ଖୋର୍ଦ୍ଧା, ୦୮/୧୧: ମାନବିକତା ଓ ସେବା ମନୋଭାବର ନିଆରା ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ପୋଲିସ। ଦୀପାବଳି ଅବସରରେ ଖୋର୍ଦ୍ଧା ମଡେଲ ଥାନା ପକ୍ଷରୁ ବୁଢ଼ିବଗିଚାସ୍ଥିତ ବରିଷ୍ଠ ନାଗରିକ ଆବାସ ‘ଜୀବନଧାରା ସେବାଶ୍ରମ’ର ଅନ୍ତେବାସୀଙ୍କ ସହ ଆନନ୍ଦ ଓ ଉତ୍ସାହର ସହିତ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି।

ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସେବାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ମିଠା, ପର୍ବପର୍ବାଣିର ଖାଦ୍ୟ ଓ ଭୋଜନ ପ୍ରଦାନ କରିଥିଲେ। ଏଥିସହ ବୟସ୍କ ପୁରୁଷମାନଙ୍କୁ ନୂତନ ପୋଷାକ ଏବଂ ମହିଳାମାନଙ୍କୁ ଶାଢ଼ୀ ଉପହାର ଦେଇଥିଲେ।
ପୋଲିସ କର୍ମଚାରୀମାନେ ଅନ୍ତେବାସୀଙ୍କ ସହ ଆତ୍ମୀୟତାର ସହ କିଛି ସମୟ ବିତାଇବା ସହ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଖୋର୍ଦ୍ଧା ପୋଲିସ ସର୍ବଦା ସେମାନଙ୍କ ସହ ରହିଛି ବୋଲି ଆଶ୍ୱାସନା ଦେଇଥିଲେ।
ପୋଲିସ କର୍ମଚାରୀଙ୍କ ସହ ଦୀପାବଳି ପାଳନ କରି ଅନ୍ତେବାସୀମାନେ ଆନନ୍ଦିତ ହେବା ସହ ପୋଲିସ ଟିମ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସୁରକ୍ଷା ଓ ସେବା ମନୋଭାବକୁ ଗୁରୁତ୍ୱ ଦେଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସର ଏହି ନିଆରା ପଦକ୍ଷେପ ସାମାଜିକ ଦାୟିତ୍ୱବୋଧ ଓ ମାନବିକତାର ଏକ ସୁନ୍ଦର ନିଦର୍ଶନ ପାଲଟିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
