ଗ୍ରାହକଙ୍କୁ ୧.୪୮ ଲକ୍ଷ ଟଙ୍କା ଫେରାଇବା ସହ ୩୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ବ୍ରହ୍ମପୁର: ଗ୍ରାହକଙ୍କୁ ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିବା ଓ ବାରମ୍ବାର ମରାମତି ସତ୍ତ୍ୱେ ସମସ୍ୟାର ସମାଧାନ ନକରିବା ଓଲା ଇଲେକ୍ଟ୍ରିକ୍ କମ୍ପାନୀକୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ କମ୍ପାନୀକୁ ଶକ୍ତ ଝଟକା ଦେଇଛନ୍ତି।

ଗ୍ରାହକ ଜୟତ୍ରୀ ପାଢ଼ୀଙ୍କ ଅଭିଯୋଗର ବିଚାର କରି ଆୟୋଗ ଓଲା ଇଲେକ୍ଟ୍ରିକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ତିନି ପ୍ରତିପକ୍ଷଙ୍କୁ ମିଳିତ ଓ ପୃଥକ୍ ଭାବେ ଦାୟୀ କରିଛନ୍ତି।
ସୂଚନା ଅନୁଯାୟୀ, ଜୟତ୍ରୀ ୨୦୨୩ ଡିସେମ୍ବର ୨୧ ତାରିଖରେ ଓଲା S1 Pro ଦ୍ୱିତୀୟ ଜେନେରେସନ୍ ସ୍କୁଟର କିଣିଥିଲେ। ତେବେ ମାତ୍ର ମାସେ ନପୂରୁଣୁ ଗାଡ଼ିରେ ଷ୍ଟାର୍ଟିଂ ସମସ୍ୟା, ଡିସପ୍ଲେ ବନ୍ଦ ହେବା, ବ୍ୟାଟେରୀ ତ୍ରୁଟି ଏବଂ ଚାଲୁଥିବା ସମୟରେ ହଠାତ୍ ଗାଡ଼ି ବନ୍ଦ ହୋଇଯିବା ଭଳି ସମସ୍ୟା ଦେଖାଦେଇଥିଲା। ବାରମ୍ବାର ସର୍ଭିସିଂ ଓ ମରାମତି ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିଲା।

ଶେଷରେ ଗ୍ରାହକ ଆଇନର ଆଶ୍ରୟ ନେଇଥିଲେ। ଉଭୟ ପକ୍ଷର ଦଲିଲ, ଇମେଲ୍, ଜବ୍ କାର୍ଡ ଓ କମ୍ପାନୀର ସର୍ଭିସ୍ ରେକର୍ଡ ଯାଞ୍ଚ କରିବା ପରେ ଆୟୋଗ ସେବାରେ ଅବହେଳା ଓ ଅନ୍ୟାୟ ବାଣିଜ୍ୟିକ କାରବାର ହୋଇଥିବା ମତ ଦେଇଛନ୍ତି।
ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଟରର ମୂଲ୍ୟ ଓ ପ୍ରୋସେସିଂ ଚାର୍ଜ ବାବଦକୁ ୧ ଲକ୍ଷ ୪୮ ହଜାର ୧୩୯ ଟଙ୍କା ସହ ବାର୍ଷିକ ୯ ପ୍ରତିଶତ ସୁଧ ଫେରସ୍ତ କରିବ କମ୍ପାନୀ। ଏହାସହ ମାନସିକ ଯନ୍ତ୍ରଣା ଓ ହଇରାଣ ପାଇଁ ୨୫ ହଜାର ଏବଂ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ ଆଦେଶ ହୋଇଛି।
ରାୟର ପ୍ରମାଣିତ ନକଲ ପାଇବାର ୪୫ ଦିନ ମଧ୍ୟରେ ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି। ଧାର୍ଯ୍ୟ ସମୟରେ ଟଙ୍କା ନଦେଲେ ବାର୍ଷିକ ୧୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଅର୍ଥ ଫେରସ୍ତ ପରେ ଗ୍ରାହକ ସ୍କୁଟରକୁ ଚାବି ଓ ଚାର୍ଜର ସହ କମ୍ପାନୀକୁ ଫେରାଇବେ। ଏଥିସହ HDFC ବ୍ୟାଙ୍କର ଋଣ ବନ୍ଧକ ହଟାଇବା ଦାୟିତ୍ୱ ମଧ୍ୟ କମ୍ପାନୀର ରହିବ।
ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗର ସଭାପତି ସତୀଶ କୁମାର ପାଣିଗ୍ରାହୀ ଓ ସଦସ୍ୟା ସରିତ୍ରୀ ପଟ୍ଟନାୟକଙ୍କ ଖଣ୍ଡପୀଠ ଗତ ନଭେମ୍ବର ୨ ତାରିଖରେ ଏହି ରାୟ ପ୍ରଦାନ କରିଛନ୍ତି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
