ଖୋର୍ଦ୍ଧା, ୨୫/୮: ନାରୀ ସଶକ୍ତିକରଣ ସହିତ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସାହସ ଓ ନିଜକୁ ସୁରକ୍ଷିତ ରଖିବାର ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ହଳଦିଆ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦ୍ଯାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର “ଶକ୍ତି ଶ୍ରୀ ସଶକ୍ତିକରଣ କୋଷ” ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ସୁରକ୍ଷା, ସ୍ୱାବଲମ୍ବନ ଓ ଆତ୍ମରକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ସଂଯୋଜିକା ଅଧ୍ୟାପିକା ଲିଲି ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉଦ୍ଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ଆତ୍ମସୁରକ୍ଷା କେବଳ ଶାରୀରିକ ପ୍ରତିରୋଧରେ ସୀମିତ ନୁହେଁ, ବରଂ ବିପଦ ସମୟରେ ନିଜର ଉପସ୍ଥିତ ବୁଦ୍ଧି, ସାହସ ଓ ଆତ୍ମବିଶ୍ୱାସର ସହିତ ପରିସ୍ଥିତିର ମୁକାବିଲା କରିବା ମଧ୍ୟ ଏହାର ଏକ ମୁଖ୍ୟ ଅଂଶ ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆରମ୍ଭରେ ଅଧ୍ୟାପକ ସନାତନ ସାହୁ ସ୍ୱାଗତ ଭାଷଣ ଦେଇ ଆତ୍ମସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଛାତ୍ରୀମାନଙ୍କ ଶିକ୍ଷା ସହିତ ସେମାନଙ୍କ ସୁରକ୍ଷା ଓ ବ୍ୟକ୍ତିତ୍ୱ ବିକାଶ ପ୍ରତି ମଧ୍ୟ ଶିକ୍ଷାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ବରିଷ୍ଠ ଡେମନଷ୍ଟ୍ରେଟର ଅରୁଣ ଭଞ୍ଜ ଦେଓ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଦୈନନ୍ଦିନ ଜୀବନରେ ଛାତ୍ରୀମାନେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଏଭଳି ସମୟରେ ଭୟଭୀତ ନ ହୋଇ ସଚେତନତା, ଆତ୍ମବିଶ୍ୱାସ ଓ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରସନ୍ନ ବିଶ୍ୱାଳ, ଡଃ ଅମୂଲ୍ୟ କୁମାର ବେହେରା, ରଞ୍ଜନା ଖୁଣ୍ଟିଆ, ନିରଞ୍ଜନ ମହାପାତ୍ର, ହୃଦୟରାମ ବରାଡ ଓ ଜୟନ୍ତୀ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ବକ୍ତାମାନେ କହିଥିଲେ ଯେ ଛାତ୍ରୀମାନଙ୍କୁ ଶିକ୍ଷା ଓ ଜ୍ଞାନ ସହିତ ନିଜ ସୁରକ୍ଷା ସମ୍ପର୍କରେ ସଚେତନ କରିବା ସମୟର ଆବଶ୍ୟକତା। ଆତ୍ମସୁରକ୍ଷା ପ୍ରଶିକ୍ଷଣ ଛାତ୍ରୀମାନଙ୍କ ମନରେ ସାହସ ଓ ଆତ୍ମବିଶ୍ୱାସ ବଢ଼ାଇବା ସହ ଅସୁବିଧାଜନକ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାର ମାନସିକ ପ୍ରସ୍ତୁତି ଦେଇଥାଏ। ଏହା ଭବିଷ୍ୟତରେ ଛାତ୍ରୀମାନଙ୍କୁ ଅଧିକ ସ୍ୱାବଲମ୍ବୀ ଓ ସଚେତନ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
ଉଦ୍ଯାପନୀ ସମାରୋହ ଶେଷରେ ଅଧ୍ୟାପିକା ବନ୍ଦନା ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ। “ଶକ୍ତି ଶ୍ରୀ ସଶକ୍ତିକରଣ କୋଷ” ମାଧ୍ୟମରେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବା ସହ ଛାତ୍ରୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ସକାରାତ୍ମକ ପଦକ୍ଷେପ ହୋଇପାରିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
