ଓଡ଼ିଶା କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ:କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ, ଛାତ୍ରଛାତ୍ରୀଙ୍କୁ ଦୈନିକ ୧ ଜିବି ଡାଟା


ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ସୁବିଧାର ବିକାଶ ସହ ଜଳସେଚନ ଓ ପ୍ରଶାସନିକ କ୍ଷେତ୍ରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୯ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।


କ୍ୟାବିନେଟ୍‌ର ଏକ ପ୍ରମୁଖ ନିଷ୍ପତ୍ତି ହେଉଛି ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନା। ଏହି ଯୋଜନାରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାଗଣା ୱାଇ-ଫାଇ ସୁବିଧା ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ପରିସରରେ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା ପାଇପାରିବେ। ୨୦୨୯ ମସିହା ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ୩୯୩ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅନୁମୋଦନ କରାଯାଇଛି।

Advertisement


ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ଯୋଜନାଟି କାର୍ଯ୍ୟକାରୀ ହୋଇଥିବାବେଳେ ଏବେ ଏହାକୁ ରାଜ୍ୟର ୬୦୧ଟି କଲେଜକୁ ସମ୍ପ୍ରସାରଣ କରାଯିବ। ଏହାଦ୍ୱାରା ଛାତ୍ରଛାତ୍ରୀ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଅନଲାଇନ୍ କ୍ଲାସ୍, SWAYAM, MOOCs, ଗବେଷଣା ଡାଟାବେସ୍ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ସହଜରେ ପାଇପାରିବେ। ଏଥିସହ SAMS, HIMS ଓ ବୃତ୍ତି ପୋର୍ଟାଲ୍ ଭଳି ଇ-ଗଭର୍ଣ୍ଣାନ୍ସ ସେବାର ଉପଯୋଗ ମଧ୍ୟ ସହଜ ହେବ।
ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲାର ଇନ୍ଦ୍ରା ନଦୀରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ମିଳିଛି। ଟିଟିଲାଗଡ଼ର ପଥରଲା ନିକଟରେ ଏହି ପ୍ରକଳ୍ପ ନିର୍ମାଣ ହେବ ଏବଂ ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟ ହେବ।
ସେହିପରି ନୂଆପଡ଼ା ଜିଲ୍ଲାରେ ୭ଟି ମେଗା ଉଠା ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୫୯ଟି ଗାଁକୁ ଜଳ ଯୋଗାଣ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ୨୮୯ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ କରାଯିବ।
ଏହାବ୍ୟତୀତ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପରୀକ୍ଷାରେ ଆଟେମ୍ପଟ୍ ବା ପ୍ରୟାସ ସଂଖ୍ୟା ଉପରେ ଥିବା ସୀମାକୁ ହଟାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଣିକି ନିର୍ଦ୍ଧାରିତ ବୟସ ଓ ଶିକ୍ଷାଗତ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀମାନେ ପ୍ରୟାସ ସଂଖ୍ୟାର କୌଣସି ସୀମା ବିନା OCS ପରୀକ୍ଷା ଦେଇପାରିବେ।
ସାମଗ୍ରିକ ଭାବେ ଏହି କ୍ୟାବିନେଟ୍ ନିଷ୍ପତ୍ତିଗୁଡ଼ିକ ଉଚ୍ଚଶିକ୍ଷାର ଡିଜିଟାଲୀକରଣ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଯୁବପିଢ଼ିଙ୍କ ପାଇଁ ପ୍ରଶାସନିକ ସେବାରେ ଅଧିକ ସୁଯୋଗ ସୃଷ୍ଟି ଦିଗରେ ଗୁରୁତ୍ୱ ବହନ କରୁଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *