ମହାପ୍ରଭୁଙ୍କ ନାମର ବ୍ୟବସାୟୀକରଣକୁ ନେଇ ବର୍ଷିଲେ ମହେଶ ସାହୁ ;‘ଶ୍ରୀଜଗନ୍ନାଥଙ୍କୁ ନେଇ କାର୍ଟୁନ୍ ଫିଲ୍ମ ପ୍ରସ୍ତୁତି କାହିଁକି?’


ଖୋର୍ଦ୍ଧା, (୭ା୯):-  ଶ୍ରୀଜଗନ୍ନାଥଙ୍କ ନାମ ଓ ସଂସ୍କୃତିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ। ମହାପ୍ରଭୁଙ୍କୁ ନେଇ କାର୍ଟୁନ୍ ଫିଲ୍ମ ପ୍ରସ୍ତୁତି ଓ ତାଙ୍କ ନାମରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଚାଲିଥିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ପ୍ରସଙ୍ଗକୁ ଆଗାମୀ ଦିନରେ ଭିଏଚ୍‌ପି ଦୃଢ଼ ଭାବେ ବିରୋଧ କରିବ ବୋଲି କହିଛନ୍ତି।
ସ୍ଥାନୀୟ ହାବେଳି ପଡ଼ିଆରେ ଓଡ଼ିଶା ସର୍ଭିସ୍ ସେଣ୍ଟର ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ଏବଂ ବିଶ୍ୱ ହିନ୍ଦୁ ପରିଷଦ ସହଯୋଗରେ ଆୟୋଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବରେ ଯୋଗଦେଇ ଶ୍ରୀ ସାହୁ ଏହା କହିଥିଲେ।


ସେ କହିଥିଲେ, ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଜୀବନଧାରା ଶ୍ରୀଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମହାପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ ସାରା ବିଶ୍ୱରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବା ବେଳେ କେତେକ ଲୋକ ତାଙ୍କ ନାମକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ। ମହାପ୍ରଭୁଙ୍କୁ ନେଇ କାର୍ଟୁନ୍ ଫିଲ୍ମ ପ୍ରସ୍ତୁତିଠାରୁ ଆରମ୍ଭ କରି ତାଙ୍କ ନାମରେ ଅନୁଚିତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାଯିବା ଘଟଣା ଉପରେ ସେ ପ୍ରଶ୍ନ ଉଠାଇଥିଲେ।

Advertisement


ଏଭଳି ଘଟଣା ନେଇ ଓଡ଼ିଆ ଜାତି ନୀରବ ରହିବା ଉଚିତ ନୁହେଁ ବୋଲି ଶ୍ରୀ ସାହୁ କହିବା ସହ ଏ ପ୍ରସଙ୍ଗରେ ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ଶଙ୍କରାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିବା ନେଇ କହିଥିଲେ। ମହାପ୍ରଭୁଙ୍କ ମର୍ଯ୍ୟାଦା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଭିଏଚ୍‌ପି ପକ୍ଷରୁ ଆଗାମୀ ଦିନରେ ଏଭଳି ପ୍ରସଙ୍ଗରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ସେ କହିଥିଲେ।
ଖୋର୍ଦ୍ଧା ମାଟିର ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ମଧ୍ୟ ଶ୍ରୀ ସାହୁ ଆଲୋକପାତ କରିଥିଲେ। ଖୋର୍ଦ୍ଧା ମାଟି ବୀରତ୍ୱ, ଶୌର୍ଯ୍ୟ ଓ ପରାକ୍ରମର ମାଟି ହୋଇଥିବା ବେଳେ ଏହା ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ମଧ୍ୟ ପରିଚିତ ବୋଲି ସେ କହିଥିଲେ।
କୁଜଙ୍ଗଗଡ଼ରୁ ବିସର ମହାନ୍ତିଙ୍କ ଜରିଆରେ ବ୍ରହ୍ମ ଅଣାଯାଇ ଗଡ଼ଖୋର୍ଦ୍ଧାରେ ପ୍ରଥମ ରାମଚନ୍ଦ୍ର ଦେବ ଦାରୁବିଗ୍ରହ ନିର୍ମାଣ କରାଇ ପ୍ରଥମ ନବକଳେବର କରିଥିବା ସେ ଉଲ୍ଲେଖ କରିଥିଲେ। ଏହାପରେ ଦୀର୍ଘ ଆଠ ବର୍ଷ ଧରି ଶୂନ୍ୟ ଥିବା ଶ୍ରୀମନ୍ଦିରର ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ବିଜେ କରାଯାଇଥିବା ସେ କହିଥିଲେ।
ପ୍ରଥମ ରାମଚନ୍ଦ୍ର ଦେବଙ୍କ ସମୟରେ ଶ୍ରୀମନ୍ଦିରରେ ରଘୁନାଥ ବେଶ ପରମ୍ପରା ଆରମ୍ଭ ହୋଇଥିଲା, ଯାହା ୧୯୦୫ ମସିହାରୁ ବନ୍ଦ ରହିଛି ବୋଲି ସେ ସୂଚନା ଦେଇଥିଲେ। ଏଭଳି ଐତିହାସିକ ପରମ୍ପରା ସହ ଜଡ଼ିତ ଖୋର୍ଦ୍ଧା ମାଟିରେ ମହାପ୍ରଭୁଙ୍କୁ ନେଇ କାର୍ଟୁନ୍ ଫିଲ୍ମ ପ୍ରସ୍ତୁତି ହେଉଥିବା ବେଳେ ଏନେଇ ସମାଜ ନୀରବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।
କାର୍ଯ୍ୟକ୍ରମରେ ଦୁର୍ଗାବାହିନୀର ରାଷ୍ଟ୍ରୀୟ ସଂଯୋଜିକା ପ୍ରଜ୍ଞା ପାରମିତା ମାହଲା, ସନ୍ଥ ତ୍ରୈଲୋକ୍ୟଭାରତୀ, ଆର୍‌ଏସ୍‌ଏସ୍‌ ଜିଲ୍ଲା ସଂଘଚାଳକ ନିରଞ୍ଜନ ସାହୁ, ଦୁର୍ଗାବାହିନୀ କ୍ଷେତ୍ର ସଂଯୋଜିକା ଝରଣା ନାୟକ, ଜିଲ୍ଲା ସଂଯୋଜିକା ସୁନିତା ସାହୁ, ମାତୃଶକ୍ତି ଜିଲ୍ଲା ସଂଯୋଜିକା ସ୍ମିତା ପଟ୍ଟନାୟକ, ସାମାଜିକ କର୍ମୀ ସୁଚିସ୍ମିତା ବଡ଼ଜେନା, ବରିଷ୍ଠ ଖବରଦାତା  ସୂର୍ଯ୍ୟରଞ୍ଜନ ମହାନ୍ତି, ଭିଏଚ୍‌ପି ଜିଲ୍ଲା ଉପସଭାପତି ନରହରି ସାହୁ ଏବଂ ବିଭାଗ ସମ୍ପାଦକ ବିଭୁରେନ୍ଦ୍ର ବିଦ୍ୟାଧର ପ୍ରମୁଖ ମଞ୍ଚାସୀନ ଥିଲେ।
ଭିଏଚ୍‌ପି ଜିଲ୍ଲା ସହ-ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *