ବ୍ରିଟିଶ ଅତ୍ୟାଚାରଠୁ ବଳିଗଲା ବିଜେପିର ବର୍ବରୋଚିତ ଆକ୍ରମଣ: ବିଜେଡି

ଶାନ୍ତିପ୍ରିୟ ଓଡ଼ିଶାକୁ କ୍ଷମତା ନିଶାରେ ଅଶାନ୍ତ କରୁଛି ବିଜେପି

ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ

ଭୁବନେଶ୍ବର: -ଭୁବନେଶ୍ଵର ମହାନଗର ନିଗମର ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ଉପରେ ସ୍ପଷ୍ଟ ଦିବାଲୋକରେ ବିଜେପି ନେତାଙ୍କ ଦ୍ୱାରା ହୋଇଥିବା ବର୍ବରୋଚିତ ଓ ମରଣାନ୍ତକ ଆକ୍ରମଣ ଘଟଣା ବ୍ରିଟିଶ ଅତ୍ୟାଚାରଠୁ ମଧ୍ୟ ବଳିଯାଇଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଆକ୍ରମଣକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।

Advertisement


ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜେଡିର ଭୁବନେଶ୍ଵର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍‌ସି ମେୟର  ସୁଲୋଚନା ଦାସ, ଭୁବନେଶ୍ଵର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ଵର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ସିଧାସଳଖ ଆକ୍ରମଣକାରୀ ମାନେ ଶାସକ ବିଜେପିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୋଲି କହିବା ସହିତ, ବିଜେପି ନେତା ତଥା ଗତ ନିର୍ବାଚନରେ ଭୁବନେଶ୍ଵର (ମଧ୍ୟ) ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଘଟିଛି ବୋଲି କହିଥିଲେ। ଏହି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ନମୁନା ଓ ଶାସକ ବିଜେପି ଦଳର ଅତ୍ୟାଚାର ମନୋବୃତ୍ତିର ପରିଚୟ ।

ଶ୍ରୀ ପଣ୍ଡା କହିଥିଲେ, ରାଜଧାନୀ ଭୁବନେଶ୍ଵରର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗତକାଲି ଶାସକ ଦଳ ଦ୍ଵାରା ଯେଉଁଭଳି ଅମାନୁଷିକ ଓ ଅମାନବୀୟ ଭାବେ ବିଏମସିର ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରାଗଲା ତାହା ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଥିବା ଗୁଣ୍ଡାରାଜ ଦୃଶ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିବା, ସମଗ୍ର
ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରିବା ସହ ଦେଶରେ ଓଡ଼ିଶାର ଛବିକୁ ମଳିନ କରିଛି । ରାଜ୍ୟ ଓଏଏସ୍ ସଙ୍ଘ ଏହି ଘଟଣାରେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଗତ ଏକ ବର୍ଷରେ ବିଭିନ୍ନ ସ୍ଥାନରେ ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ କରିବା ସହ ସେମାନଙ୍କ ସୁରକ୍ଷା ଓ ସମ୍ମାନ ବିପଦରେ ପଡିଛି ବୋଲି ଉଲ୍ଲେଖ କରିଛନ୍ତି। ଗତ ଏକ ବର୍ଷ ଧରି ରାଜ୍ୟର ପ୍ରଶାସନିକ ଢାଞ୍ଚା ଉପରେ ଯେଉଁଭଳି ଭାବେ ଆକ୍ରମଣ କରାଯାଉଛି, ତାହା ଗ୍ରହଣୀୟ ନୁହେଁ ।



ବିଏମସି ମେୟର  ସୁଲୋଚନା ଦାସ ଏହି ଘଟଣାକୁ ନିନ୍ଦା କରିବା ସହିତ, ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଫିସ୍ ମଧ୍ଯରୁ ଘୋଷାଡ଼ି ଆଣି ଯେଭଳି ବର୍ବରୋଚିତ ଆକ୍ରମଣ କଲେ, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଘଟଣାରେ ଛଅ ସାତ ଜଣଙ୍କ ସମ୍ପୃକ୍ତି ରହିଥୁବା ବେଳେ, ପୋଲିସ କେବଳ ପାଞ୍ଚ ଜଣଙ୍କୁ ଗିରଫ କରିଛି। ତେଣୁ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଓ ଯାହାଙ୍କ ପ୍ରରୋଚନାରେ ଏହି ଘଟଣା ଘଟିଛି, ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ୧୦୯ ଦଫା ଲଗାଯାଉ । ଏହି ଘଟଣାରେ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସମ୍ପୃକ୍ତି ରହିଛି ଓ ଆକ୍ରମଣକାରୀ ଯୁବକ ମାନଙ୍କ ମଧ୍ୟରୁ ଦୁଇ ଜଣ ତାଙ୍କର ଘନିଷ୍ଠ ସହଯୋଗୀ ବୋଲି ନିଜେ ଶ୍ରୀ ପ୍ରଧାନ ଗଣମାଧ୍ୟମ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି।

ବିଧାୟକ  ଅନନ୍ତ ନାରାୟଣ ଜେନା କହିଥିଲେ, ଗତ ତିରିଶ ବର୍ଷ ଭିତରେ ଏଭଳି ଅମାନବୀୟ କାଣ୍ଡ କେବେ ଘଟିନଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ବ୍ରିଟିଶ ଅତ୍ୟାଚାରଠୁ ମଧ୍ୟ ବଳିଯାଇଛି । ଘଟଣାସ୍ଥଳରେ ଦୁଇ ଜଣ ମହିଳା କର୍ପୋରେଟର ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ସେମାନେ ମଧ୍ୟ ଆକ୍ରମଣକାରୀଙ୍କ ଦ୍ଵାରା ଆହତ ହୋଇଛନ୍ତି । ବିଧାୟକ ସୁଶାନ୍ତ କୁମାର ରାଉତ ଘଟଣାକୁ ତୀବ୍ର ନିନ୍ଦା କରିବା ସ‌ହ ଏଥିରେ ସମ୍ପୃକ୍ତ ସମସ୍ତ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି ମେୟର ମଞ୍ଜୁଲତା କହଁର ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *