେମାନେ କହିଥିଲେ ଯେ ରକ୍ତଦାନ କେବଳ ଏକ ସାମାଜିକ କାର୍ଯ୍ୟ ନୁହେଁ, ଏହା ମାନବିକତାର ସର୍ବୋଚ୍ଚ ପ୍ରକାଶ। ନିଜର କିଛି ମିନିଟ ସମୟ ଓ ଏକ ୟୁନିଟ ରକ୍ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ ବୋଲି ଜାଣିବା ପରେ ରକ୍ତଦାନ ପ୍ରତି ସେମାନଙ୍କ ଆଗ୍ରହ ଆହୁରି ବଢ଼ିଛି। ସଭାରେ  ଉପସ୍ଥିତ ବକ୍ତାମାନେ ଯୁବପିଢ଼ିଙ୍କୁ ରକ୍ତଦାନ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ସେମାନେ କହିଥିଲେ ଯେ ଆଜି ମଧ୍ୟ ସମାଜରେ ରକ୍ତଦାନ ସମ୍ପର୍କରେ ଅନେକ ଭ୍ରାନ୍ତ ଧାରଣା ରହିଛି। ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ କିମ୍ବା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କିଛି ଲୋକ ଭାବନ୍ତି। କିନ୍ତୁ ଡାକ୍ତରମାନଙ୍କ ମତରେ ଜଣେ ସୁସ୍ଥ ବ୍ୟକ୍ତି ନିୟମିତ ବ୍ୟବଧାନରେ ରକ୍ତଦାନ କଲେ ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡ଼େ ନାହିଁ, ବରଂ ଏହା ଶରୀରରେ ନୂତନ ରକ୍ତ କଣିକା ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ।


କାର୍ଯ୍ୟକ୍ରମରେ ଡାକ୍ତର ବିଭୂତି ଭୂଷଣ ଜଟି, ଡାକ୍ତର ରୀତାଞ୍ଜଳି ମିଶ୍ର, ହସ୍ପିଟାଲ ମ୍ୟାନେଜର ସଙ୍ଗୀତା ସ୍ୱାଇଁ, ରକ୍ତ ଭଣ୍ଡାରର ଟେକ୍ନିସିଆନ ଅରୁଣ କୁମାର ସାହୁ, ଝାନସୀ ରାଣୀ ପାତ୍ର, ଝୁନୁଲତା ପାତ୍ର, ବିଚିସ୍ମିତା ପୁହାଣ, ଅନିରୁଦ୍ଧ ସ୍ୱାଇଁ, ବିଶ୍ୱରଞ୍ଜନ ମହାପାତ୍ର, ଲୋପାମୁଦ୍ରା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ  ରକ୍ତଦାନର ମହତ୍ତ୍ୱ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ବର୍ଷକୁ ଅତି କମରେ ଥରେ ରକ୍ତଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା।

ବିଶ୍ୱ ରକ୍ତଦାତା ଦିବସ ଅବସରରେ ଖୋରଧାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାନବିକତା, ସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଥିବା ବେଳେ “ରକ୍ତଦାନ ମହାଦାନ” ବାର୍ତ୍ତାକୁ ସମାଜରେ ଆହୁରି ଦୃଢ଼ କରିଛି। ଏକ ବୁନ୍ଦା ରକ୍ତ କିପରି ଏକ ଜୀବନ ବଞ୍ଚାଇପାରେ, ତାହାର ଜୀବନ୍ତ ଉଦାହରଣ ହୋଇ ରହିଛନ୍ତି ଏହି ସ୍ୱେଚ୍ଛାସେବୀ ରକ୍ତଦାତାମାନେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *