ଦିନକ ପରେ ରଜ; ଜମୁଛି ରଜ ବଜାର
ଡ୍ରେସ ଓ ମନୋହରୀ ଦୋକାନରେ ଭିଡ

ଖୋର୍ଦ୍ଧା,: (ଶୁଭ ଖବର )ଶୁକ୍ରବାର ସଜବାଜ । ଶନିବାର ପହିଲି ରଜ । କାମରୁ ବିରତି ନେଇ ରଜ ୩ଦିନ କିପରି ଖେଳକୁଦ ଓ ମଉଜ ମଜଲିସ୍ ରେ କଟିବ, ସେଥିପାଇଁ ସମସ୍ତେ ପ୍ରସ୍ତୁତ । ରଜ କିଣାବିକା ପାଇଁ ଖୋର୍ଦ୍ଧା ଓ ସହର ଉପକଣ୍ଠ ଜଟଣୀ, ଭୁବନେଶ୍ୱର ରଜ ବଜାର ଚଳଚଂଚଳ ହୋଇପଡ଼ିଛି । ଭଳିକି ଭଳି ପାନର ପସରାକୁ ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ରଜପାନ ଦୋକାନମାନ ଖୋଲିଥିବା ବେଳେ ପାରମ୍ପରିକ ରଜର ମଜା ନେବାକୁ ଗାଁ ଲେଉଟା ହେଲେଣି ସହରୀବାସିନ୍ଦା । ଏପଟେ ରଜ ପାଇଁ ଅଫର ପସରା ମେଲାଇ ବସିଥିବା ବ୍ୟବସାୟୀ ଓ ସପିଂ ମଲ୍ ରେ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଲାଣି ।


  ରଜ ପାଇଁ ସବୁଆଡ଼େ ଚାଲିଛି ଅଫର ପସରା । ରଜପର୍ବର ପ୍ରାୟ ୧୫ଦିନ ଆଗରୁ ଆରମ୍ଭ ହୋଇଯାଇଛି ଏହି ଅଫର ଧମାକା । ବଡ଼ ବଡ଼ ମଲ୍ ରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ପ୍ରାୟ ସବୁଠାରେ ଗ୍ରାହକଙ୍କୁ ଦିଆଯାଉଛି ଆକର୍ଷଣୀୟ ରଜ ଅଫର ଓ ଉପହାର । ବ୍ୟବସାୟୀମାନେ ଭଳିକି ଭଳି ନୂଆ ରଜ କଲେକ୍ସନ ଆଣିବା ସହ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ପରେ ଅଫର ଘୋଷଣା କରୁଛନ୍ତି । ପ୍ରତିଥର ଭଳି ଏଥର ମଧ୍ୟ ରଜ ବଜାରରେ ପାରମ୍ପରିକ ପୋଷାକ ଯଥା ଶାଢି, ସାଲୱାର ସୁଟ୍, ଅନାରକଲି ଗାଉନ୍ ଓ କୁର୍ତିର ଅଧିକ ଚାହିଦା ରହିଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଯଦିଓ ସମୟେ ସମୟେ ବର୍ଷା ହେଉଛି ତଥାପି ରଜ ପାଇଁ ସନ୍ଧ୍ୟା ହେଲେ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି । କିଏ ନିଜ ମନ ପସନ୍ଦର ପୋଷାକ କିଣି ନେଉଛି ତ’ କିଏ ନିଜ ପୋଷାକ ସହ ମ୍ୟାଚ୍ କରୁଥିବା କାନ ଫୁଲ, ଚୁଡ଼ି ଓ ଅଳଙ୍କାର ମନୋହରୀ ଦୋକାନରୁ ବାଛି ନେଉଛି ।

Advertisement


  ବ୍ୟବସାୟୀ ଅଜୟ କୁମାର ଶର୍ମା କୁହନ୍ତି, ରଜ ବଜାରରେ ଶାଢି, ଲେହେଙ୍ଗା ଓ କୁର୍ତାର ଅଧିକ ଚାହିଦା ରହିଛି । ପିଓର ସିଲ୍କ, ପିଓର କଟନ୍, ନେଟ୍, ସିଫନ ରେ ପ୍ରସ୍ତୁତ ଶାଢି ଉପରେ ଜରି ଓ ଏମ୍ବ୍ରୋଡୋରୀ କାମର ଅଧିକ ଚାହିଦା ରହିଥିବା ବେଳେ ହ୍ୟାଣ୍ଡଲୁମ୍ ଶାଢି ବି ପଛରେ ପଡ଼ିନି । ହ୍ୟାଣ୍ଡଲୁମ୍ ର ଚାହିଦା ଯୋଗୁ ଓଡ଼ିଶାର ପାରମ୍ପରିକ ତଥା ହାତବୁଣା ଶାଢି କିଣିବା ଲାଗି ଲୋକଙ୍କ ଭିଡ ମଧ୍ୟ ହେଉଛି ବୋଲି କହିଛନ୍ତି । ଯଦିଓ ଫ୍ୟାନ୍ସି ଶାଢିର ଡିମାଣ୍ଡ ସାମାନ୍ୟ କମିଛି ତଥାପି ଏହା ବଦଳରେ ଟ୍ରାଇବାଲ୍ ପ୍ରିଂଟ ଶାଢି, ପିଓର କଟନ୍ ଶାଢି ଅଧିକ ବିକ୍ରି ହେଉଛି । ଛୋଟ ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ରିଟେଲର, ଷ୍ଟୋର ପ୍ରଭୃତି ରେ ଡିଜାଇନ୍ ର ବହୁ କଲେକ୍ସନ ଉପଲବ୍ଧ ହେଉଥିବା ଦେଖାଯାଇଛି ।


  ସେହିପରି ବିଭନ୍ନ ମଲ୍, ବିଉଟି ପାର୍ଲରରେ ମେହେନ୍ଦି ଆର୍ଟିଷ୍ଟ୍ମାନେ ବୁକିଂ ରଖିଲେଣି । ଏବେଠାରୁ ବିଭିନ୍ନ ପାର୍ଲରରେ ଗହଳି ଆରମ୍ଭ ହୋଇଗଲାଣି । ରଜପର୍ବ କୁ ନଜରରେ ରଖି ପାର୍ଲର ଗୁଡ଼ିକ ଆକର୍ଷଣୀୟ ଅଫର ଦେଉଛନ୍ତି । ଏପରିକି ବିଭିନ୍ନ ଅନ୍ଲାଇନ୍ ସପିଂ ସାଇଟ୍ରେ ଅଫର ଧମାକା ସହର ଓ ଉପକଣ୍ଠବାସୀଙ୍କୁ ଘରେ ବସି ଜିନିଷ ଅର୍ଡର କରିବାକୁ ବେଶ ଆକର୍ଷିତ କରୁଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *