ଡକାୟତି ଯୋଜନା ବେଳେ ପୋଲିସ ଜାଲରେ ୫ ଅଭିଯୁକ୍ତ, ଗଡ଼ଚଣ୍ଡୀ ମନ୍ଦିରରୁ ଚୋରି ରୂପା ମୁକୁଟ ଉଦ୍ଧାର

ଖୋର୍ଦ୍ଧା, ୧୧।୧୧: ଖୋର୍ଦ୍ଧା ସହରରେ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି ମଡେଲ ଥାନା ପୋଲିସ। ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଗଡ଼ଖୋର୍ଦ୍ଧାସ୍ଥିତ ଗଡ଼ଚଣ୍ଡୀ ମନ୍ଦିରରୁ ଚୋରି ହୋଇଥିବା ଦେବୀଙ୍କ ଦୁଇଟି ରୂପା ମୁକୁଟ ଉଦ୍ଧାର କରିଛି।


ପୋଲିସ ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏସ୍‌ଆଇ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ମଡେଲ ଥାନାର ଏକ ରାତ୍ରିକାଳୀନ ପାଟ୍ରୋଲିଂ ଟିମ୍‌ ହାବେଳି ପଡ଼ିଆ ନିକଟରେ ପାଞ୍ଚ ଜଣଙ୍କୁ ସନ୍ଦେହଜନକ ଭାବେ ଏକାଠି ଥିବା ଦେଖିଥିଲା। ସେମାନେ ଡକାୟତି ଯୋଜନା କରୁଥିବା ସନ୍ଦେହରେ ପୋଲିସ ଟିମ୍‌ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ସମସ୍ତଙ୍କୁ କାବୁ କରିଥିଲା।

Advertisement


ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଭାଲିଆବାଦିର କାର୍ତ୍ତିକ ବେହେରା (୩୦), ଗଞ୍ଜାମ ଛତ୍ରପୁର ମୁରଲୀନଗରର ରୂପେଶ ମହାପାତ୍ର (୨୪), ଖୋର୍ଦ୍ଧା କାମନା ବଡ଼ସାହିର ଶିଶିର ନାଏକ (୨୨), ନିରାକାରପୁର ପାଣ୍ଡବପାଟଣାର ପବିତ୍ର ନାଏକ (୨୧) ଏବଂ ଖୋର୍ଦ୍ଧା ଲୋକେଶ୍ୱରପୁରର ବାହୁଡ଼ା ବେହେରା (୨୪)।


ସେମାନଙ୍କ ନିକଟରୁ ଦୁଇଟି ରୂପା ମୁକୁଟ, ଛୁରୀ, ଭୁଜାଲି, ଲୁହା ରଡ୍‌, ସ୍କ୍ରୁ ଡ୍ରାଇଭର, ଘର ଖୋଳିବା ଉପକରଣ, ତିନୋଟି ମୋବାଇଲ ଫୋନ୍‌ ଏବଂ ଏକ ପଲସର ୨୨୦ ମୋଟରସାଇକେଲ ଜବତ କରାଯାଇଛି। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଦୀପାବଳି ସନ୍ଧ୍ୟାରେ ଗଡ଼ଖୋର୍ଦ୍ଧାସ୍ଥିତ ଗଡ଼ଚଣ୍ଡୀ ମନ୍ଦିରରୁ ଦୁଇଟି ରୂପା ମୁକୁଟ ଚୋରି କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।


ଏନେଇ ମଡେଲ ଥାନାରେ କେସ୍‌ ନଂ ୬୬୬/୨୦୨୬, ବିଏନ୍‌ଏସ୍‌ର ଧାରା ୩୧୦(୪)/୩୧୦(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ୧୧ ତାରିଖରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ରାତିରେ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ ଖୋର୍ଦ୍ଧା ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *