ଜୟମଙ୍ଗଳ ଗ୍ରାମରେ ନିଃଶୁଳ୍କ ଦାତବ୍ୟ ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ;

୧୫୧ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ

ଦିଲ୍ଲୀପ କୁମାର ପଟ୍ଟନାୟକ

Advertisement

ଖୋର୍ଦ୍ଧା, ୨୩/୧୦: ଖୋର୍ଦ୍ଧା ଜିଲ୍ଲାର ଜୟମଙ୍ଗଳ ଗ୍ରାମସ୍ଥିତ ମା’ ବାଉତୀ ଠାକୁରାଣୀଙ୍କ ପୀଠରେ ଏକ ନିଃଶୁଳ୍କ ଦାତବ୍ୟ ଆୟୁର୍ବେଦ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ପ୍ରାୟ ୧୫୧ ଜଣ ମହିଳା ଓ ପୁରୁଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଇଥିଲା।
ଏହି ଶିବିରରେ ଗଉଡ଼ପୁଟ, ଜୟମଙ୍ଗଳ, ସାରୁଅ, ପତନିବର ଓ ପୁବୁସାହି ଆଦି ପାଞ୍ଚଟି ଗ୍ରାମରୁ ବହୁ ସଂଖ୍ୟାରେ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସା ସେବା ଗ୍ରହଣ କରିଥିଲେ।


ଗୋଡ଼ା ସ୍ଥିତ ଶ୍ରୀ ଲୋକନାଥ ଦେବ ଦାତବ୍ୟ ଚିକିତ୍ସାଳୟର ସଭାପତି କୃଷ୍ଣଚନ୍ଦ୍ର ହରିଚନ୍ଦନ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ କଟକ ଆୟୁର୍ବେଦିକ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ସସ୍ମିତା ଗୁମାନସିଂହ, ଡାକ୍ତର ସୁନୀଲ କୁମାର ବେହେରା ଓ ଡାକ୍ତର ସୁବ୍ରତ ପାତ୍ର ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଚିକିତ୍ସା ପ୍ରଦାନ କରିଥିଲେ।
ଏହି ସେବାମୂଳକ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମର ସଂଯୁକ୍ତା ଗୁମାନସିଂହ, ସାଧନା ଗୁମାନସିଂହ, ଦୋଳଗୋବିନ୍ଦ ଛୋଟରାୟ, ପବିତ୍ରମୋହନ ଛୋଟରାୟ ଓ ଲଚ୍ଛମନ ବଡ଼ଜେନା ପ୍ରମୁଖ ସହଯୋଗ କରିଥିଲେ।
ଗ୍ରାମାଞ୍ଚଳର ଲୋକଙ୍କୁ ନିଜ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଏହି ପ୍ରୟାସକୁ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଜନହିତକର କାର୍ଯ୍ୟକ୍ରମକୁ ଅଧିକ ସୁବ୍ୟବସ୍ଥିତ ଓ ନିୟମିତ କରିବା ଉଦ୍ଦେଶ୍ୟରେ ପ୍ରତି ତିନି ମାସରେ ଥରେ ଜୟମଙ୍ଗଳ ଗ୍ରାମରେ ଏପରି ଚିକିତ୍ସା ଶିବିର ଆୟୋଜନ କରିବାକୁ ଗ୍ରାମବାସୀମାନେ ପ୍ରସ୍ତାବ ଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *